ବାଲେଶ୍ଵର ସହରର ବିକାଶ ପାଇଁ ୧୫୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ଵର ପୌରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି।

ବାଲେଶ୍ଵର ପୌରାଞ୍ଚଳର ବିକାଶ ସମ୍ପର୍କରେ ଦୁଇ ପର୍ଯ୍ୟାୟ ଉଚ୍ଚ ସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କିଷନ କୁମାର ସକାଳେ ବାଲେଶ୍ଵର ଯାଇ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ସେଠାରୁ ଫେରି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହାକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ୧୫୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବାଲେଶ୍ଵର ହେଉଛି ଓଡିଶାର ଅନ୍ୟତମ ମୁଖ୍ୟ ସହର । ଏହା ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମ ସ୍ଥାନ । ନିକଟରେ ମୁଁ ବାଲେଶ୍ଵରବାସୀଙ୍କୁ କଥା ଦେଇଥିଲି ଯେ ବାଲେଶ୍ଵର ପୌରପାଳିକାର ବିକାଶ ଉପରେ ଆମେ ଧ୍ୟାନ ଦେବୁ । ଏ ଅବସରରେ ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ପ୍ରକଳ୍ପ ଗୁଡିକ ଘୋଷଣା କରିଥିଲେ। ଏ ମଧ୍ୟରେ ରହିଛି ୮ କୋଟି ଟଙ୍କା ବ୍ୟୟରେ ବାଲେଶ୍ଵର ସହଦେବଖୁଣ୍ଟା ବସଷ୍ଟାଣ୍ଡର ବିକାଶ କରାଯିବ। ତୁମୂଳିଆ ଗେଟ ଫ୍ଲାଏଓଭରଠାରୁ ଷ୍ଟେସନ୍‌ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଛଅ ଥାକିଆ ଓ ଏଥିରେ ଆଧୁନିକ ଷ୍ଟ୍ରିଟ ଲାଇଟିଂର ବ୍ୟବସ୍ତା କରାଯିବ। ବାଲେଶ୍ଵର ପୌରପାଳିକାର ସବୁ ମୁଖ୍ୟ ରାସ୍ତାର ଉନ୍ନତିକରଣ ହେବ। ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ।

ସେହିପରି ବାଲେଶ୍ଵରର କ୍ରୀଡାବିତମାନଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ବାଲେଶ୍ଵର ପୌରପାଳିକା ୧୪ କୋଟି ଟଙ୍କା ବ୍ୟୟରେ ଇଣ୍ଡୋର ହଲ, ସନ୍ତରଣାଗାର ଆଦି ଉନ୍ନତ କ୍ରୀଡା ଭିତ୍ତିଭୂମିର ବିକାଶ କରାଯିବ। କ୍ରୀଡାବିତ ମାନଙ୍କ ପାଇଁ ହେବ ଉଚ୍ଚ ମାନର ତାଲିମ ବ୍ୟବସ୍ଥା। ୫୩ କୋଟି ଟଙ୍କା ଖର୍ଚ୍ଚରେ ବୁଢାବଳଙ୍ଗ ନଦୀବନ୍ଧର ସୁରକ୍ଷା ସହିତ ସୌନ୍ଦର୍ଯ୍ୟକରଣ କରାଯିବ। ବାଲେଶ୍ଵର ସହରବାସିଙ୍କ ଅବସର ବିନୋଦନ ନିମନ୍ତେ ବୁଢାବଳଙ୍ଗ ନଦୀକୁଳର ବିକାଶ କରାଯିବ। ପୌରପାଳିକା ଅଞ୍ଚଳର ମୁଖ୍ୟ ପୋଖରୀ ଗୁଡିକ ଯଥା ଗଡଗଡିଆ ପୋଖରୀ, ଶୋଭାରାମପୁର ପୋଖରୀ, ବଡଖୁଆ ପୋଖରୀ, ନୂଆ ପୋଖରୀ, ହରଚନ ପୋଖରୀ ଓ ହରଗଙ୍ଗା ପୋଖରୀ ଆଦିର ସୌନ୍ଦର୍ଯ୍ୟକରଣ ଓ ବିକାଶ କରାଯିବ। ସହରର ପରିବେଶକୁ ସୁନ୍ଦର କରିବା ସହିତ ନାଗରିକମାନଙ୍କ ନିମନ୍ତେ ଓପନ ସ୍ପେସ ସୃଷ୍ଟି କରାଯିବ। ଏହାଛଡା ବାଲେଶ୍ଵର ପୌରପାଳିକା ଅଞ୍ଚଳର ଡ୍ରେନେଜ୍‌ ‌ଚ୍ୟାନେଲ୍‌ ଓ ତତସଂଯୁକ୍ତ ରାସ୍ତା ଗୁଡିକର ବିକାଶ ପାଇଁ ଖର୍ଚ୍ଚହେବ ୭ କୋଟି ଟଙ୍କା। ବ୍ୟୟରେ କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ବାଲେଶ୍ଵର ମେଡିକାଲ କଲେଜର ଟିଚିଙ୍ଗ ହସ୍‌ପିଟାଲ ନିମନ୍ତେ ୨୭୫ କୋଟି ଟଙ୍କାର କାମ ଚାଲୁ ରହିଛି। ଗତ ୪-୫ ମାସ ହେବ ବାଲେଶ୍ଵର ‌ପୌରପାଳିକା ପକ୍ଷରୁ ୧୬ କୋଟି ଟଙ୍କା ବ୍ୟୟରେ ସହରରେ ସିମେଣ୍ଟ କଂକ୍ରିଟ ରୋଡ ଓ କମ୍ୟୁନିଟି ସେଣ୍ଟର ଆଦିର ଭିତ୍ତିଭୂମି ବିକାଶ କାମ ଜାରି ରହିଛି। ଆମେ କଥା ନୁହେଁ ସବୁବେଳେ କାମରେ ବିଶ୍ଵାସ କରୁ ବୋଲି ଉକ୍ତିକୁ ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ। ଏ ସବୁ କାମ ଶୀଘ୍ର ଆରମ୍ଭ ହେବ ଓ ପ୍ରଥମିକତାର ସହ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଥିଲେ। ବାଲେଶ୍ଵର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆମେ କାମ କରି ଚାଲିବୁ। ଏ ଦିଗରେ ବାଲେଶ୍ଵର ଜିଲ୍ଲାର ଭାଇଭଉଣୀମାନଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *

Back to top button