ବାଲିଆପାଳ : ୭ ବର୍ଷର ଶିଶୁ କନ୍ୟା ନିଖୋଜ

ଜଳେଶ୍ଵର : ରାଜ୍ୟରେ ଶିଶୁ କନ୍ୟା ଅପହରଣ ବଢିବାରେ ଲାଗିଛି। ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ପୋଲିସ ବିଫଳ ହୋଇଛି। ନୟାଗଡ ଜିଲ୍ଲାରେ ଏହିପରି ଦୁଇଟି ଘଟଣା ଘଟିଥିବା ବେଳେ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଥାନା ଜମ୍ଭୀରାଇ ଗ୍ରାମର ସାତ ବର୍ଷର ଶିଶୁ କନ୍ୟା ବିଷ୍ଣୁପ୍ରିୟା ପାତ୍ର ଡାକ ନାମ ନେଉଳି ଶୁକ୍ରବାର ସକାଳଠାରୁ ନିଖୋଜ ହୋଇଯାଇଛି।
ଖବର ଅନୁଯାୟୀ ନେଉଳି ନିଜ ଘର ଜମ୍ଭୀରାଇ ପଞ୍ଚାୟତର ସୁନ୍ଦର କୋଇଲି ଗାଁରେ। ବାପାଙ୍କ ନାମ ବଳରାମ ପାତ୍ର। ସେ ଜମ୍ଭୀରାଇ ଗାଁରେ ମାମୁଁ ଘରେ ରହୁଥିଲା। ଗତ ୧୧ ତାରିଖ ଦିନ ନିଜ ଘରଠାରୁ ଅଧ କିଲୋମିଟର ଦୂର ମାମୁ ଘରେ ସକାଳେ ପହଞ୍ଚି ଆଈକୁ ଖୋଜିଥିଲ।। ଆଈକୁ ନପାଇ ରାସ୍ତା ଉପରକୁ ବାହାରି ଆସିଥିଲା। ସେହିଦିନ ଦକ୍ଷିଣ ବାଲିଆପାଳ ଅଞ୍ଚଳର ଜମ୍ଭୀରାଇ ସମେତ ଛଅଟି ପଂଚାୟତର ଲୋକେ ପେଟ୍ରୋ କେମିକାଲ ପ୍ଲାଣ୍ଟ ବିରୋଧରେ ୨୫ କିମି ମାନବ ଶୃଙ୍ଖଳ କରିଥିଲେ। ତେଣୁ ସମସ୍ତେ କାମରେ ବ୍ୟସ୍ତ ଥିଲେ।
ସନ୍ଧ୍ୟା ସମୟରେ ମା’ର ନେଉଳି କଥା ମନେ ପଡିବାରୁ ସେ ମାମୁଁଙ୍କୁ ପଚାରିଥିଲା। ଆଉ ଜଣାପଡ଼ିଥିଲା ନେଉଳି ନିଖୋଜ। ଗତକାଲି ଗ୍ରାମର ଲୋକମାନେ ନେଉଳି ନିଖୋଜ ସମ୍ପର୍କରେ ଡାକବାଜି ଯନ୍ତ୍ରରେ ଆଠ ଦଶଟି ପଞ୍ଚାୟତରେ ପ୍ରଚାର କରିଥିଲେ। କିନ୍ତୁ ଆଜିଯାଏ ସନ୍ଧାନ ନମିଳିବାରୁ ପରିବାର ଲୋକେ ବାଲିଆପାଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅନୁସନ୍ଧାନ ଜାରି ରଖିଛି।