ବାଲିଗୁଡା ମଶାଣି ଘାଟରେ ଝୁଲୁଛି ତାଲା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିିତ ଅଂଚଳ ପରିଷଦରେ ତିନିଟି ମଶାଣି ରହିଛି। ଏ ମଧ୍ୟରୁ ଗୋଟିଏ ୧୩ ନମ୍ବର ୱାର୍ଡ଼ ସୁନାପାଙ୍ଗାରେ। ଅନ୍ୟ ଦୁଇଟି ୫ ନମ୍ବର ୱାର୍ଡ଼ କଟାରୀ ସାହି ଓ ୧୨ ନମ୍ବର ୱାର୍ଡ଼ରେ ରହିଛି। ବାଲିଗୁଡ଼ା କଲେଜ ଘାଟି ଉପରେ ୧୨ ନଂ ୱାର୍ଡ଼ ମଶାଣି ଥିବା ବେଳେ କିଛି ଦିନ ତଳେ ପ୍ରାୟ ୧୭ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଭାବେ ଏହାକୁ ନିର୍ମାଣ କରାଯାଇଛି। କିନ୍ତୁ କାମ ସରିଥିଲେ ମଧ୍ୟ ମଶାଣି ଘାଟର ଦୁଇଟି ଫାଟକରେ ଝୁଲୁଛି ତାଲା। ଫଳରେ ଶବ ଦାହ ହୋଇପାରୁ ନାହିଁ। ଲୋକେ ବାଧ୍ୟ ହୋଇ ରାସ୍ତା କଡ଼ରେ ଶବଦାହ କରୁଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ମଶାଣି ଘାଟ ଫାଟକରେ ଝୁଲୁବାକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ଏନ୍ଏ‌ସିର କାର୍ଯ୍ୟନିବାର୍ହୀ ଅଧିକାରୀ ଡ. ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଏ ବିଷୟରେ ଜାଣି ନାହିଁ। ତେବେ କିପରି ଶୀଘ୍ର କାର୍ଯ୍ୟକ୍ଷମ ହେବ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ସେହିଭଳି ଅନ୍ୟ ଦୁଇଟି ମଶାଣିରେ ସମସ୍ୟା ରହିଛି। କଟାରୀ ସାହି ମଶାଣି ଘାଟରେ ପାଣି ଓ ଆଲୁଅ ସୁବିଧା ନାହିଁ। ଯାହାଫଳରେ କିଛି ଦୂରରେ ଥିବା ଏକ ନଳକୂପରୁ ପାଣି ଆଣିବାକୁ ପଡୁଛି। ରକ୍ଷଣାବେକ୍ଷଣ ଅଭାବରୁ ଅନାବନା ଗଛ ବଢ଼ିଯାଇଥିବାରୁ ଶବଦାହ ପାଇଁ ସୁବିଧା ହେଉନାହିଁ। ସେହିପରି ସୁନାପାଙ୍ଗା ମଶାଣିରେ କୂଅ ଅଛି କିନ୍ତୁ ପାଣି ନାହିଁ। ସେଠାରେ ମଧ୍ୟ ଆଖ ପାଖରେ ପାଣିର ବ୍ୟବସ୍ଥା ନାହିଁ। ତେଣୁ ପ୍ରଶାସନ ପକ୍ଷରୁ ସହରରେ ମଶାଣି ଘାଟର ପୁନରୁଦ୍ଧାର କରାଯିବାକୁ ଦାବି ହୋଇଛି।

ମତାମତ ଦିଅନ୍ତୁ ।