ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ରହିଛି ୭୦୦ ମାମଲା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ବିରୋଧରେ ୭୦୦ ମାମଲା ରୁଜୁ ହୋଇଛି। ଟ୍ୱିଟ୍ କରି କଙ୍ଗନା ଏହି ସୂଚନା ଦେଇଥିବା ବେଳେ ତାଙ୍କ ଭାଇ ଏହି ମାମଲା ଗୁଡିକ ହ୍ୟାଣ୍ଡଲ୍ କରୁଥିବା ଉଲ୍ଲେଖ କରିଛନ୍ତି।

ଖବର ଅନୁଯାୟୀ କଙ୍ଗନା ତାଙ୍କର ସମସ୍ତ ମାମଲା ଶିମଲାକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। କାରଣ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ଜୀବନ ପ୍ରତି ଶିବସେନା ନେତାଙ୍କ ଠାରୁ ବିପଦ ରହିଛି। ସୁପ୍ରିମକୋର୍ଟକୁ କରିଥିବା ଆବେଦନରେ କଙ୍ଗନା ଦର୍ଶାଇଛନ୍ତି ମହାରାଷ୍ଟ୍ର ସରକାର ଜାଣିଶୁଣି ସେମାନଙ୍କୁ ଶୋଷଣ କରୁଛନ୍ତି। ଏସବୁ ମାମଲା ସେମାନଙ୍କ ବ୍ୟକ୍ତିତ୍ୱ ଖରାପ କରିବା ଉଦ୍ଦେଶ୍ୟରେ କରାଯାଇଛି।

ସେ କହିଛନ୍ତି ବାନ୍ଦ୍ରା ସ୍ଥିତ ତାଙ୍କର ଅଫିସକୁ ପୁନଃନିର୍ମାଣ କରିବା ପାଇଁ କୌଣସି ଆର୍କିଟେକ୍ଟ ପ୍ରସ୍ତୁତ ନୁହଁନ୍ତି। ବିଏମସି ବିରୋଧରେ କଙ୍ଗନା ମାମଲା ଜିତି ସାରିଥିଲେ ମଧ୍ୟ ତାଙ୍କ ଅଫିସକୁ ପୁଣିଥରେ ନିର୍ମାଣ କରିବାକୁ କେହି ରାଜି ହେଉ ନାହାଁନ୍ତି। କାରଣ ସେମାନଙ୍କ ଲାଇସେନ୍ସ କ୍ୟାନ୍ସଲ୍ କରିଦେବା ପାଇଁ ବିଏମସି ଧମକ ଦେଇଛି।

ବିଏମସି ଉପରେ ଅଭିଯୋଗ କରି କଙ୍ଗନା କହିଛନ୍ତି କୋର୍ଟ ବିଏମସିକୁ ସାଇଟ ପରିଦର୍ଶନ କରିବାକୁ କହିଥିଲେ। କିନ୍ତୁ ସେମାନେ ଆଉ କଲ୍ ରିସିଭ୍ କରୁନାହାଁନ୍ତି। କଙ୍ଗନା ଟ୍ୱିଟ୍ କରି କହିଛନ୍ତି ତାଙ୍କ ଅଫିସକୁ ନେଇ ସେ ଖୁବ୍ ଚିନ୍ତିତ। କଙ୍ଗନା ଆହୁରି ସୂଚନା ଦେଇଛନ୍ତି ବାନ୍ଦ୍ରାସ୍ଥିତ ତାଙ୍କ ନୂତନ ନିର୍ମିତ କାର୍ଯ୍ୟାଳୟରେ ଗତବର୍ଷ ବିଏମସିର ବିଧ୍ୱଂସ ଅଭିଯାନରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଦାଖଲ କରିବେ।

Leave a Reply

Your email address will not be published. Required fields are marked *

Back to top button