ବନ୍ଦ କୋଭିଡ୍ ଚିକିତ୍ସାକେନ୍ଦ୍ର ପୁଣି ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ଵର : ରାଜ୍ୟରେ ପ୍ରଥମ କରୋନା ଲହରର ପ୍ରଭାବ ହ୍ରାସ ପାଇବାରୁ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସା କେନ୍ଦ୍ରକୁ ବନ୍ଦ କରିଦିଆଯାଇଥିଲା। ଏସବୁ ପୁଣି ଖୋଲିବା ପାଇଁ ଜିଲ୍ଲାପାଳ ଓ ପୌରପ୍ରଶାସକମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଏ ନେଇ ଆଜି ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିସନର, ସିଡିଏମ ଓ ପିଏଚଓଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଆବଶ୍ୟକତା ଅନୁଯାୟୀ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସା କେନ୍ଦ୍ର ଖୋଲିବାକୁ କୁହାଯାଇଥିବା ବେଳେ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।

ସୋମବାର ଲେଖାଯାଇଥିବା ଚିଠିରେ କୁହାଯାଇଛି ବନ୍ଦ ହୋଇଥିବା ଚିକିତ୍ସା କେନ୍ଦ୍ର ଗୁଡିକୁ ଆବଶ୍ୟକ ପଡ଼ିଲେ ୫୦ଟି ଶଯ୍ୟା ବୃଦ୍ଧି କରାଯାଇ ପୁଣି ଥରେ ଖୋଲାଯିବ। ଆଇସିୟୁ ସଂଖ୍ୟା ସାଧାରଣ ଶଯ୍ୟାର ୨୦ ପ୍ରତିଶତ ଓ ଭେଣ୍ଟିଲେଟରର ଉପଲବ୍ଧତା ସମସ୍ତ ଆଇସିୟୁର ଅତି କମରେ ୫୦ ପ୍ରତିଶତ ରହିବ। ଜଣେ ପ୍ରାଧିକୃତ ମେଡିକାଲ୍ ଅଫିସର (ଏଏମଓ) ଓ ଜଣେ ପ୍ରାଧିକୃତ ବ୍ୟକ୍ତି, ଓଏଏସ କୋଭିଡ୍ ଚିକିତ୍ସା କେନ୍ଦ୍ର ପାଇଁ ନିଯୁକ୍ତ ହେବେ। ନାମ ଓ ଯୋଗାଯୋଗ ନମ୍ବର ସରକାରଙ୍କ ନିକଟରେ ପହଞ୍ଚାଇବେ। ସମସ୍ତ ବୈଷୟିକ ସମସ୍ୟା ଓ ରୋଗୀଙ୍କ ପଞ୍ଜୀକରଣ ପାଇଁ ଅତିରିକ୍ତ ଡିଏମଇଟି ପ୍ରଫେସର (ଡ।) ଉମାକାନ୍ତ ଶତପଥୀ ରାଜ୍ୟସ୍ତରୀୟ ପ୍ରାଧିକୃତ ଅଧିକାରୀ ହେବେ।

ସେହିପରି ୧୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ ସ୍ଵାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପ୍ରକାରର ଅସ୍ତ୍ରୋପଚାର, ଗର୍ଭବତୀ ମହିଳାମାନଙ୍କ ପାଇଁ ଚିକିତ୍ସା ସୁବିଧା ରହିବ। ଏନଆଇସିୟୁ ଓ ଡାୟଲିସିସ୍ ପାଇଁ ସୁବିଧା ରହିବ। ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ ସମସ୍ତ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ ଥିବା ୩୦ଟି ଶଯ୍ୟା କିମ୍ବା ତା’ଠାରୁ ଅଧିକ ଶଯ୍ୟା ଥିଲେ ଅତିକମରେ ୧୦ ପ୍ରତିଶତ କରୋନା ‌ରୋଗୀଙ୍କ ପାଇଁ ଉପଲବ୍ଧ ରହିବା ଜରୁରୀ। କୋଭିଡ ରୋଗୀଙ୍କ ସଂଖ୍ୟା ବଢ଼ିବା ଅନୁଯାୟୀ ପର୍ଯ୍ୟାୟକ୍ରମେ ଉପଲବ୍ଧ ଜେନେରାଲ ବେଡ ଓ ଆଇସିୟୁ ଗୁଡିକର ସଂଖ୍ୟା ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ। ଜେନେରାଲ୍ ବେଡ୍ / ଆଇସିୟୁ / ଏନ୍ଆଇସିୟୁ / ଭେଣ୍ଟିଲେଟର୍ସ / ଓଟି / ଲେବର ଟେବୁଲ୍ / ଡାୟଲିସିସ୍ ଇତ୍ୟାଦି ବିଭିନ୍ନ ଶଯ୍ୟା ପାଇଁ ଭଡା ଓ ଖର୍ଚ୍ଚ ମୂଲ୍ୟ ପୂର୍ବ ଭଳି ଅନୁମୋଦିତ ହେବ। ଏହାଛଡା ଗାଇଡଲାଇନ ଅନୁଯାୟୀ ଏକ ଉତ୍ସର୍ଗୀକୃତ ହେଲ୍ପଡେସ୍କ କାର୍ଯ୍ୟକାରୀ କରାଯିବ।

Leave a Reply

Your email address will not be published. Required fields are marked *

Back to top button