ବନ୍ୟାରେ ୨୦ଟି ଜିଲ୍ଲାର ୧୪ ଲକ୍ଷ ୩୨ ହଜାର ପ୍ରଭାବିତ, ୧୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା-ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥପଡ଼ି ଓ ପାଣି ଭସାଇ ନେବାରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ୨୦ଟି ଜିଲ୍ଲାରେ ୧୪ ଲକ୍ଷ ୩୨ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା। ବନ୍ୟାରେ ୧୦ ହଜାର ୩୮୨ଟି ଘର ଭାଙ୍ଗିଥିବା ବେଳେ ୧ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ସେ କହିଛନ୍ତି।

ଏସ୍‌ଆରସି ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ରାଜ୍ୟର ୧୧୨ଟି ବ୍ଲକର ୮୯୬ଟି ପଂଚାୟତ ବନ୍ୟା ଜଳରେ ପ୍ରଭାବିତ ହୋଇଛି। ଏ ମଧ୍ୟରେ ରହିଛି ୩୨୫୬ଟି ଗାଁ। ୨୧ଟି ବିଜ୍ଞାପିତ ଅଂଚଳ ପରିଷଦ ଓ ୭୫ଟି ଓ୍ଵାର୍ଡ ବନ୍ୟା ବିପର୍ଯ୍ୟର ସମ୍ମୁଖୀନ ହୋଇଛି। ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଂଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼। ବର୍ଷା ଛାଡ଼ିବାର ୨ ଦିନ ପରେ ମଧ୍ୟ ଅବସ୍ଥା ସୁଧୁରି ନାହିଁ। ଆଜି ୩୪୦ଟି ଗାଁ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ଏଥିରେ ୨ ଲକ୍ଷ ୬୫ ହଜାର ୭୨୩ ଜଣ ଅଛନ୍ତି। ୩୫୭ଟି କେନ୍ଦ୍ରରେ ୫୭ ହଜାର ୮୨୪ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି।

ବନ୍ୟାରେ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ୪୫ଟି ମେଡିକାଲ ଟିମ, ପଶୁମାନଙ୍କ ପାଇଁ ୪୨ଟି ଟିମ ମୁତୟନ ଅଛନ୍ତି। ସେହିପରି ୧୪ଟି ଏନଡିଆରଏଫ ଟିମ୍‌, ୧୭ଟି ଓଡ୍ରାଫ୍‌ ଟିମ୍‌ ଓ ୨୨ଟି ଅଗ୍ନଶମ ବାହିନୀ ଟିମ ମୁତୟନ ହୋଇଛନ୍ତି। ବନ୍ୟା ବିପନ୍ନ ଲୋକଙ୍କୁ ଉଦ୍ଧାର ପାଇଁ ୨୫୪ଟି ଡଙ୍ଗା ନିୟୋଜିତ ହୋଇଛି। ୧୧ଟି ଜିଲ୍ଲାର ୧୦୭ଟି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ମତାମତ ଦିଅନ୍ତୁ ।