ବାପ ଛେଉଣ୍ଡ ହୋଇଗଲେ ସହିଦଙ୍କ ଦୁଇ ପିଲା

ବିଜାପୁର : ଛତିଶଗଡ଼ ବିଜାପୁର ନକ୍ସଲ ଆକ୍ରମଣରେ ସହିଦ୍ ହୋଇଛନ୍ତି ଉତ୍ତରପ୍ରଦେଶ ଚନ୍ଦୋଲିର ଧର୍ମଦେବ୍ କୁମାର। ବାପ ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କର ଦୁଇଟି ପିଲା। ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର।
ଧର୍ମଦେବ୍ କୁମାର ସିଆରପିଏଫ୍ କୋବ୍ରା ବାଟେଲିୟନର ଯବାନ। ତାଙ୍କର ଅଛନ୍ତି ଦୁଇଟି ଝିଅ। ଜଣେ ୮ବର୍ଷର ଓ ଆଉ ଜଣଙ୍କ ବୟସ ମାତ୍ର ୨ବର୍ଷ। ପତ୍ନୀ ମିରା ଦେବୀ ଏବେ ଗର୍ଭବତୀ। ଏଭଳି ସମୟରେ ଧର୍ମଦେବ ଆରପାରିକୁ ଚାଲିଯିବାରୁ ପରିବାର ଉପରେ ଦୁଃଖର ବାଦଲ ଛାଇ ହୋଇଯାଇଛି। ଧର୍ମଦେବଙ୍କର ଦୁଇ ଭାଇ ଅଛନ୍ତି। ଜଣେ ଭାଇ ୨୦୧୩ରେ ସିଆରପିଏଫରେ ଭର୍ତ୍ତି ହୋଇଥିଲେ। ତାଙ୍କର ପୋଷ୍ଟିଂ ଛତିଶଗଡ଼ରେ ହୋଇଛି। ସବା ସାନ ଭାଇ ଆନନ୍ଦ କୁମାର ବାପା ମାଆଙ୍କ ସହ ଗାଁରେ ରହୁଛନ୍ତି। ତେବେ ଧର୍ମଦେବଙ୍କ ସହିଦ୍ ହେବା ଘଟଣାରେ କେବଳ ପରିବାର ନୁହେଁ ଗାଁ’ରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ଉତ୍ତରପ୍ରଦେଶ ସରକାର ଧର୍ମଦେବଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇ ସମସ୍ତ ସୁବିଧା ଯୋଗାଇ ଦେବାକୁ ୫୦ ଲକ୍ଷ ଟଙ୍କା ସହାୟତ ରାଶି ଘୋଷଣା କରିଛନ୍ତି। ଏହାଛଡା ଜଣଙ୍କୁ ଚାକିରି ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।