ବାରିପଦା : ଅଧୁରା ରହିଲା ପାଟିଲଙ୍କ ପୋଲ ନିର୍ମାଣ ସ୍ୱପ୍ନ

● କଚ୍ଛପ ଗତିରେ ଚାଲିଛି ନୂଆ ପୋଲର ନିର୍ମାଣ କାର୍ଯ୍ୟ ।
● ପାଣିରେ ପଡ଼ିଲା ୨.୪୪ କୋଟିରୁ ଅଧିକ ଟଙ୍କା।
ବାରିପଦା (ଶୋଭନ) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଧୀନ ବ୍ରାହ୍ମଣଗାଁ ପଞ୍ଚାୟତର ଦୋମୁହାଁଣିଠାରେ ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ଝୁଲା ପୋଲ ନିର୍ମାଣର ସ୍ୱପ୍ନ ଅଧୁରା ରହିଗଲା।

ବ୍ରାହ୍ମଣଗାଁ, ସୋରିଷପାଳ ଓ ଚାକିଡ଼ି ଆଦି ପଞ୍ଚୟତରେ ବସବାସ କରୁଥିବା ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କ ଗମନାଗମନର ସୁବିଧା ନିମନ୍ତେ ୨୦୧୫ରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ପାଟିଲ ଏକ ଝୁଲା ପୋଲ ନିର୍ମାଣର ସ୍ୱପ୍ନ ଦେଖିଥିଲେ । ଏହାକୁ ସାକାର କରାଇବା ନିମନ୍ତେ ବାରିପଦା ପିଏ ଆଇଟିଡ଼ିଏ ମାଧ୍ୟମରେ ପ୍ରଥମ କିସ୍ତିରେ ଏକ କୋଟି ୫୦ ଲକ୍ଷ ଓ ପରବର୍ତ୍ତି କିସ୍ତିରେ ୮୦ ଲକ୍ଷ ଟଙ୍କା ମଞ୍ଜୁରୀ ପ୍ରଦାନ କରାଇଥିଲେ ।

ସ୍ଥାନୀୟ ଜନସାଧାରଣ ଗମନାଗମନ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ରହିଆସିଥିବା ସମସ୍ୟାର ସ୍ଥାୟୀ ସମାଧାନ ହୋଇଗଲା ଭାବି ଖୁସୀରେ ଆତ୍ମହରା ହୋଇପଡ଼ିଥିଲେ। ଏହି ପୋଲ ନିର୍ମାଣକୁ ନେଇ ବ୍ରାହ୍ମଣଗାଁ, ସୋରିଷପାଳ ଓ ଚାକିଡ଼ି ଆଦି ପଞ୍ଚାୟତର ଜନସାଧାରଣଙ୍କ ନିକଟରେ ସେହି ସମୟରେ ହିରୋ ପାଲଟି ଯାଇଥିଲେ ପୂର୍ବତନ ଜିଲ୍ଲାପାଳ ଶ୍ରୀପାଟିଲ। ପୋଲଟି ନିର୍ମାଣ ହେଲା ସତ୍। ହେଲେ ପୋଲର ଦୁଇ ମୁଣ୍ଡର ପିଲର ସହିତ ରାସ୍ତାକୁ ସଂଯୋଗ କରାଯାଇ ପାରିଲା ନାହିଁ। ଫଳରେ ବର୍ଷା ଋତୁରେ ନଦୀରେ ବନ୍ୟା ଆସି ପୋଲର ଗୋଟାଏ ପାଶ୍ୱର୍କୁ ଧୋଇ ନେଇ ଗଲା। ଫଳରେ ଝୁଲା ପୋଲଟି ନଦୀର କୂଳକୁ ସ୍ପର୍ଶ ନକରି ଏବେ ନଦୀ ମଝିରେ ରହିଛି। ଜନସାଧାରଣ କାର୍ଯ୍ୟରେ ଆସିବା ପୂର୍ବରୁ ପାଣିରେ ପଡ଼ିଗଲା ଆଦିବାସୀମାନଙ୍କ ଉନ୍ନୟନ ନିମନ୍ତେ ଆସିଥିବା ଏ ସମସ୍ତ ଟଙ୍କା ।

ପୁଣି ପରବର୍ତ୍ତି ସମୟରେ ପୋଲର ଦୁଇ ପାଶ୍ୱର୍ରେ ଥିବା ଦୁଇଟି ପିଲର ସହିତ ପ୍ରାୟ ୨ ଶହ ମିଟରର ବାକି ରହିଯାଇଥିବା ରାସ୍ତାକୁ ସଂଯୋଗ କରାଇବା ନିମନ୍ତେ ଜଳ ସମ୍ପଦ ବିଭାଗ ପକ୍ଷରୁ ନାବାର୍ଡ଼ ସହାୟତାରେ ୧୪ ଲକ୍ଷ ୫୫ ହଜାର ଟଙ୍କା ୩୦୦ ଟଙ୍କା ମଞ୍ଜୁରୀ ପ୍ରଦାନ କରିଥିଲେ। ମଝି ନଦୀରେ ଝୁଲି ଥିବା ପୋଲକୁ ସଂଯୋଗ କରାଇବା ନିମନ୍ତେ ଅସ୍ଥାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ମାତ୍ର ପୁଣି ଥରେ ଜନତାଙ୍କ କାର୍ଯ୍ୟରେ ଆସିବା ପୂର୍ବରୁ ବନ୍ୟାରେ ଧୋଇ ନେଇଗଲା । ଫଳରେ ପାଣିରେ ପଡ଼ି ଗଲା ମୋଟ ୨କୋଟି ୪୪ ଲକ୍ଷ ୫୫ ହଜାର ୩୦୦ ଟଙ୍କା ।

ଏବେ ଯାହା ଦେଖାଯାଉଛି ଦୋମୁହାଁଣି ନଦୀ ଘାଟରେ ପୋଲ ନିର୍ମାଣ କେତେକ ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ନିମନ୍ତେ ସୁନା ଅଣ୍ଡା ଦିଆ କୁକୁଡ଼ା ପାଲଟିଛି। ପୋଲର ନିର୍ମାଣ କାର୍ଯ୍ୟର ମୁଣ୍ଡ ଧରୁ ନ ଥିବାରୁ କେବଳ ଖର୍ଚ୍ଚ ହୋଇ ଚାଲିଛି କୋଟି କୋଟି ଟଙ୍କା । ଦୋମୁହାଁଣି ଛକରେ ଝୁଲା ପୋଲ ନଦୀ ଗର୍ଭରେ ଝୁଲନ୍ତା ଅବସ୍ଥାରେ ରହିଥିବା ବେଳେ ଉକ୍ତ ନଦୀ ଘାଟରେ ୨୦୧୯ ମାର୍ଚ୍ଚରେ ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୁଣି ଅନ୍ୟ ଏକ ନୂତନ ପୋଲର ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇ ଦେଇଥିଲା । ସରକାରୀ ମାଲ ଦରିଆ ମେ ଡ଼ାଲର ଜ୍ୱଳନ୍ତ ଉଦାହରଣ ବୋଲି ଜନସାଧାରଣରେ ଆଲୋଚନା ହେଉଛି।

ସବୁଠାରୁ ବଡ କଥା ହେଲା ପୋଲର ଭିତ୍ତିପ୍ରସ୍ତର ସ୍ଥାପନକୁ ଏକ ବର୍ଷ ୭ ମାସରୁ ଅଧିକ ସମୟ ଅତୀତ ହୋଇ ସାରିଲାଣି। କେବଳ ୬ଟି ସ୍ପାନ ବିଶିଷ୍ଟ ନୂତନ ପୋଲର ନିର୍ମାଣ କାର୍ଯ୍ୟ ମଧ୍ୟରୁ ମାତ୍ର ଗୋଟାଏ ସ୍ପାନ ଅଧା ନିର୍ମିତ ଅବସ୍ଥାରେ ରହିଛି । ଏଠାରେ ଜନସାଧାରଣଙ୍କ ସାମୂହିକ ସ୍ୱାର୍ଥ ପ୍ରତି କାହାରି ନଜର ନାହିଁ । ବର୍ଷ ବର୍ଷ ଧରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଲୋକମାନେ ନଦୀ ପାର ହେଉଥିବା ବେଳେ ସରକାର, ସରକାରୀ କଳ ଓ ନେତା ଜନସାଧାରଣଙ୍କ ବିକାଶକୁ ଢ଼ାଲ କରି ସାଧାରଣ ଜନତାଙ୍କ ଅର୍ଥକୁ କେବଳ ଅପଚୟ କରାଇବାରେ ଲାଗିଛନ୍ତି । ଯାହା ଫଳରେ ପୋଲର ନିର୍ମାଣ ସହ ଅର୍ଥର ବରବାଦିକୁ ନେଇ ସୁଶୀଳ ପୃଷ୍ଟି, ଭାଜୁ ମାର୍ଣ୍ଡି, ରାମଚନ୍ଦ୍ର ହାଁସଦାଃ, ପ୍ରଦୀପ ମହାକୁଡ଼ ପ୍ରମୁଖ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସମେତ ବିଭିନ୍ନ ମହଲରୁ ସରକାରଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ।

ମତାମତ ଦିଅନ୍ତୁ ।