ବାରିପଦା : ନେତା ଭୁଲିଗଲେ ସାମାଜିକ ଦୂରତା

ରାଜ୍ୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି। ଏହା ଏକ ମହତ କାର୍ଯ୍ୟ। ଆଉ ସ୍ଵାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏସବୁରେ ସାମାଜିକ ଦୂରତା ରକ୍ଷା କରାଯାଉନି। ଖୋଲାଖୋଲି ଏହାର ଉଲଂଘନ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ। ନିୟମ ଭାଙ୍ଗିଛନ୍ତି ନେତା ଓ କର୍ମୀ। ଜିଲ୍ଲାର କରୋନା ସଂକ୍ରମଣ ବଢୁଥିବା ବେଳେ ସେଥିପାଇଁ ଏମାନଙ୍କର ତିଳେମାତ୍ର ଚିନ୍ତା ନାହିଁ।

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା କଟକଣା ମାନିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବାରମ୍ବାର ଅନୁରୋଧ କରୁଛନ୍ତି। ହେଲେ ମୟୁରଭଞ୍ଜ ନେତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧର ପ୍ରଭାବ ପଡୁଥିବା ମନେ ହେଉନାହିଁ। କରୋନା ସମୟରେ ରାଜ୍ୟରେ ରକ୍ତ ଅଭାବ ଦେଖାଦେଇଛି। ଏହାକୁ ପୂରଣ ପାଇଁ ମୋ-ପରିବାର ଦ୍ୱାରା ରକ୍ତଦାନ ଶିବିର ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାକୁ ଗ୍ରହଣ କରି ମୟୁରଭଞ୍ଜ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ତଥା ବିଜୁ ଭବନରେ କ୍ରାନ୍ତି ଦିବସରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ହେଲେ ଏହି ଶିବିରରେ ସାମାଜିକ ଦୂରତା ନିୟମକୁ କେହି ମାନିଥିବା ଦେଖିବାକୁ ମିଳିଲାନି। ନେତା ଓ କର୍ମୀ ସମସ୍ତେ ନିୟମ ଉଲଂଘନ କରିଥିବା ଦେଖିବାକୁ ମିଳିଲା।

ମୟୂରଭଞ୍ଜରେ କେବଳ ରକ୍ତଦାନ ଶିବିର ନୁହେଁ ପୂର୍ବରୁ ଏପରି ନିୟମ ଉଲଂଘନ ନେଇ ଅଭିଯୋଗ ଉଠିଛି। ତଥାପି ନେତାଙ୍କର ଚେତା ପଶୁନି। ସବୁ ଜାଣିବା ପରେ ମଧ୍ୟ ବିଜୁ ଭବନରେ ଆୟୋଜିତ ରକ୍ତଦାନ ଶିବିରରେ ଦଳର ବରିଷ୍ଠ ନେତା, ଛାତ୍ର ନେତା, ଯୁବ ନେତା ଓ ମହିଳା ନେତ୍ରୀମାନେ ସାମାଜିକ ଦୂରତା ନିୟମକୁ ଭାଙ୍ଗିଲେ। କେହି କରୋନା ଭୟାବହତା କଥା ଚିନ୍ତା କଲେନି। କେବଳ ସାମାଜିକ ଦୂରତା ନୁହେଁ ମାସ୍କ ବ୍ୟବହାରରେ ସମାନ ଘଟଣା ପରିଲକ୍ଷିତ ହୋଇଛି। ଏହାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ। ଲୋକେ କହୁଛନ୍ତି ନିୟମ ଉଲଂଘନ ପାଇଁ ଆମଠାରୁ ଫାଇନ ଆଦାୟ କରାଯାଉଛି। ନେତା ଓ କର୍ମୀମାନେ ନିୟମ ଭାଙ୍ଗିଲେ ପ୍ରଶାସନ ଚୁପ ରହୁଛି କାହିଁକି ?

ମତାମତ ଦିଅନ୍ତୁ ।