ବରିଷ୍ଠ ଅଭିନେତା ଅଜିତ ଦାସଙ୍କ ଶେଷକୃତ୍ୟ ସଂପନ୍ନ

ଭୁବନେଶ୍ଵର : ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ଅଜିତ ଦାସଙ୍କର ଆଜି ରାଜଧାନୀ ଭୁବନେଶ୍ଵରର ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ବଡ଼ ଝିଅ ମୁଖାଗ୍ନି ଦେଇଥିଲେ।

ରବିବାର ଚିକିତ୍ସାଧୀନ ଅବସ୍ଥାରେ ଅଜିତ ଦାସଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୭୧ ବର୍ଷ। ସେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ୧୯୪୯ ମସିହା ଜାନୁଆରି ୨୦ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ। ‘ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ରୁ ଅଭିନୟରେ ଡିପ୍ଲୋମା କରିବା ପରେ ୧୯୭୬ ମସିହାରେ ତାଙ୍କୁ ‘ସିନ୍ଦୂର ବିନ୍ଦୁ’ ଚଳଚ୍ଚିତ୍ରରେ ପ୍ରଥମେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ‘ଅଭିମାନ’, ‘ଗୌରୀ’, ବଳିଦାନ’, ‘ଗୋଲାମଗିରି’, ‘ଏ ନୁହେଁ କାହାଣୀ’, ‘ଫୁଲଚନ୍ଦନ’, ‘ହାକିମବାବୁ’, ‘ସହରୀବାଘ’, ‘ମମତାର ଡୋରି’, ‘ଏଇ ତ ଦୁନିଆ’, ‘ତୁଣ୍ଡବାଇଦ’, ‘ମୁଁ ତୁମେ ଓ ସେ’, ‘ପ୍ରେମଋତୁ ଆସିଲାରେ’, ‘ଆମ ଭିତରେ କିଛି ଅଛି’ ଓ ‘ଅଭିମନ୍ୟୁ’ ଭଳି ପ୍ରାୟ ୭୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ। ‘ଅଜିତ’ ନାମରେ ଏକ ନାଟ୍ୟ ସଂସ୍ଥା ସ୍ଥାପନ କରି ସେ ବହୁ ନୂତନ କଳାକାର ସୃ‌ଷ୍ଟି କରିଛନ୍ତି।

ମତାମତ ଦିଅନ୍ତୁ ।