ବରିଷ୍ଠ ନାଗରିକଙ୍କ ସେବା ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ ହେଉ

ଭୁବନେଶ୍ୱର : ଓଡ଼ିଶା ଇଣ୍ଟରନ୍ୟାସ୍ନାଲ୍ ସେଣ୍ଟର ପକ୍ଷରୁ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ବରିଷ୍ଠ ନାଗରିକ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ୭୦ ବର୍ଷରୁ ଅଧିକ ୨୫ଜଣ ବରିଷ୍ଠ ନାଗରିକଙ୍କୁ ମାନପତ୍ର, ପୁଷ୍ପମାଲ୍ୟ ଓ ସାଲ୍ ଦେଇ ସମ୍ବର୍ଦ୍ଧନା କରାଯାଇଛି।
ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ବରିଷ୍ଠ ଅବସରପ୍ରାପ୍ତ ଆଇ.ପି.ଏସ୍. ଅଫିସର ଅରୂପ ପଟ୍ଟନାୟକ, ଡକ୍ଟର ଗିରିଶ ଚନ୍ଦ୍ର ଶତପଥି, ସମାଜସେବୀ ରୁଦ୍ର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ଇଣ୍ଟରନ୍ୟାସ୍ନାଲ୍ ସେଣ୍ଟର ପକ୍ଷରୁ

ପ୍ରତିବର୍ଷ ୧୦୦ ଜ୍ଣ ବରିଷ୍ଠ ନାଗରିକଙ୍କୁ ଭୁବନେଶ୍ୱର, କଟକ ଓ ପୁରୀଠାରେ ସମ୍ବର୍ଦ୍ଧିତ କରାଯାଏ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସୂର୍ଯ୍ୟ ନାରାୟଣ ପାତ୍ର ବରିଷ୍ଠ ନାଗରିକଙ୍କ ସେବା ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ ବୋଲି ମତ ଦେଇଥିଲେ। ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ନାମକରଣ ଆନନ୍ଦ ମହୋତ୍ସବ ହୋଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ବରିଷ୍ଠ ନାଗରିକଙ୍କର ସେବା କଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଈଶ୍ୱରଙ୍କ ଆଶୀର୍ବାଦ ମିଳିବ ବୋଲି ସେ କହିଥିଲେ।
ଆଜିର କାର୍ଯ୍ୟକ୍ରମରେ ରୋଟାରିଆନ୍ ଓ ବିଶିଷ୍ଟ ଉଦ୍ୟୋଗପତି ତାରିଣୀ ପ୍ରତାପ ମହାନ୍ତିଙ୍କୁ “ଜାତୀୟ ସଂହତି” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅରୂପ ପଟ୍ଟନାୟକ ଓଡ଼ିଶା ଇଣ୍ଟରନ୍ୟାସ୍ନାଲ୍ ସେଣ୍ଟରର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି କହିଥିଲେ ବରିଷ୍ଠ ନାଗରିକ ସେବା ସର୍ବାଗ୍ରେ । ଲୋକମାନେ ଆମର ବରିଷ୍ଠ ନାଗରିକମାନଙ୍କୁ ଯଥୋଚିତ ସମ୍ମାନ ଓ ସହାୟତା କରିବା ଆବଶ୍ୟକ । ଡକ୍ଟର ଗିରିଶ ଚନ୍ଦ୍ର ଶତପଥି ମତ ଦେଇଥିଲେ ବରିଷ୍ଠ ନାଗରିକମାନଙ୍କ ପାଇଁ ହସ୍ପିଟାଲ୍, ବସ୍ଷ୍ଟାଣ୍ଡ, ବଡ଼ ବଡ଼ ମଲ ଓ ଜନସମାଗମ ସ୍ଥାନରେ ସ୍ୱତନ୍ତ୍ର ସୁବିଧା ମିଳିବା ଆବଶ୍ୟକ। ଆମର ନାଗରିକମାନେ ବରିଷ୍ଠ ନାଗିରିକଙ୍କୁ ଶ୍ରଦ୍ଧା ଓ ସମ୍ମାନ ସ୍ୱତଃପ୍ରବୃତ୍ତ ଭାବେ କରିବା ଆବଶ୍ୟକ । ଅନ୍ୟତମ ଅତିଥି ସମାଜସେବୀ ରୁଦ୍ର ସାମନ୍ତରାୟ ବରିଷ୍ଠ ନାଗରିକଙ୍କ ପାଇଁ ବହୁବିଧ କାର୍ଯ୍ୟକ୍ରମ କରିବା ପାଇଁ ମତ ଦେଇଥିଲେ ।
ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ସଂଗୀତ ଗୁରୁ ଡଃ ଦାମୋଦର ହୋତା, ବିଶିଷ୍ଟ ସାହିତ୍ୟିକ ପ୍ରଫୁଲ୍ଲ ରଥ, ବିଶିଷ୍ଟ ବ୍ୟବସାୟୀ ବିନୟ ଚୌଧୁରୀ ବିଶିଷ୍ଟ ସମାଜସେବୀ ରବି ନାରାୟଣ ଦାସ ଚୌଧୁରୀ ପ୍ରଭୁତିଙ୍କୁ ସମ୍ମିାନିତ କରାଯାଇଥିଲା । ବିଶିଷ୍ଟ ଆଇନ୍ଜୀବୀ ପ୍ରଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶା ଇଣ୍ଟରନ୍ୟାସ୍ନାଲ୍ ସେଣ୍ଟର ସଭାପତି ପରେଶ ନାୟକ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଶ୍ରୀମତୀ ସୁନୀତା ମହାପାତ୍ର ବରିଷ୍ଠ ନାଗରିକମାନଙ୍କର ନାମ ଘୋଷଣା କରିଥିଲେ । ଭାବଗ୍ରାହୀ ଶାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।