ବଟିମାଗି ଗିରଫ ହେଲେ ୱେବ୍ ଚ୍ୟାନେଲ୍‌ର ୬ ଜଣ

ଭୁବନେଶ୍ୱର : ଘିଅ କମ୍ପାନିର ମାଲିକଙ୍କୁ ଖବର ପ୍ରସାରଣ କରିଦେବାର ଧମକ ଦେଇ ଚାନ୍ଦା ଆଦାୟ କରୁଥିବା ଡ୍ରାଇଭରକୁ ମିଶାଇ ୬ ଜଣଙ୍କୁ କମିସନରେଟ ପୋଲିସ ଗିରଫ୍ କରିଛି। ଏମାନେ ୨ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା କମ୍ପାନିର ମାଲିକ ଅଭିଯୋଗ କରିଛି।

ଭୁବନେଶ୍ୱର ଡିସିପି ଉମାଶଂକର ଦାଶଙ୍କ ସୂଚନା ଅନୁଯାୟୀ ଗିରଫ ହୋଇଥିବା ୬ ଜଣ ଯାକ ବିଭିନ୍ନ ୱେବ୍ ଚ୍ୟାନେଲ ପାଇଁ କାମ କରୁଥିଲେ। ଜଣେ ଘିଅ କମ୍ପାନିର ମାଲିକଙ୍କ ବିରୋଧରେ ଖବର ପ୍ରସାରଣ କରିଦେବାର ଧମକ ଚମକ୍ ଦେଇ ତାଙ୍କ ଠାରୁ ୨ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ଆଦାୟ କରିଛନ୍ତି। ଏ ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ୍ କରାଯାଇଥିବା ବେଳେ ୨ ଟିଗାଡି ଜବତ୍ ହୋଇଛି। ଏହାଛଡା ସେମାନେ କାମ କରୁଥିବା ଚ୍ୟାନେଲର କାର୍ଯ୍ୟାଳୟ ଉପରେ ଚଢଉ ହୋଇଥିବା ବେଳେ ଏ ନେଇ ବିଧିବଦ୍ଧ ଭାବେ ତଦନ୍ତ କରାଯାଉଛି ବୋଲି ଡିସିପି କହିଛନ୍ତି। ଏହାପରେ ଅଣ- ପଞ୍ଜିକୃତ ୱେବ୍ ଚ୍ୟାନେଲମାନଙ୍କର ଏକ ଡାଟା ପ୍ରସ୍ତୁତ ସହ ଆଉ ୧୫ ଜଣ ୱେବ୍ ଦଲାଲଙ୍କ ତାଲିକା ତିଆରି କରାଯାଇଛି।

ମତାମତ ଦିଅନ୍ତୁ ।