ବୟାନ ପାଇଁ ବିବାଦରେ ଲେଖାଶ୍ରୀ : ବିଜେଡି ନେତା କହିଲେ କଳାପାହାଡ଼ଙ୍କ ଭଉଣୀ, କଂଗ୍ରେସ ପୁରୀରେ ଏତଲା ଦେଲା

ଭୁବନେଶ୍ଵର : ପୁରୀ ଓ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସଂପର୍କରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦେଇଥିବା ମନ୍ତବ୍ୟ ତାଙ୍କ ପାଇଁ ଅଡୁଆ ବଢାଇଛି। ୨୦୧୯ ନିର୍ବାଚନରେ ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବା ପରେ ଶ୍ରୀଜଗନ୍ନାଥ ପୁରୀରେ ଅଧିଷ୍ଠିତ ଲୋକ ଜାଣିଲେ। ନଚେତ୍ ପୂର୍ବରୁ ଲୋକେ ଜାଣିଥିଲେ ଶ୍ରୀଜଗନ୍ନାଥ କୋଲକାତାର। ଏହାର ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ଚାରିଆଡୁ ସମାଲୋଚନର ଶିକାର ହୋଇଛନ୍ତି ଲେଖାଶ୍ରୀ। ଏହି ପ୍ରସଙ୍ଗକୁ ନେଇ ବିଜେଡି ତାଙ୍କୁ ଘେରିଥିବା ବେଳେ କଂଗ୍ରେସ ତାଙ୍କ ନାଁରେ ପୁରୀରେ ଏତଲା ଦେଇଛି।

ବର୍ତ୍ତମାନ ବିଭିନ୍ନ ମହଲରେ ଆଲୋଚନା ହେଉଛି ସମ୍ବିତ ପାତ୍ରଙ୍କୁ ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ପୁରୀର ପରିଚୟ ବୋଲି ଲେଖାଶ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା କଦାପି ଗ୍ରହଣୀୟ ନୁହେଁ। କେନ୍ଦ୍ରୀୟ ନେତାଙ୍କୁ ଖୁସି କରିବାକୁ ଅନ୍ୟ କିଛି କୁହାଯାଇ ପାରିଥାନ୍ତା। ହେଲେ ଏପରି କହିବା ଲେଖାଶ୍ରୀଙ୍କ ଓଡିଶା ଉପରେ ଥିବା ଧାରଣାକୁ ପଦାରେ ପକାଇଛି। କାରଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ଓଡ଼ିଶାକୁ ସମସ୍ତେ ଜାଣନ୍ତି। ସଂକ୍ଷେପରେ ଧାର୍ମିକ କଥା କୁହାଗଲେ ପୁରୀ ଓ ଜଗନ୍ନାଥଙ୍କ ସମ୍ପର୍କରେ କୌଣସି ସାଧୁସନ୍ଥ କଳନା କରିପାରି ନାହାନ୍ତି। ଏହାଛଡା ଚାରିଧାମ ମଧ୍ୟରୁ ପୁରୀ ହେଉଛି ଗୋଟିଏ ଧାମ ଯେଉଁଠି ଶଙ୍କରାଚାର୍ଯ୍ୟ ଅଛନ୍ତି। କେବଳ ସେତିକି ନୁହେଁ ଏହିପରି ଅନେକ କଥା ରହିଛି ଯେଉଁଥି ପାଇଁ ପୁରୀର ରହିଛି ସ୍ଵତନ୍ତ୍ର ପରିଚୟ। କିନ୍ତୁ ମାଡାମ ଲେଖାଶ୍ରୀ ପୁରୀ ପରିଚୟ ପାଇଁ ସମ୍ବିତ ପାତ୍ରଙ୍କ ନାଁ ଯୋଡି ଅକ୍ଷମଣୀୟ ଭୁଲ କରିଛନ୍ତି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ବିଜେଡି ନେତା ଅରୁପ ପଟ୍ଟନାୟକ ଲେଖାଶ୍ରୀଙ୍କ ଉଦ୍ଦେଶ୍ୟରେ କଡା କଥା ଶୁଣାଇଛନ୍ତି। ଅରୁପ କହିଛନ୍ତି ଶ୍ରୀ ଜଗନ୍ନାଥ ଓଡିଶାର ପରିଚୟ ହୋଇଥିବା ବେଳେ ଏହି ଭଦ୍ର ମହିଳା କଳାପାହାଡ଼ଙ୍କ ଭଉଣୀଙ୍କ ଭଳି କଥା କହୁଛନ୍ତି। ଆଉ ଜଷ୍ଟିସ୍ କାଟଜୁ ଓ ଅଭିଜିତ ଆୟାରଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଜାତୀୟ ଦଳ ଭାବେ ବିଜେପି ଏହାକୁ ସହ୍ୟ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ସାରା ବିଶ୍ଵର ନାଥ ଜଗନ୍ନାଥ। ସେ ଓଡିଆଙ୍କ ଆରାଧ୍ୟ। ଶ୍ରୀଜଗନ୍ନାଥଙ୍କ ସହ ସମ୍ବିତ ପାତ୍ରଙ୍କୁ ଯୋଡ଼ିବା ହୀନ କଥା। ସେହିପରି ପୁରୀ ଯୁବ କଂଗ୍ରେସ ପକ୍ଷରୁ ପୁରୀ ଟାଉନ ଥାନାରେ ଲେଖାଶ୍ରୀଙ୍କ ବିରୋଧରେ ଏତଲା ଦିଆଯାଇଛି। ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଲେଖାଶ୍ରୀ କ’ଣ କହିଛନ୍ତି ତାହା ସ୍ପଷ୍ଟ ହୋଇନି। ଯଦି ସେ ଏମିତି କହିଥାନ୍ତି ତେବେ ଦୁଃଖ ପ୍ରକାଶ କରିବା ଉଚିତ୍।

ବକ୍ତବ୍ୟକୁ ନେଇ ବିବାଦ ଉପୁଜିବାକୁ ଲେଖାଶ୍ରୀ ଟ୍ଵିଟ୍ କରି ପ୍ରତିକ୍ରିୟା ଦେଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଓଡିଆ ସଂସ୍କୃତି, ପରମ୍ପରା କ୍ଷୁର୍ଣ୍ଣ ପାଇଁ ଷଡଯନ୍ତ୍ର ଚାଲିଛି। କିଛି ନ୍ୟସ୍ତ ସ୍ଵାର୍ଥ ବ୍ୟକ୍ତି ଓ ଦଳ ଷଡଯନ୍ତ୍ର କରୁଛନ୍ତି। କୋଭିଡ୍ କଟକଣାରେ ଦେଶବ୍ୟାପୀ ମନ୍ଦିର ଖୋଲିଲାଣି। କୋଭିଡ୍ ବାହାନା ଦେଖାଇ ସରକାର ଶ୍ରୀମନ୍ଦିର ଖୋଲୁ ନାହାନ୍ତି। କାହିଁକି ପୁରୀ ମନ୍ଦିର ଖୋଲୁନି ତାହା ସ୍ପଷ୍ଟ ହେବା ଦରକାର। ରଥଯାତ୍ରା ବନ୍ଦ ପାଇଁ ଷଡଯନ୍ତ୍ର ହୋଇଥିଲା। ପ୍ରଭୁ ନିଜେ ନିଜ ରଥ ଯାତ୍ରା କଲେ। ଏବେ ପ୍ରଭୁ ନିଜେ ମନ୍ଦିର ଖୋଲାଇବେ। ଏହାଛଡା ସେ ଗଣମାଧ୍ୟମକୁ କହିଛନ୍ତି ତାଙ୍କ ଭିଡଓକୁ ପୁରା ନଦେଖି ଗୋଟିଏ ଲାଇନକୁ ନେଇ ବିବାଦ କରାଯାଉଛି।

ମତାମତ ଦିଅନ୍ତୁ ।