ବୟସ୍କଙ୍କ ଚିନ୍ତା

।। ଗୋପାଳ ମହାପାତ୍ର ।। ଏବେ ଦେଶରେ ଭୟ ଏବଂ ଅନିଶ୍ଚିତତାର ସମୟ ଚାଲିଛି ଓ ସବୁ ବୟସର, ସବୁ ଜାତିର ଏବଂ ସବୁ ପେଶାର ଲୋକେ ପ୍ରଭାବିତ ହୋଇଛନ୍ତି। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅଧିକ ଭାବେ ପ୍ରଭାବିତ ହେଉଛନ୍ତି। ଏହିମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ କମ୍ ବୟସରେ କରୋନା ଯୋଗୁଁ ପିତାମାତାଙ୍କୁ ହରାଇ ଅନାଥ ହୋଇଛନ୍ତି ଏବଂ ପରିଣତ ବୟସରେ ଉପନୀତ ହେବାପରେ ଅସହାୟ ହୋଇ ପଡ଼ିଥିବା ପୁରୁଷ ଓ ମହିଳା (ମା-ବାପା)।

ଆମ ସଂସ୍କୃତିରେ ପିତା ଧର୍ମ ପିତାସ୍ୱର୍ଗ କଥା କୁହାଯାଏ। ଜନନୀ ବା ମା’ଙ୍କୁ ସ୍ୱର୍ଗଠାରୁ ବଡ଼ ବୋଲି କୁହାଯାଏ। ଏପରିକି ଜନ୍ମଦାତ୍ରୀ ମାତା ଓ ପିତାଙ୍କ ଋଣ ଶୁଝାଯାଇପାରେନାହିଁ ବୋଲି କୁହାଯାଇଥାଏ । ଯେଉଁ ମାତା ପିତା ଆମକୁ ଜନ୍ମ ଦେଇ ବର୍ଷ ବର୍ଷ ଧରି ଆମର ଲାଳନ ପାଳନ କରିଥାନ୍ତି ସେମାନଙ୍କ ପରିଣତ ବୟସରେ ଆମେ ସେମାନଙ୍କ ଯତ୍ନ ନେବା ଉଚିତ। ସେମାନଙ୍କ ସ୍ୱାସ୍ଥ୍ୟ ତଥା ମନୋବଳକୁ ବଢ଼ାଇବା ଆବଶ୍ୟକ। ଏ ସବୁ ଏକ ସାମାଜିକ ଦାୟିତ୍ୱ ଏବଂ ଆଇନ ଅନୁସାରେ ମଧ୍ୟ ବାଧ୍ୟତାମୂଳକ। କିନ୍ତୁ ଦେଖାଯାଉଛି ଯେ ଅନେକ ଏହି ସାମାଜିକ ଦାୟିତ୍ୱ ତୁଲାଇବାରେ ଅବହେଳା କରୁଛନ୍ତି। ବର୍ତ୍ତମାନର କରୋନା ସମୟରେ ବୃଦ୍ଧ ଜନମାନଙ୍କର ଯତ୍ନ ନେବା ଅପରିହାର୍ଯ୍ୟ।

ଆମ ଦେଶ ଭାରତ ବର୍ଷରେ ଏବେ ୧୪ କୋଟିରୁ ଅଧିକ ବୃଦ୍ଧବୃଦ୍ଧା ଅଛନ୍ତି ବୋଲି ସରକାରୀ ତଥ୍ୟ କହୁଛି। ବିଶ୍ୱରେ ବୃଦ୍ଧ ଜନଙ୍କ ସଂଖ୍ୟା ଅନୁସାରେ ଭାରତ ୨ୟ ସ୍ଥାନରେ ରହିଛି  । ଏଇ କରୋନା ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ବଢ଼ିଯାଇଛି। ଏହାର ଅନେକ କାରଣ ରହିଛି। ପ୍ରଥମ କାରଣ ହେଉଛି ଯଦି ସେମାନଙ୍କୁ କରୋନା ସଂକ୍ରମଣ କଲା ତେବେ କ’ଣ ହେବ ? ସେମାନେ କେଉଁଠି ରହିବେ ? କିଏ ସେମାନଙ୍କ ଦେଖାଶୁଣା କରିବ ? କରୋନା ସଂକ୍ରମଣରୁ ସେମାନେ ସୁସ୍ଥ ହେବେ ନା ନାହିଁ ? କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସେମାନଙ୍କୁ ସାମାଜିକ ଦୂରତା ନିୟମ ପାଳନ କରିବାକୁ ହେବ। ଏହା ଫଳରେ ସେମାନେ ନିଜକୁ ଏକୁଟିଆ ବୋଲି ମନେ କରିବେ।

ଅନ୍ୟପକ୍ଷରେ କରୋନା କାରଣରୁ ସେମାନଙ୍କ ବୃଦ୍ଧକାଳର ଆଶାବାଡ଼ି ଭାଙ୍ଗିଯିବାର ଚିନ୍ତା ସେମାନଙ୍କୁ ଘାରିବ ନିଶ୍ଚୟ। ଅର୍ଥାତ କରୋନା ଯୋଗୁଁ ଯଦି ସେମାନଙ୍କ ପିଲାଙ୍କ ମୃତ୍ୟୁ ହୁଏ ତେବେ କିଏ ତାଙ୍କ ସେବା କରିବ ? ଏ ସବୁ କଥା କାଳ୍ପନିକ ନୁହେଁ। ଏ ପ୍ରସଙ୍ଗରେ ବିମର୍ଶ କରିବା ସମୟରେ ଆମେ ଭୁଲଇଯିବା ଉଚିତ ନୁହେଁ ଯେ ମୃତ୍ୟୁ ଏକ ଏଭଳି କ୍ଷତି ଯାହା ପରିବାରକୁ ପ୍ରଭାବିତ କରିବା ସହ ପୁରା ଦେଶକୁ ମଧ୍ୟ ପ୍ରଭାବିତ କରିଥାଏ। ଯଦି କୌଣସି ପରିବାରର ଯୁବ ସଦସ୍ୟଙ୍କର ମୃତ୍ୟୁ ହୋଇଯାଏ ତେବେ ସେ ପରିବାରର ପିଲାମାନେ ଏବଂ ବୟସ୍କ ବୃଦ୍ଧ ପିତାମାତା ପ୍ରଭାବିତ ହୋଇଥାନ୍ତି। କ୍ଷତି ସେମାନଙ୍କର ହିଁ ହୋଇଥାଏ।

ଆମ ଦେଶର ସମ୍ବିଧାନର ଅନୁଚ୍ଛେଦ ୧୫ (୩)ରେ ମହିଳା ଏବଂ ଶିଶୁମାନଙ୍କୁ ଦୁର୍ବଳ ବର୍ଗର ବୋଲି ଆକ୍ଷା ଦିଆଯାଇଛି ଓ ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରମାନେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିପାରିବେ ବୋଲି ମଧ୍ୟ କୁହାଯାଇଛି। ଏବେ ଦେଶରେ ଯେଉଁ ୧୪ କୋଟିରୁ ଅଧିକ ବୃଦ୍ଧଜନ ଅଛନ୍ତି ସେମାନେ କ’ଣ ଦୁର୍ବଳ ବର୍ଗର ନୁହଁନ୍ତି ? ସେମାନଙ୍କୁ ଅନୁଚ୍ଛେଦ ୧୫ (୩)ରେ ସାମିଲ କରାଯାଉନାର୍ହି କାହିଁକି ? ଏମାନଙ୍କ ସୁରକ୍ଷା ପାଇଁ ଠୋସ୍ ନୀତି ମଧ୍ୟ ନିର୍ଦ୍ଧାରଣ କରାଯିବା ଉଚିତ। ବୟସ୍କ ଲୋକଙ୍କ ପାଇଁ ସାମାଜିକ ନ୍ୟାୟ ମନ୍ତ୍ରାଳୟ ବିଭିନ୍ନ ଯୋଜନା କରିଥାଏ। ମାନବାଧିକାର କମିଶନ, ରାଷ୍ଟ୍ରୀୟ ମହିଳା କମିଶନ, ଦଳିତ ବୃଦ୍ଧମାନଙ୍କ ମାମଲାରେ ଅନୁସୂଚୀତ ଜାତି ଓ ଜନଜାତି କମିଶନ, ସଂଖ୍ୟାଲଘୁ ବୃଦ୍ଧଜନଙ୍କ ମାମଲାରେ ସଂଖ୍ୟାଲଘୁ କମିଶନ ହସ୍ତକ୍ଷେପ କରିଥାଏ। ବୃଦ୍ଧ ଜନମାନଙ୍କ ଦେଖାଶୁଣା କରିବା ପାଇଁ ଦେଶରେ ଅନେକ ଗୁଡ଼ିଏ ବେସରକାରୀ ସଂଗଠନ କାର୍ଯ୍ୟ କରୁଛି। ଏମାନଙ୍କୁ କିପରି ଅଧିକ ସୁବିଧା ସୁଯୋଗ ମିଳିବ ସେ ବାବଦରେ ସରକାର ଚିନ୍ତା କରିବା ଆବଶ୍ୟକ। ବୃଦ୍ଧ ଜନମାନଙ୍କ ବାବଦରେ ସବିଶେଷ ତଥ୍ୟ ମଧ୍ୟ ରଖାଯିବା ଆବଶ୍ୟକ।

ବୟସ୍କ ବା ବୃଦ୍ଧ ଜନମାନଙ୍କ ଦେଖାଶୁଣା ଓ ସୁରକ୍ଷା ପାଇଁ ବିଶ୍ୱସ୍ତରରେ, ଜାତୀୟସ୍ତରରେ କାର୍ଯ୍ୟରତ ବିଭିନ୍ନ ସଂସ୍ଥା ଅନେକ ପରାମର୍ଶ ମଧ୍ୟ ଦେଉଛନ୍ତି। ପ୍ରତି ଜିଲ୍ଲାରେ ଯେପରି ଶିଶୁ କଲ୍ୟାଣ ବିଭାଗ କାର୍ଯ୍ୟ
କରୁଛି ସେହିଭଳି ବୃଦ୍ଧଜନଙ୍କ ପାଇଁ କାର୍ଯ୍ୟ କରାଯିବା ଉଚିତ। ବୃଦ୍ଧଜନମାନଙ୍କର ମାନସିକ ସ୍ଥିତି ବା
ସନ୍ତୁଳନକୁ ବଜାୟ ରଖିବା ଏବଂ ସାମାଜିକ ସକ୍ରିୟତା ବୃଦ୍ଧି କରିବା ପାଇଁ ପ୍ରୟାସ ମଧ୍ୟ ଅପରିହାର୍ଯ୍ୟ  ।
ବୃଦ୍ଧ ଜନମାନଙ୍କର ସେବା ସୁଶୃକୁ ସୁନିଶ୍ଚିତ ମଧ୍ୟ କରାଯିବା ଆବଶ୍ୟକ।

ଏଠାରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ତଥ୍ୟର ପ୍ରଦାନ ଆବଶ୍ୟକ। ତଥ୍ୟ ଅନୁସାରେ ୨୦୧୮ରେ ସାରା ବିଶ୍ୱରେ ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କର ସଂଖ୍ୟା ଥିଲା ୭୦ କୋଟିରୁ ଅଧିକ। ରିପୋର୍ଟ ଅନୁସାରେ ୨୦୫୦ ସୁଦ୍ଧା ଜନ୍ମରୁ ୪ ବର୍ଷର ଶିଶୁଙ୍କ ସଂଖ୍ୟାର ୨ ଗୁଣ ହେବ ବୟସ୍କଙ୍କ ସଂଖ୍ୟା ଏକ ରିପୋର୍ଟ ଅନୁସାରେ ୨୦୧୭ରେ କେବଳ ଦିଲ୍ଲୀ ଜନସଂଖ୍ୟାର ୮ ପ୍ରତିଶଥ ବୟସ୍କ (୬୦ ବର୍ଷରୁ ଅଧିକ) ବ୍ୟକ୍ତି ଦିଲ୍ଲୀରେ ଥିଲେ। ବୟସ୍କ ବ୍ୟକ୍ତିମାନଙ୍କର ଯେତେ ସମସ୍ୟା ରହିଛି ସେଥିମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ସେମାନଙ୍କର ଏକୁଟିଆ ପଣ। ସାମାଜିକ ଓ ଭାବନାତ୍ମକ ଭାବେ ସେମାନେ ଏକୁଟିଆ ପଣର ଶିକାର ହେଉଛନ୍ତି। ଦେଶରେ ଥିବା ୧୪ କୋଟିରୁ ଅଧିକ ବୟସ୍କମାନଙ୍କ ମଧ୍ୟରୁ ଅଧିକ ଭାବ ଏଭଳି ସମସ୍ୟାରେ ଅଛନ୍ତି। ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥା କାରଣରୁ ପରିବାର ଛୋଟ ହୋଇଯାଉଛି ଓ ବୟସ୍କମାନଙ୍କର ଭୂମିକା ମଧ୍ୟ ହ୍ରାସ ପାଉଛି। ପରିବାରର ଲୋକେ ବୟସ୍କଙ୍କ ସହ ଅଧିକ ସମୟ ବିତାଇ ପାରୁନାହାନ୍ତି। ଆମ ଦେଶରେ ଏବେ ବୟସ୍କମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାକୁ ନେଇ ସମସ୍ୟା ରହିଛି। ଦେଶର ଜନସଂଖ୍ୟା ବଢୁଛି ତା ସହିତ ବୟସ୍କ ଲୋକଙ୍କ ସଂଖ୍ୟା ମଧ୍ୟ ବଢୁଛି ଯାହା ଆଉ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି।

ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪

ସମ୍ବନ୍ଧିତ ଖବର
between image and heading

Comments are closed.