ବାୟୁସେନା ଦିବସରେ ଦମ୍ ଦେଖାଇଲା ରାଫେଲ୍

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଆଜି ପାଳନ କରିଛି ୮୮ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଗାଜିଆବାଦର ହିଣ୍ଡନ ଏୟାରବେସରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ଦେଶକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ରାଫେଲ ଯୁଦ୍ଧ ବିମାନ। ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମରେ ରାଫେଲ ଅଂଶଗ୍ରହଣ କରିଥିଲା।

ଦେଶକୁ ସମ୍ବୋଧିତ କରି ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ ସୁରକ୍ଷାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଆମ ଅଞ୍ଚଳରେ ବିପଦ ବଢ଼ୁଛି। ପଡୋଶୀ ଦେଶ ମାଧ୍ୟମରେ ଆତଙ୍କବାଦୀଙ୍କ ପ୍ରବେଶ ଆଶଙ୍କା ବୃଦ୍ଧି ପାଉଥିବା ସହ ସାଇବର ସ୍ପେସକୁ ନେଇ ଆମେ ନୂଆ ଚ୍ୟାଲେଞ୍ଜର ସାମ୍ନା କରୁଛୁ। ସୀମା ଉପରେ ଏକ ତୀକ୍ଷ୍ଣ ନଜର ରଖି ବାୟୁସେନା ପ୍ରତ୍ୟେକ ଗତିବିଧି ପାଇଁ ନିଜକୁ ପ୍ରସ୍ତୁତ କରୁଛି। ବର୍ତ୍ତମାନର ପରିସ୍ଥିତି ଆମକୁ ଅଧିକ ଶକ୍ତିଶାଳୀ ପ୍ରସ୍ତୁତି ପାଇଁ ସଜାଗ କରିଛି। ବାୟୁସେନା କ୍ରମାଗତ ଭାବରେ ନିଜ ସହ ନୂଆ ନୂଆ ବିମାନ ସାମିଲ କରୁଛି। ଆପାଚେ ଓ ରାଫେଲ ଏହାର ଏକ ଉଦାହରଣ। ଏହାଛଡା ଅନେକ ପୁରୁଣା ବିମାନ ନବୀକରଣ କରାଯାଉଛି ବୋଲି ବାୟୁସେନା ମୁଖ୍ୟ କହିଛନ୍ତି।

ମତାମତ ଦିଅନ୍ତୁ ।