ବାୟୁସେନାରେ ସାମିଲ ହେଲା ରାଫେଲ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ଆଜି ବିଧିବଦ୍ଧ ଭାବେ ଲଢୁଆ ଯୁଦ୍ଧ ବିମାନ ରାଫେଲ୍ ସାମିଲ ହୋଇଛି। ହରିୟାନାର ଅମ୍ବାଲା ଏୟାରବେସ୍‌ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଙ୍କ ସହ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସିଡିଏସ୍ ବିପିନ ରାୱତ, ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆର୍କେଏସ୍ ଭଦୋରିଆ, ପ୍ରତିରକ୍ଷା ସଚିବ ଅଜୟ କୁମାର୍, ଡିଆରଡିଓ ମୁଖ୍ୟ ଜି ସତୀଶ ରେଡ୍ଡୀଙ୍କ ସମେତ ବାୟୁ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଫ୍ରାନ୍ସଠାରୁ ପ୍ରଥମ ପର୍ଯାୟରେ ମିଳିଥିବା ୫ଟି ରାଫେଲ୍ ଜେଟ୍‌କୁ ଗୁରୁବାର ସର୍ବଧର୍ମ ପୂଜା କରାଯିବା ପରେ ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଥିଲା। ଅକ୍ଟୋବରରେ ଭାରତକୁ ଆଉ ୩-୪ଟି ଓ ଡିସେମ୍ବରରେ ତୃତୀୟ ପର୍ଯ୍ୟାୟରେ ମଧ୍ୟ ଫ୍ରାନ୍ସରୁ ଭାରତକୁ ରାଫେଲ୍ ଆସିବ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ରାଫେଲ ଜେଟ ଭାରତୀୟ ବାୟୁସେନାରେ ସାମିଲ ହେବାଟା ଭାରତ ଓ ଫ୍ରାନ୍ସ ମଧ୍ୟରେ ସମ୍ପର୍କର ଶକ୍ତି ଦର୍ଶାଉଛି। ବର୍ତ୍ତମାନର ସୁରକ୍ଷା ପରିସ୍ଥିତିରେ ରାଫେଲ ଜେଟ୍ ଭାରତକୁ ସାହାଯ୍ୟ କରିବ। ଭାରତର ପ୍ରତିରକ୍ଷା ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ। ଘରୋଇ ପ୍ରତିରକ୍ଷା ଶିଳ୍ପକୁ ଉତ୍ସାହିତ କରିବା ପାଇଁ ଆମେ ଫ୍ରାନ୍ସକୁ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ କରିବାକୁ ଆମନ୍ତ୍ରଣ କରୁଛୁ। ପ୍ରତିରକ୍ଷା ଓ ପ୍ରତିରକ୍ଷା କରିଡରରେ ୭୪% ଏଫଡିଆଇ ଅନୁମତି ଦିଆଯାଇଛି। ଆଶା କରୁଛି ଫ୍ରାନ୍ସ ଏହି ପଦକ୍ଷେପର ଲାଭ ଉଠାଇବ।

ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି କହିଛନ୍ତି କୋଭିଡ -୧୯ ମହାମାରୀ ସତ୍ତ୍ଵେ ମୁଁ ଭାରତରେ ଥିବାରୁ ଅତ୍ୟନ୍ତ ଆନନ୍ଦିତ। ଏହା ଭାରତ ଓ ଫ୍ରାନ୍ସ ପାଇଁ ଏକ ଚମତ୍କାର ସଫଳତା। ଏଠାରେ ରହିବା ଏକ ଗୌରବର ବିଷୟ। ରାଫେଲେ ଅର୍ଥ ହେଉଛି ପବନ ବହିବା କିମ୍ବା ଅଗ୍ନି ବିସ୍ଫୋରଣ ହେବା। ଏହା ମଧ୍ୟ ଭାରତ-ଫ୍ରାନ୍ସ ସମ୍ପର୍କର ପ୍ରତୀକ। ୩୬ରାଫାଲ୍ ଜେଟ୍ କାର୍ଯ୍ୟକ୍ରମର ଅର୍ଥ ଆମ ପାଇଁ ବହୁତ କିଛି। ସେହିପରି ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୋରିଆ କହିଛନ୍ତି ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁସେନାରେ ରାଫେଲକୁ ସାମିଲ କରିବା ଦ୍ଵାରା ଶତ୍ରୁକୁ କଡ଼ା ଜବାବ ମିଳିପାରିବ। ରାଫେଲ ଯେକୌଣସି ସ୍ଥାନରେ ଓ ଯେତେବେଳେ ନିୟୋଜିତ ହେବ ସେ ନିଜର ପ୍ରାଧାନ୍ୟ ବିସ୍ତାର କରିବ।

ତେବେ ଯୁଦ୍ଧ ବିମାନ ରାଫେଲ୍‌ର କ’ଣ ରହିଛି କ୍ଷମତା। ବିଶେଷ କଥା ହେଲା ଦୁଇ ଇଞ୍ଜିନ ବିଶିଷ୍ଟ ଏହି ଫାଇଟର ଜେଟ୍ ଯେ କୌଣସି ସ୍ଥାନକୁ ଟାର୍ଗେଟ କରିପାରିବ। ଆକାଶରୁ ଭୂପୃଷ୍ଠକୁ କରିପାରିବ କ୍ଷେପଣାସ୍ତ୍ର ନିକ୍ଷେପ। ୩୦୦ କିଲୋମିଟର ଦୂରରୁ ଲକ୍ଷ୍ୟକ୍ଷେଦ କରିବା ସହିତ ୧୦୦ କିଲୋମିଟର ରେଞ୍ଜ ଭିତରେ ଶତ୍ରୁ ବିମାନକୁ ଟାର୍ଗେଟ୍ କରିବ। ପାଇଲଟଙ୍କ ହେଲମେଟରେ ସାଇଟ ଓ ଟାର୍ଗେଟ ବ୍ୟବସ୍ଥା ଥିବାରୁ ଲକ୍ଷ୍ୟ ଭେଦରେ ବ୍ୟତିକ୍ରମ ହେବନାହିଁ। ଗୋଟିଏ ମିନିଟ୍‌ରେ ୬୦ ହଜାର ଫୁଟ୍ ଉଚ୍ଚକୁ ଉଠିପାରିବ ରାଫେଲ୍। ୨୪ ହଜାର ୫ଶହ କିଲୋର ଅସ୍ତ୍ରଶସ୍ତ୍ର ପରିବହନ କରିପାରିବ। ଏହାଛଡା ପରମାଣୁ ନିକ୍ଷେପ କରିବାର କ୍ଷମତା ମଧ୍ୟ ରାଫେଲର ରହିଛି।

ମତାମତ ଦିଅନ୍ତୁ ।