ବେଦାନ୍ତ ସମ୍ପ୍ରସାରଣ ପାଇଁ ଆହୂତ ବୈଠକ ଘୁଞ୍ଚାଇବାକୁ ବିଧାୟିକା କୁସୁମ ଟେଟେଙ୍କ ଦାବି

ଭୁବନେଶ୍ୱର : ଚଳିତ ମାସ ୩୦ ତାରିଖରେ ବେଦାନ୍ତ କାରଖାନା ସମ୍ପ୍ରସାରଣ ସଂକ୍ରାନ୍ତୀୟ ସାଧାରଣ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏହି ତାରିଖ ଘୁଞ୍ଚାଇବା ପାଇଁ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ମର୍ମରେ ସେ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ବୋର୍ଡର ସଦସ୍ୟ ସମ୍ପାଦକ, ଗୃହ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ର ଲେଖିଛନ୍ତି।

xବିଧାୟିକା ଶ୍ରୀମତୀ ଟେଟେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବେଦାନ୍ତ କାରଖାନାର କ୍ଷମତା ବାର୍ଷିକ ୧୬ଲକ୍ଷ ମେଟ୍ରିକ ଟନ୍‍ରୁ ୧୮ଲକ୍ଷ ମେଟ୍ରିକ ଟନ୍‍କୁ ସମ୍ପ୍ରସାରଣ ପାଇଁ ୩୦ତାରିଖ ଦିନ ସାଧାରଣ ବୈଠକ ଡାକିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅଗଷ୍ଟ ୨୭ ତାରିଖରେ ବିଜ୍ଞାପନ ଦିଆଯାଇଥିଲା । ତେବେ ହୁ ହୁ ହୋଇ ବଢୁଥିବା କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଚାମ୍ବର ଅଫ୍‍ କମର୍ସ ଓ ଝାରସୁଗୁଡା ଜିଲ୍ଲା ପ୍ରଶାସନ ମିଳିତ ଭାବେ ଚଳିତମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା ଓ ଏହାର ଆଖପାଖ ଅଞ୍ଚଳ ପାଇଁ ସଟ୍‍ଡାଉନ୍‍ ଘୋଷଣା କରିଛନ୍ତି। ତେଣୁ ସଟ୍‍ଡାଉନ୍‍ ସମୟରେ ବୈଠକରେ ଯୋଗଦେଇ କ୍ଷତିଗ୍ରସ୍ତ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ସମ୍ଭବପର ହେବନାହିଁ।

ଅନ୍ୟପକ୍ଷରେ କାରଖାନା ସମ୍ପ୍ରସାରଣ ହେଲେ ପରିବେଶ ଉପରେ ଏହାର କଣ ପ୍ରଭାବ ପଡିବ ସେ ସଂକ୍ରାନ୍ତରେ ସଂଗୃହୀତ ପରିବେଶ ପ୍ରଭାବ ଆକଳନ (ଇଆଇଏ) ଡାଟାକୁ ନିଟ୍‍ ଓ ଆଇଆଇଟି ଭଳି ଭରସାଯୋଗ୍ୟ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ସଂଶୋଧନ କରିବେ। ବେଦାନ୍ତ କମ୍ପାନୀ ପକ୍ଷରୁ ଅତ୍ୟନ୍ତ ଖାମଖିଆଲ ଭାବେ ପାଉଁଶ ପରିଚାଳନା ହୋଇଥିବାରୁ ଏହାର କୁପ୍ରଭାବ ଉଭୟ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ପରିବେଶ, ସ୍ଥାନୀୟ ଚାଷ ଜମି ଓ ନଦୀ ଗୁଡିକ ଉପରେ ପଡୁଛି। ବିଜେପିର ତଥ୍ୟ ଅନୁସନ୍ଧାନକାରୀ ଦଳ ସେହି ଅଞ୍ଚଳ ଗସ୍ତ କରିବା ସମୟରେ ଦେଖିବାକୁ ପାଇଛନ୍ତି ପାଉଁଶ ଯୋଗୁଁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଅଗଷ୍ଟ ୨୮ ତାରିଖରେ ୮୩ଏକର ପରିମିତ ପାଉଁଶ ପୋଖରୀର ଗୋଟିଏ କାନ୍ଥ ଭୁଷୁଡି ପଡିଥିଲା। ଯାହାଫଳରେ ପ୍ରାୟ ୫ନିୟୁତ ଟନ୍‍ ବିଷାକ୍ତ ପାଉଁଶ ପାଣି ୧୦୦ ଏକର ପରିମିତ ଚାଷଜମିରେ ମାଡିଯିବା ସହିତ ନଦୀରେ ମିଶିଥିଲା। କମ୍ପାନୀର ପାଉଁଶ ପୋଖରୀ ପରିଚାଳନାରେ ଅପାରଗତା ଯୋଗୁଁ ଏଭଳି ଘଟିଥିଲା।

ମତାମତ ଦିଅନ୍ତୁ ।