ଭଙ୍ଗା କୁଡ଼ିଆରେ କଟୁଛି ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ

ବାଲିଗୁଡା : ସରକାରୀ ଯୋଜନା ସବୁ ଗରିବଙ୍କ ପାଖରେ ପହଞ୍ଚୁନି। ଏପରି ଅଭିଯୋଗ ଅସତ୍ୟ ନୁହେଁ। ଏହାର ଏକ ଉଦାହରଣ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଳକ ଲଙ୍କାଗଡ଼ ପଞ୍ଚାୟତ ବଣ୍ଡକିନାଲ ଗ୍ରାମର ବୃଦ୍ଧ ଦମ୍ପତ୍ତି। ପଞ୍ଚାୟତ ଅଫିସକୁ ଦଉଡି ଦଉଡି ନିରାଶ ହୋଇଛନ୍ତି। ୧୦ ବର୍ଷ ହେଲା ଭଙ୍ଗାକୁଡ଼ିଆରେ ବିତାଉଛନ୍ତି ଜୀବନ। ସରକାରୀ ଆବାସ ଯୋଜନା ଯେପରି ତାଙ୍କ ପାଇଁ ବାଟବଣା ହୋଇଯାଇଛି।

ରାଜ୍ୟ ସରକାର ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। କିନ୍ତୁ ଲଙ୍କାଗଡ ପଂଚାୟତରେ ଦେଖାଯାଉଛି ବ୍ୟତିକ୍ରମ। ଏଠାରେ ସରକାରୀ ଜନକଲ୍ୟାଣ ଯୋଜନାରୁ ବାଦ ପଡିଛନ୍ତି ପ୍ରକୃତ ହିତାଧିକାରୀ। ଅଭିଯୋଗ ଉଠୁଛି ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଜନାକୁ ନେଇ ବ୍ୟବସାୟ କରୁଛନ୍ତି। ଥିଲାବାଲା ପାଉଛନ୍ତି ଫାଇଦା। ଗରିବ ହେଉଛନ୍ତି ବଞ୍ଚିତ। ଯେଉଁମାନେ ଦେଣନେଣ କରିପାରୁଛନ୍ତି ସେମାନଙ୍କୁ ଭତ୍ତା, ରାସନ କାର୍ଡ, ଆବାସ ଯୋଜନାର ଗୃହ ମିଳିବାରେ କୌଣସି ଅସୁବିଧା ହେଉନି।

ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧୨କି.ମି ଦୂରରେ ଲଙ୍କାଗଡ଼ ପଞ୍ଚାୟତ। ମାଓ ପ୍ରବଣ ଅଞ୍ଚଳ କହି କୌଣସି ଅଧିକାରୀ ସେଠାକୁ ଯିବାକୁ ଚାହାନ୍ତି ନାହିଁ। ତାହାଛଡା କିଏ କେତେବେଳେ ଯାଆନ୍ତି ତାହା ମଧ୍ୟ ଲୋକେ ଜାଣିବା ସମ୍ଭବ ନୁହେଁ। ଯାହା ଫଳରେ ବହୁ ହିତାଧିକାରୀ ସେମାନଙ୍କର ଦାବି ଜଣାଇ ପାରୁନାହାନ୍ତି। ସେହିପରି ଲଙ୍କାଗଡ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୩କି.ମି ଦୁର ବଣ୍ଡକିନାଳ ଗ୍ରାମ। ଏହି ଗ୍ରାମର ଭଙ୍ଗା କୁଡିଆରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତ୍ତି। ଯାହାଙ୍କର ବୟସ ୭୮ ଓ ୭୦ବର୍ଷ। ବୟସର ଅପରାହ୍ନରେ ୭୮ ବର୍ଷର ବୃଦ୍ଧ ଶୁକ୍ରୁ ପାତ୍ରଙ୍କୁ ଆବାସ ଯୋଜନାରେ ଏଯାଏ ଘର ଖଣ୍ଡେ ମିଳିନୀ। କେବଳ ୫ଶହ ଟଙ୍କା ଭତ୍ତା ଓ ୧୦କି.ଗ୍ରା ଚାଉଳ ପାଇ ସ୍ୱାମୀ-ସ୍ତ୍ରୀ ଓଳିଏ ଖାଇ ଭଙ୍ଗା ଝିକର ଛପର ଘରେ ଜୀବନ ବିତାଉଛନ୍ତି। ଗୋଟିଏ ପୁଅ ଅଛି। ହେଲେ ସେ ବାପା-ମାଆଙ୍କୁ ପଚାରେନି। ଅନ୍ତତଃପକ୍ଷେ ଘରଟିଏ ମିଳିଲେ ଶୀତ ଓ ଖରାବର୍ଷାରୁ ବଞ୍ଚି ଯାଆନ୍ତେ ବୋଲି ଲୁହଭରା କଣ୍ଠରେ କହିଛନ୍ତି ଶୁକ୍ରୁ ପାତ୍ର। ଘଟଣା ସମ୍ପର୍କରେ ଜାଣିବା ପରେ ତୁମୁଡ଼ିବନ୍ଧ ବ୍ଳକ ବି.ଡ଼ି.ଓ ଦାୟିତ୍ୱରେ ଥିବା କୋଟଗଡ଼ ବି.ଡ଼ି.ଓ କହିଛନ୍ତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବେ। ତେବେ ଶୁକ୍ରୁ ପାତ୍ରଙ୍କୁ ଘରଖଣ୍ଡେ ପାଇଁ ଆଉ କେତେଦିନ ଅପେକ୍ଷା କରିବାକୁ ପଡୁଛି ତାହା ଦେଖିବାକୁ ବାକି ରହିଲା।

ମତାମତ ଦିଅନ୍ତୁ ।