ଭାରତ-ଚୀନ୍‌ ସୀମାରେ ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ୍‌ଙ୍କ ସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ : ସୀମାକୁ ନେଇ ଭାରତ-ଚୀନ୍‌ ମଧ୍ୟରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି। ଏଲ୍‌ଏସିରେ ଉଭୟ ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଏହିଭଳି ସମୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବରିଷ୍ଠ ଅଧିକାରୀଙ୍କ ସହ ଭାରତ-ଚୀନ୍‌ ସୀମାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଗତ ଶନିବାର ଓ ରବିବାର ରାତିରେ ଲଦାଖର ଚୁସୁଲ ନିକଟ ପାଙ୍ଗୋଙ୍ଗ ସୋ ନିକଟ ଭାରତୀୟ ଅଞ୍ଚଳରେ ଚୀନ୍‌ ସେନା ଅନୁପ୍ରବେଶ ଉଦ୍ୟମ କରିଥିଲେ। ଭାରତୀୟ ସେନା ରୋକିବା ପରେ ଏହି ନୂତନ ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ସାଂପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଭାରତୀୟ ସେନାର ବ୍ରିଗେଡ୍‌ କମାଣ୍ଡରଙ୍କ ସହ ଚୀନ୍‌ ପ୍ରତିପକ୍ଷ ବୈଠକ ଚାଲିଥିବା ବେଳେ ଖୋଦ୍‌ ଏନ୍‌ଏସ୍‌ଏ ଡୋଭାଲ ସୀମାନ୍ତରେ ସ୍ଥିତି ସମୀକ୍ଷା ଘଟଣାକୁ ବିଶେଷଜ୍ଞ ଓ କୂଟନୈତିକ ମହଲ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି।

ଅନ୍ୟପକ୍ଷରେ ଅନୁପ୍ରବେଶ ଉଦ୍ୟମ ବିଫଳ ହେବା ପରେ ଚୀନ ସେନା ଯୁଦ୍ଧ ଟ୍ୟାଙ୍କ ଓ ସଶସ୍ତ୍ର ଯାନଗୁଡ଼ିକୁ ‘ବ୍ଲାକ ଟପ୍’ର ପାଦଦେଶରେ ମୁତୟନ କରିଛି। ଏହାର ଜବାବ ଦେବାପାଇଁ ଭାରତ ମଧ୍ୟ ଯୁଦ୍ଧ ଟ୍ୟାଙ୍କ ମୁତୟନ କରିଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।