ନୂଆଦିଲ୍ଲୀ : ଭାରତକୁ ପଶିବା ପାଇଁ ସୀମାଆରପାରି ଲଞ୍ଚ୍ପ୍ୟାଡ୍ମାନଙ୍କରେ ପ୍ରାୟ ୩୦୦ ଆତଙ୍କବାଦୀ ଅପେକ୍ଷା କରି ରହିଛନ୍ତି। ଏହା କହିଛନ୍ତି ବାରମୂଳାର ଜିଓସି ୧୯ ଇନ୍ଫାଣ୍ଟ୍ରି ଡିଭିଜନ୍ର ମେଜର ଜେନେରାଲ୍ ବୀରେନ୍ଦ୍ର ୱତ୍ସ୍। ସେ କହିଛନ୍ତି ମିଳିଥିବା ସୂଚନା ଅନୁଯାୟୀ ସୀମା ଆରପାରି ଲଞ୍ଚ୍ପ୍ୟାଡ୍ ଗୁଡିକରେ ୨୫୦ ରୁ ୩୦୦ ଆତଙ୍କବାଦୀ ରହିଛନ୍ତି। କେବଳ ସେତିକି ନୁହେଁ ଆଜି ଆମ ଯବାନମାନେ ନୌଗାମ୍ ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ପୋଷ୍ଟ୍ ପଟୁ ସନ୍ଦେହଜନକ ଯାତାୟାତ ଦେଖିଛନ୍ତି। ଅନୁପ୍ରବେଶ-ନିରୋଧି ବାଡ଼ କାଟି ଅନୁପ୍ରବେଶ କରିବାକୁ ଉଦ୍ୟମରତ ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରି ଏହାର ଉପଯୁକ୍ତ ଜବାବ ଦିଆଯାଇଛି। ଘଟଣାସ୍ଥଳରୁ ସେନା ଦୁଇଟି ଏ. କେ. ଆସଲ୍ଟ୍ ରାଇଫଲ୍, ୧୨ଟି ମାଗାଜିନ୍, ଗୋଟିଏ ପିସ୍ତଲ, ଗ୍ରେନେଡ୍ ଓ ୧. ୫ ଲକ୍ଷ ଟଙ୍କାର ଭାରତୀୟ ଏବଂ ପାକିସ୍ତାନୀ ମୁଦ୍ରା ଉଦ୍ଧାର କରିଛି।
