ଭାରତକୁ ବିପର୍ଯ୍ୟସ୍ତ କରିପକାଇଛି କୋଭିଡ୍‌ର ଦ୍ଵିତୀୟ ତୋଫାନ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହାମାରୀ କୋଭିଡ୍‌-୧୯ର ପ୍ରଥମ ପ୍ରବାହକୁ ସଫଳତାର ସହ ମୁକାବିଲା କରିବା ପରେ ଦେଶର ମନୋବଳ ସୁଦୃଢ଼ ହୋଇଥିଲା। କିନ୍ତ ଏଥରର ତୋଫାନ୍ ଦେଶକୁ ବିପର୍ଯ୍ୟସ୍ତ କରି ପକାଇଛି। ଏହକୁ ମୁକାବିଲା କରିବା ପାଇଁ ଔଷଧ ଶିଳ୍ପ ଓ ଅମ୍ଳଜାନ ଉତ୍ପାଦନ ଆଦି ସମ୍ପର୍କରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ରବିବାର ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ର ୭୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ କହିଲେ କୋଭିଡ୍‌-୧୯ ଆମର ଧୈର୍ଯ୍ୟ ଓ ଯନ୍ତ୍ରଣା ସହନଶୀଳତା ପରୀକ୍ଷା କରୁଥିବା ବେଳେ ମୁଁ ଆପଣମାନଙ୍କୁ ଏ ସବୁ କଥା କହୁଛି। ଆମ ପ୍ରିୟପରିଜନଙ୍କ ମଧ୍ୟରୁ ଅନେକ ଆମକୁ ଅକାଳରେ ଛାଡ଼ି ଚାଲିଗଲେଣି। ଆମର ସ୍ଵାସ୍ଥ୍ୟକର୍ମୀ ଓ ଡାକ୍ତରମାନେ କୋଭିଡ୍‌-୧୯ ବିପକ୍ଷରେ ଗୋଟାଏ ମହାସଂଗ୍ରାମ ଲଢୁଛନ୍ତି। ଗତ ବର୍ଷେହେଲା, ମହାମାରୀ ଉପରେ ସେମାନେ ବହୁ ପ୍ରକାର ଅଭିଜ୍ଞତା ହାସଲ କରିଛନ୍ତି। କେବଳ ସମର୍ଥିତ ସୂତ୍ରରୁ କୋଭିଡ୍‌-୧୯ ସଂକ୍ରାନ୍ତ ସୂଚନା ସଂଗ୍ରହ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କୁ ନିବେଦନ କରିଛନ୍ତି।

ସେ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଉପଯୋଗ କରି ରୋଗୀମାନଙ୍କୁ ଅନ୍‌ଲାଇନ୍‌ରେ ଡାକ୍ତରମାନେ ପରାମର୍ଶ ଦେବା ପ୍ରଶଂସନୀୟ। ଟିକା ବିଷୟରେ କୌଣସି ଗୁଜବର ସରବ୍ୟ ହୁଅନ୍ତୁ ନାହିଁ। କୋଭିଡ୍‌ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାରମାନଙ୍କ ଉଦ୍ୟମକୁ ଆଗେଇ ନେବାଲାଗି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ମାଗଣାରେ ଟିକା ପଠାଇଛନ୍ତି ବୋଲି ଆପଣମାନେ ଜାଣିଥିବେ। ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏଥିରେ ଉପକୃତ ହୋଇପାରିବେ। ମେ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ବ୍ୟକ୍ତିଙ୍କ ପାଇଁ ଟିକା ମିଳିବ।

ସେ କହିଲେ ଦେଶର କର୍ପୋରେଟ୍‌ ସେକ୍ଟର୍‌ ନିଜର କର୍ମଚାରୀମାନଙ୍କୁ ଟିକା ଦେଇ ଟିକାକରଣ ଅଭିଯାନରେ ଅଂଶଗ୍ରହଣ କରିପାରିବ। ଭବିଷ୍ୟତରେ ମଧ୍ୟ ଭାରତ ସରକାରଙ୍କ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ। ଏହି ମୁକ୍ତ ଟିକାକରଣର ଫାଇଦା ଯଥା ସମ୍ଭବ ଅଧିକ ଲୋକେ ପାଆନ୍ତୁ ବୋଲି ସୁନିଶ୍ଚିତ ହେବାକୁ ରାଜ୍ୟମାନଙ୍କୁ ମୋର ଅନୁରୋଧ। ରାଜ୍ୟମାନଙ୍କୁ ସହାୟତା କରିବା ଲାଗି କେନ୍ଦ୍ର ସମସ୍ତ ଶକ୍ତି ଉପଯୋଗ କରୁଛି। କୋଭିଡ୍‌-୧୯ ଯୁଦ୍ଧରେ ଆମ୍ବୁଲାନ୍‌ସ୍‌ ଚାଳକମାନଙ୍କର ଅବଦାନ କମନୁହେଁ। ସେମାନଙ୍କ ପ୍ରତି ମ‌ୋର କୃତଜ୍ଞତା ଜ୍ଞାପନ କରୁଛି। କୋଭିଡ୍‌କୁ ପରାଜିତ କରିବା ଲାଗି ଆମେ ବିଶେଷଜ୍ଞ ଓ ବୈଜ୍ଞାନିକଙ୍କ ଉପଦେଶ ଉପରେ ଗୁରୁତ୍ଵାରୋପ କରିବା ଉଚିତ।

Leave a Reply

Your email address will not be published. Required fields are marked *

Back to top button