ଭାରତରେ ଗୁଗୁଲ ସ୍ଥାପନ କରିବ ୮୦ଟି ଅକ୍ସିଜେନ ପ୍ଲାଣ୍ଟ

ନୂଆଦିଲ୍ଲୀ : ଟେକ୍ନୋଲୋଜି କମ୍ପାନୀ ଗୁଗୁଲ ଭାରତରେ ୮୦ଟି ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରିବ। ଏହାର ଶାଖା ଗୁଗୁଲ୍ ଡଟ୍ ଓଆରଜି (ଗୁଗୁଲ୍.ଓଆରଜି) ବିଭିନ୍ନ ସଂଗଠନ ସହଯୋଗରେ ଏହି ପ୍ଳାଣ୍ଟ ବସାଇବ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦକ୍ଷତା ବିକାଶରେ ସହାୟତା ପାଇଁ କମ୍ପାନୀ ୧୧୩ କୋଟି ଟଙ୍କା (୧.୫୫ କୋଟି ଡ଼ଲାର) ଅନୁଦାନ ଦେବ ବୋଲି ଘୋଷଣା କରିଛି।

ସେହିପରି ଗ୍ରାମୀଣ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବାକୁ ଆପୋଲୋ ମେଡସ୍କିଲ୍ସ ମାଧ୍ୟମରେ କରୋନା ପରିଚାଳନାରେ ୨୦,୦୦୦ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ଉପରେ ଧ୍ୟାନ ଦିଆଯିବ। ଏଥିପାଇଁ ଗୁଗୁଲ୍ ଡଟ୍ ଓଆରଜି ଭାରତର ୧୫ଟି ରାଜ୍ୟର ୧୮୦,୦୦୦ ଆଶା କର୍ମୀ ଓ ୪୦ ହଜାର ଏଏନଏମଙ୍କ ଦକ୍ଷତା ବିକାଶ ପାଇଁ ୩.୬ କୋଟି ଟଙ୍କାର ଅନୁଦାନ ଦେବ। ୮୦ଟି ଅମ୍ଳଜାନ ପ୍ଲାଣ୍ଟ ପାଇଁ ଗିଭଇଣ୍ଡିଆକୁ ପ୍ରାୟ ୯୦ କୋଟି ଟଙ୍କା ଓ ପାଥକୁ ପ୍ରାୟ ୧୮.୫ କୋଟି ଟଙ୍କା ଗୁଗୁଲ୍ ପ୍ରଦାନ କରିବ।

ଗୁଗୁଲ ପୂର୍ବରୁ ୯ଟି ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରିବାକୁ ଘୋଷଣା କରିଥିଲା। ଏଥିସହ ୟୁନିସେଫ ଭାରତକୁ ୪୫୦୦ରୁ ଅଧିକ ଅକ୍ସିଜେନ କନସେନଟ୍ରେଟର ଓ ୨୦୦ଟି ଆରଟିପିସିଆର ପରୀକ୍ଷଣ ମେସିନ୍ ଯୋଗାଇ ଦେଇଥିଲା। ଗୁଜୁରାଟ, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରାର ଡାକ୍ତରଖାନାରେ ଏହି ୯ଟି ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରାଯାଉଛି।

ସମ୍ବନ୍ଧିତ ଖବର
between image and heading

Comments are closed.