ଭାରତରେ ଲଞ୍ଚ୍ ହେଲା ନିଞ୍ଜା-୩୦୦

ନୂଆଦିଲ୍ଲୀ : ଅଗ୍ରଣୀ ସ୍ପୋର୍ଟସ୍ ବାଇକ୍ ନିର୍ମାତା କାଓ୍ୱାସାକି ନିଜର ବହୁ ପ୍ରତିକ୍ଷୀତ ବାଇକ ନିଞ୍ଜା-୩୦୦ ବିଏସ-୬କୁ ଭାରତରେ ଲଞ୍ଚ୍ କରିଛି। କାଓ୍ୱାସାକି ୨୦୧୯ ଡିସେମ୍ବରରେ ଏହି ବାଇକର ଉତ୍ପାଦନ ବନ୍ଦ କରିଦେଇଥିଲା। ଏପ୍ରିଲ ୨୦୨୦ରେ ଦେଶରେ ନୂଆ ନିୟମ ଆସିବା ପରେ କମ୍ପାନୀ ବିଏସ-୬ ଭାରିଏଣ୍ଟକୁ ଲଞ୍ଚ୍ କରିଛି।

ଏହି ବାଇକର ଲୁକ୍ ଦମଦାର୍ ଥିବା ବେଳେ ଏହାର ଷ୍ଟାଇଲ୍ ଯୁବ ପୀଢିଙ୍କର ବହୁତ ପସନ୍ଦ। ନୂଆ ବିଏସ୬ ନିଞ୍ଜା-୩୦୦ ତିନୋଟି କଲରରେ ଉପଲବ୍ଧ। କେଆରଟି ବା କାଓ୍ୱାସାକି ରେସିଂ ଟିମ୍ ଲାଇବରୀ, ଲାଇମ୍ ଗ୍ରୀନ୍ ଓ ଫୁଲ୍ ବ୍ଲାକ୍ କଲରରେ ଏହି ବାଇକ ଉପଲବ୍ଧ ହେଉଛି। ନୂଆ ବାଇକର ଫିଚର୍ ପୁରୁଣା ସହିତ ସମାନ। ଫ୍ରଣ୍ଟରେ ରହିଛି ଟ୍ୱିନ୍ ପ୍ୟାଡ୍ ହେଡଲାଇଟ୍। ସେହିପରି ବାଇକରେ ଫାୟାରିଂ ଇଣ୍ଟିଗ୍ରେଟେଡ୍ ପ୍ରଣ୍ଟ୍ ବ୍ଲିଙ୍କର ଓ ଏକ ମସ୍କ୍ୟୁଲାର ଫୁଏଲ୍ ଟ୍ୟାଙ୍କ୍, ସ୍ଲିପଟ୍ ଷ୍ଟାଇଲ୍ ସିଟସ୍ ଓ କ୍ରୋମ୍ ହଟସିଲ୍ଡ୍ ଦିଆଯାଇଛି।

ଅପଡେଟେଡ୍ ୨୦୨୧ ନିଞ୍ଜା-୩୦୦ର ଇଞ୍ଜିନରେ ହୋଇଛି ବଡ ପରିବର୍ତ୍ତନ। ୨୯୬ ସିସିର ବିଏସ-୬ ଇଞ୍ଜିନ୍ ରହିଛି। ଏହାସହ ଗ୍ରାହକଙ୍କୁ ମିଳିବ ଲିକ୍ୟୁଡ୍ କୁଲଡ୍ ଇଞ୍ଜିନ୍। ବାଇକ ୩୮.୪ ବିଏଚପି ପାଓ୍ୱାର ସହ ୨୭ ଏନଏମ ଟର୍କ ଜେନେରେଟ୍ କରିଥାଏ। ଏହାଛଡା ୬ ସ୍ପିଡ୍ ଗିଅର ବକ୍ସ ରହିଥିବା ବେଳେ ଚାଳକଙ୍କୁ ମିଳିବ ସ୍ଲିପର୍ କ୍ଲଚ୍।

ବାଇକରେ ପୁରୁଣା ମଡେଲ୍ ଭଳି ସେମି ଡିଜିଟାଲ କ୍ଲଷ୍ଟର, ବଲ୍ବ ଟାଇପ୍ ହେଡ୍ ଲ୍ୟାମ୍ପ, ବ୍ଲିଙ୍କର ଓ ଏଲଇଡି ଟେଲ୍ ଲ୍ୟାମ୍ପ୍ ରହିଛି। ୧୭ ଇଞ୍ଚ୍ ଆଲୟ ହ୍ୱିଲସ୍, ୩୭ ଏମଏମ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫର୍କସ୍ ଓ ରିୟରରେ ମନୋସ୍କୋପ୍, ବ୍ରେକିଂ ପାଇଁ ଉଭୟ ଟାୟାରରେ ଡିସ୍ ବ୍ରେକ୍ ରହିଛି। ବ୍ରେକିଂକୁ ଆହୁରି ମଜବୁତ୍ କରିବା ପାଇଁ ଏଥିରେ ଡୁଆଲ ଚ୍ୟାନେଲ୍ ଏବିଏସ ମିଳିବ।

ନୂଆ ନିଞ୍ଜା-୩୦୦ ବିଏସ-୬ର ଏକ୍ସ ସୋରୁମ ଦାମ୍ ରହିଛି ୩ ଲକ୍ଷ ୧୮ ହଜାର ଟଙ୍କା। ଯାହା ପୂର୍ବ ବାଇକ୍ ତୁଳନାରେ ୨୦ ହଜାର ଅଧିକ। ବାଇକର ବୁକିଂ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହାର ଡେଲିଭରୀ ଅତିଶୀଘ୍ର ଆରମ୍ଭ ହେବ। ଲଞ୍ଚ୍ ପୂର୍ବରୁ କମ୍ପାନୀ ସୋସିଆଲ ମିଡିଆରେ ବାଇକର ସମସ୍ତ ଫଟୋ ସେୟାର କରିଛି।

Leave a Reply

Your email address will not be published. Required fields are marked *

Back to top button