ଭାରତରେ ସ୍ପୁଟନିକ-ଭି କରୋନା ଟିକାର ଟ୍ରାଏଲ ପାଇଁ ଅନୁମତି

ନୂଆଦିଲ୍ଲୀ : ରୁଷିଆନ ଡାରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ପକ୍ଷରୁ ପ୍ରସ୍ତୁତ କରାଯାଇଛି କରୋନା ଟିକା ସ୍ପୁଟନିକ-ଭି। ରୁଷ ସରକାର ଅଗଷ୍ଟ ୧୧ରେ ଏହାକୁ ମଞ୍ଜୁରୀ ଦେଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କ ଉପରେ ପ୍ରୟୋଗ କରାଯାଇଛି। କିନ୍ତୁ ଟିକାର କ୍ଲିନିକାଲ ଟ୍ରାଏଲ ତଥ୍ୟ ମିଳି ନଥିବାରୁ ଏହାର ସାର୍ବଜନୀନ ବ୍ୟବହାର ପାଇଁ କୌଣସି ଦେଶ ଆଗ୍ରହ ଦେଖାଉନାହାନ୍ତି। ଏସବୁ ଭିତରେ ଭାରତର ଡା. ରେଡ୍ଡୀ ଲ୍ୟାବ ଲିଃ ସ୍ପୁଟନିକ-ଭିର ଟ୍ରାଏଲ ଏଠାରେ ଆରମ୍ଭ କରିବାକୁ ଅନୁମତି ପାଇଛି।

ଆରଡିଆଇଏଫ ସହ ଡା ରେଡ୍ଡୀ ଚୁକ୍ତି କରି ଭାରତକୁ ଏହି ଟିକା ଆଣିଛି। ସାର୍ବଜନୀନ ବ୍ୟବହାର ପୂର୍ବରୁ ଡା ରେଡ୍ଡୀ ପକ୍ଷରୁ ଡିସିଜିଆଇକୁ ଭାରତରେ ଏହାର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଲୋଡ଼ା ଯାଇଥିଲା। ଏଥିପାଇଁ ଅନୁମତି ମିଳିଥିବା ଆରଡିଆଇଏଫ ଓ ଡା ରେଡ୍ଡୀ ପକ୍ଷରୁ ଘୋଷଣା କରାଯାଇଛି। ଏବେ ଫେଜ ୨ ଓ ୩ୟ ଟ୍ରାଏଲ କରାଯିବ। ସେପ୍ଟେମ୍ବର ମାସରେ ଡା. ରେଡ୍ଡୀ ଓ ଆରଡିଆଇଏଫ ସ୍ପୁଟନିକ-ଭିର କ୍ଲିନିକାଲ ଟ୍ରାଏଲ ଓ ଭାରତରେ ଏହାର ବିତରଣ କରିବାକୁ ଚୁକ୍ତି କରିଥିଲେ। ଟିକା ପରୀକ୍ଷଣ ସଫଳ ହେଲେ ଆରଡିଆଇଏଫ ପକ୍ଷରୁ ଡା ରେଡ୍ଡୀକୁ ୧୦୦ ମିଲିୟନ ଡୋଜ ଯୋଗାଇ ଦିଆଯିବ।

ମତାମତ ଦିଅନ୍ତୁ ।