ଭାରତରେ ଗୁଗୁଲ୍ ୭୫ ହଜାର କୋଟି ନିବେଶ କରିବ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଜଗତର ସର୍ବବୃହତ କମ୍ପାନୀ ଗୁଗୁଲ୍‌ ଭାରତରେ ୭୫,୨୦୦ କୋଟି ଟଙ୍କା ନିବେଶ କରିବ। ଆସନ୍ତା ୫-୭ ବର୍ଷ ଭିତରେ ଏହି ପୁଞ୍ଜିନିବେଶ କରାଯିବ ବୋଲି କମ୍ଫାନୀର ସିଇଓ ସୁନ୍ଦର ପିଚାଇ କହିଛନ୍ତି। ଚଳିତ ବର୍ଷ ଡିଜିଟାଲ୍‌ ମାଧ୍ୟମରେ ଆୟୋଜନ କରାଯାଇଥିବା ‘ଗୁଗୁଲ୍ ଫର ଇଣ୍ଡିଆ’ କାର୍ଯ୍ୟକ୍ରମ ଅବସରରେ ସେ ଏହି ସୂଚନା ଦେଇଛନ୍ତି।

ଭାରତକୁ ନେଇ ଗୁଗୁଲ୍ ବୃହତ ଯୋଜନା ରଖିଛି। ଭାରତୀୟ କମ୍ପାନୀ ଓ ଡିଜିଟାଲ୍ ସେବା ପ୍ରଦାନ କରୁଥିବା ସଂସ୍ଥାର ଅଂଶଧନ କିଣିବା ଉପରେ ମଧ୍ୟ ଗୁଗୁଲ୍‌ ମନୋନିବେଶ କରିବ। ଫେସବୁକ୍ ଭଳି ବିଶ୍ବସ୍ତରୀୟ କମ୍ପାନୀ ଠାରୁ ରିଲାଏନ୍ସ ଜିଓ ପୁଞ୍ଜିନିବେଶ ହାସଲ କରିବା ପରେ ଭାରତ‌ରେ ଥିବା ସୁଯୋଗକୁ ନେଇ ଗୁଗୁଲ୍ ହଠାତ୍‌ ସଚେତନ ହୋଇପଡ଼ିଛି।  

ଗୁଗୁଲ୍ ଆଗାମୀ ଦିନରେ ଭାରତର ଉଭୟ ଛୋଟ ଓ ବଡ଼ କମ୍ପାନୀରେ ନିବେଶ କରିବ। ଏହା ବ୍ୟତୀତ ଡିଜିଟାଲ୍ ଭିତ୍ତିଭୂମି ବିକଶିତ କରିବା ଓ ଡାଟା ସେଣ୍ଟର୍‌ ସ୍ଥାପନ କରିବାରେ ମଧ୍ୟ ପୁଞ୍ଜିନିବେଶ କରିବ। ଜିଓ କିମ୍ବା ଭୋଡାଫୋନ୍ ଆଇଡିଆର ଅଂଶଧନ କିଣିବା ନେଇ ଗୁଗୁଲ୍ କଥାବାର୍ତ୍ତା ଜାରି ରଖିଥିବା ଆଲୋଚନା ହେଉଛି। ସେ ସମ୍ପର୍କରେ ପିଚାଇ କିଛି କହିନାହାନ୍ତି। କିନ୍ତୁ ଏହା କହିଛନ୍ତି ଯେ ଗୁଗୁଲ୍ ପେ’ ଭଳି ଭାରତରୁ ବିଶ୍ବସ୍ତରୀୟ ଉତ୍ପାଦ ବିକଶିତ କରିବା ଉପରେ କମ୍ପାନୀ ଜୋର ଦେବ। 

ପ୍ରତିଟି ଭାରତୀୟଙ୍କ ପାଖରେ ସେମାନେ ବୁଝିପାରୁଥିବା ଭାଷାରେ ସୂଚନା ଦେବାକୁ କମ୍ପାନୀ ଚାହୁଛି। ଏବାବଦରେ ଯେତିକି ପୁଞ୍ଜିନିବେଶ ଦରକାର ହେବ ତାହା ଗୁଗୁଲ୍ ନିବେଶ କରିବ। ଏହା ବ୍ୟତୀତ, ଭାରତର ସ୍ବତନ୍ତ୍ର ଆବଶ୍ୟକତା ପୂରଣ କରିପାରୁଥିବା ଉତ୍ପାଦ ଓ ସେବାକୁ କମ୍ପାନୀ ବିକଶିତ କରିବାକୁ ଯୋଜନା ରଖିଛି। ବ୍ୟବସାୟୀ ଗୋଷ୍ଠୀଙ୍କୁ ସାହାଯ୍ୟ କରିବା ସହିତ ଡିଜିଟାଲ୍ କ୍ଷେତ୍ର‌ରେ ବୈପ୍ଳବିକ ପରିବର୍ତ୍ତନକୁ ଆଗକୁ ବଢ଼ାଇବା ପାଇଁ କମ୍ପାନୀ ଚାହୁଛି।  

ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଭଳି କ୍ଷେତ୍ର ପାଇଁ ନୂତନ ଜ୍ଞାନକୌଶଳ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବିକଶିତ କରିବା ଲାଗି ମଧ୍ୟ କମ୍ପାନୀ ଯୋଜନା ରଖିଛି। ଏହି ସମସ୍ତ‌ କ୍ଷେତ୍ରରେ କମ୍ପାନୀ ୭୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ କରିବ। ଆଜି ଗୁଗୁଲ୍ ପକ୍ଷରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ସହ ଏକ ବୁଝାମଣା ସ୍ବାକ୍ଷର କରାଯାଇଛି। ଏହା ଅଧୀନରେ କମ୍ପାନୀ ପକ୍ଷରୁ ୨୦୨୦ ଶେଷ ସୁଦ୍ଧା ୨୨,୦୦୦ ସ୍କୁଲ୍‌ର ୧ ନିୟୁତରୁ ଅଧିକ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ।  

ଏହା ବ୍ୟତୀତ କୈବଲ୍ୟ ଏଜୁକେସନ ଫାଉଣ୍ଡେସନକୁ କମ୍ପାନୀ ୧ ନିୟୁତ ଡଲାରର ସହାୟତା ରାଶି ପ୍ରଦାନ କରିବ। ଟିଭି ଓ ‌ରେଡିଓ ଜରିଆରେ କିଭଳି ପାଠପଢ଼ାଇ ହେବ ସେ ନେଇ ପ୍ରାୟ ୭,୦୦,୦୦୦ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାକୁ କଂପାନି ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ସକାଳେ ପିଚାଇଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭାରତରେ ଚାଷୀ, ଯୁବକଯୁବତୀ ଓ ଉଦ୍ୟୋଗୀମାନଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଔଦ୍ୟୋଗିକ ବ୍ୟବସ୍ଥାର ବ୍ୟବହାର ଉପରେ ଆଲୋଚନା ହୋଇଥିଲା।  

କରୋନା ସଙ୍କଟ ସମୟରେ ଦେଖାଦେଇଥିବା ନୂତନ କର୍ମ ସଂସ୍କୃତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍ ମଧ୍ୟ କରିଛନ୍ତି। ବିଭିନ୍ନ କ୍ଷେତ୍ର ଲାଗି ଗୁଗୁଲ୍ ଯେଉଁ ପ୍ରୟାସ ଜାରି ରଖିଛି ତାହାକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି। କ୍ରୀଡ଼ା ଆଦି କ୍ଷେତ୍ର ପାଇଁ ଦେଖାଦେଇଥିବା ସମସ୍ୟା ଉପରେ ମଧ୍ୟ ସେମାନେ କଥାବାର୍ତା ହୋଇଥିଲେ। ଡାଟା ସୁରକ୍ଷା ଓ ସାଇବର ସୁରକ୍ଷା ମଧ୍ୟ ସେମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଅଂଶ ଥିଲା।

ମତାମତ ଦିଅନ୍ତୁ ।