ଭାରତୀୟ ଦର୍ଶନ, ଦୃଷ୍ଟି ଏବଂ ବିଚାର

॥ ଗୋପାଳ ମହାପାତ୍ର ॥

ଯେଉଁ ଭୂ-ଭାଗରେ ମନୁଷ୍ୟ ବସବାସ କରି ରହୁଥାଏ ସେଇ ଭୂ-ଭାଗକୁ ଦେଶର ସଂଜ୍ଞା ମିଳିଯାଇଥାଏ। ଅର୍ଥାତ୍ ଯେଉଁ ଭୂ-ଭାଗରେ ଲୋକଙ୍କ ବସବାସ ଥାଏ ତାକୁ ଦେଶ କୁହାଯାଏ । ଏଥିସହିତ ଦେଶର ଲୋକେ ଯେଉଁ ଜୀବନ ମୂଲ୍ୟ ଓ ସିଦ୍ଧାନ୍ତର ବିକାଶ ଘଟାଇଥାନ୍ତି, ସେଇ ଆଧାରରେ ସେମାନଙ୍କର ଶ୍ରଦ୍ଧା, ଆସ୍ଥା ଏବଂ ବିଶ୍ୱାସର ଯେଉଁ କେନ୍ଦ୍ର ସୃଷ୍ଟି ହୋଇଥାଏ, ତାହା ଦେଶ ଭାବେ ପରିଚିତ ହେବାର ଏକ ଅନିର୍ବାର୍ଯ୍ୟ ତତ୍ତ୍ଵ। ଏହି ଦୃଷ୍ଟିରୁ ବିଚାର କରାଗଲେ ଭାରତ ବର୍ଷ ହେଉଛି ବିଶ୍ୱର ପ୍ରାଚୀନତମ ରାଷ୍ଟ୍ର। ଆମର ଋଷି, ମୁନୀମାନେ ସେମାନଙ୍କର ସାଧନା ଓ ତପସ୍ୟା ପରେ ଯେଉଁ ଗୁଢ଼ତତ୍ତ୍ଵ ପ୍ରକାଶ କରିଛନ୍ତି ତାହା କେବଳ ଭାରତ ବର୍ଷ ପାଇଁ ନୁହେଁ, ସଂପୂର୍ଣ୍ଣ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ସେହି ଦୃଷ୍ଟିକୋଣ ଭାରତକୁ ବିଶ୍ୱ ଗୁରୁ ବା ଜଗତ୍ ଗୁରୁ ଭାବେ ପରିଚିତ କରାଇ ପାରିଛି ଓ ପାରିବ ମଧ୍ୟ । ବୈଦିକ ଦର୍ଶନ, ଦୃଷ୍ଟି ଓ ବିଚାର ଆଧାରରେ ଭାରତ ବର୍ଷ ଯେ କେବଳ ଜ୍ଞାନ, ବିଜ୍ଞାନ, ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଆଗକୁ ବଢ଼ିଛି ତା’ ନୁହେଁ ପରାକ୍ରମର ଦୃଷ୍ଟିରେ ମଧ୍ୟ ବିଶ୍ୱରେ ଅଗ୍ରଣୀ ହୋଇ ରହିଛି । ବିଶ୍ୱର ଏମିତି କୌଣସି କ୍ଷେତ୍ର ନାହଁ ଯେଉଁଠି କୌଣସି ନା କୌଣସି ସମୟରେ ଭାରତ ବର୍ଷର କେହି ନା କେହି ବ୍ୟକ୍ତି ଶୀର୍ଷ ସ୍ଥାନରେ ପହଞ୍ଚିବେ ନାହିଁ । ବିଶ୍ୱରେ ଯେଉଁ ସୃଷ୍ଟିର ଉତ୍‌ଥାନ ହୋଇଥିଲା ତାହା କେବଳ ଆମର ଅଥବା ଆମ ବିଜ୍ଞାନର ଦୃଷ୍ଟିରେ ହୋଇନାହିଁ। ବରଂ ଆମର ପରାକ୍ରମୀ ସମ୍ରାଟମାନଙ୍କର ପରାକ୍ରମ ଯୋଗୁଁ ହିଁ ହୋଇଛି। ଏହା ହିନ୍ଦୁ କୁଶ ପର୍ବତମାଳାର ସୀମା ପାର ହୋଇ ବହୁଦୂର ପର୍ଯ୍ୟନ୍ତ ବିକଶିତ ହୋଇ ପହଞ୍ଚି ପାରିଥିଲା । କିନ୍ତୁ ଏହି ପରାକ୍ରମି ମହାପୁରୁଷମାନେ ସେମାନଙ୍କର ଅହଂକାର ଯୋଗୁଁ ଅନ୍ୟ ଉପରେ ଆରୋପ ଲଗାଇ ନଥିଲେ କିମ୍ବା ନିଜର ଅହଂକାର ପାଇଁ ବିଜୟ ଅଭିଯାନ ଚଳାଇ ନଥିଲେ । ବରଂ ସେମାନେ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ସେମାନଙ୍କର ପରାକ୍ରମ ଏବଂ ଶକ୍ତିର ପ୍ରୟୋଗ କରିଥିଲେ । ଏହି ମହାପୁରୁଷମାନଙ୍କର ଜ୍ଞାନ ମଧ୍ୟ ବିବାଦ ପାଇଁ ନଥିଲା । ତର୍ଜମା ପାଇଁ ନଥିଲା । ସେମାନଙ୍କର ଶକ୍ତି ଅନ୍ୟକୁ ପୀଡ଼ା ଦେବାପାଇଁ ନଥିଲା । ସେମାନଙ୍କର ଯେଉଁ ସମୃଦ୍ଧି ଓ ବିକାଶ ଥିଲା ତାହା ମଧ୍ୟ ଅହଂକାରର ସାଧନ ନଥିଲା । ବରଂ ବିଦ୍ୟା ଓ ଜ୍ଞାନ ପାଇଁ ଥିଲା । ଧନ ଅନ୍ୟର ସହାୟତା ପାଇଁ ଥିଲା। ଶକ୍ତି ଅନ୍ୟର ପୀଡ଼ା ଦୂରୀକରଣ ଓ ପୀଡ଼ିତ ଲୋକଙ୍କ ରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା । ଏଇ ଦର୍ଶନ-ଦୃଷ୍ଟି ଓ ବିଚାରକୁ ଆଧାର କରି ଭାରତ ବର୍ଷ ବିଶ୍ୱ ଗୁରୁ ହେବାର ମାନ୍ୟତା ପାଇଥିଲା ।

କିନ୍ତୁ ପରମାତ୍ମାଙ୍କ ଏହି ସୃଷ୍ଟିରେ କିଛି ସ୍ଥାୟୀ ବା ବିଶୁଦ୍ଧି ହୋଇ ସବୁଦିନ ରହିନାହିଁ କି ରହିପାରିବ ନାହିଁ । ସମୟର ସହ ତାଳ ମିଳାଇ ବିସଙ୍ଗତି ଓ ବିକୃତି ମଧ୍ୟ ଆସିଥାଏ। ଏହା ମଧ୍ୟ ହୋଇଛି । ଏହି ବିସଙ୍ଗତି ଓ ବିକୃତି କାରଣରୁ ୭୦୦ ରୁ ୮୦୦ ବର୍ଷ ପର୍ଯ୍ୟନ୍ତ ଭାରତ ବର୍ଷ କେବଳ ରାଜନୈତିକ ଦୃଷ୍ଟିରୁ ପରାଧିନ ରହିଛି ତା’ ନୁହେଁ ବରଂ ଜୀବନର ସବୁ କ୍ଷେତ୍ରରେ ଲୋକେ ଅନେକ ପଛୁଆ ହୋଇଯାଇଛନ୍ତି । ଆମ ମହାପୁରୁଷମାନେ ଏ ଦେଶକୁ ସ୍ୱାଧୀନ କରିବା ପାଇଁ ବହୁବର୍ଷର ସଂଘର୍ଷ କରିଛନ୍ତି । ଏଇ ୭୦୦ ରୁ ୮୦୦ ବର୍ଷ ମଧ୍ୟରେ ଏମିତି ଗୋଟିଏ ଦିନ ନାହିଁ ଯେଉଁଠି ଭାରତ ମାତାର କେହି ନା କେହି ସନ୍ତାନ ନିଜର ବଳିଦାନ ଦେଇନାହିଁ । ଏକଥା ମଧ୍ୟ ସତ୍ୟ ଯେ ଏତେ ଦୀର୍ଘ ସମୟ କୌଣସି ଦେଶ ପରାଧିନ ହୋଇ ରହିନାହିଁ । ଏବେ ଆମେ ସ୍ୱାଧିନ । ଆମର ସ୍ୱାଧିନତାର ଲଢ଼େଇ କେବଳ ରାଜନୈତିକ ଲଢ଼େଇ ନଥିଲା ବରଂ ଆମେ ଯେଉଁ ଦର୍ଶନ, ଦୃଷ୍ଟି ଓ ବିଚାର ପାଇଁ ବିଶ୍ୱଗୁରୁର ମାନ୍ୟତା ପାଇଥିଲେ ସେଇ ଦର୍ଶନ, ଦୃଷ୍ଟି ଓ ବିଚାରକୁ ପୁନର୍ବାର ସ୍ଥାପନ କରିବାର ଲଢ଼େଇଥିଲା । ବ୍ୟକ୍ତି ରାଷ୍ଟ୍ର ଏବଂ ସମାଜର ଜୀବନରେ ସ୍ୱାଧିନତା, ଅଖଣ୍ଡତା ଓ ସ୍ୱାୟତ୍ତତାର ଗୁରୁତ୍ୱ ରହିଛି । କିନ୍ତୁ ଏହା ଠାରୁ ଅଧିକ ଗୁରୁତ୍ୱ ହେଉଛି କୌଣସି ବ୍ୟକ୍ତି, କୌଣସି ସମାଜ, କୌଣସି ରାଷ୍ଟ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ସ୍ୱତନ୍ତ୍ରତା, ଅଖଣ୍ଡତା ଏବଂ ସ୍ୱାୟତ୍ତତାକୁ କେମିତି ସୁରକ୍ଷିତ ରଖିପାରିବ । ଏକଥା ସେହି ବ୍ୟକ୍ତି, ସେହି ସମାଜ ଓ ସେହି ରାଷ୍ଟ୍ର କରିପାରିବ ଯିଏ ଶିକ୍ଷା ଏବଂ ଜ୍ଞାନ ଦୃଷ୍ଟିରୁ ସ୍ୱତନ୍ତ୍ର, ସଂପ୍ରଭୁ ଓ ସ୍ୱାୟତ୍ତ । ଏଇଥିପାଇଁ ଆମର ଭାରତବର୍ଷରେ ଶିକ୍ଷା ଓ ଜ୍ଞାନର ସ୍ୱତନ୍ତ୍ରତା ସଂପ୍ରଭୁତା ଏବଂ ସ୍ୱାୟତ୍ତତା ରକ୍ଷା କରାଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।

ଶିକ୍ଷାର ସ୍ୱାୟତ୍ତତା, ସ୍ୱତନ୍ତ୍ରତା ଓ ସଂପ୍ରଭୁତାର ପ୍ରଭାବ ସେଇ ଶିକ୍ଷାର ଜ୍ଞାନ ଏବଂ ବ୍ୟବସ୍ଥା ଉପରେ ପଡ଼ିଥାଏ ଯାହା କେବଳ ମନୁଷ୍ୟର ମସ୍ତିଷ୍କ ନୁହେଁ। ବରଂ ହୃଦୟକୁ ମଧ୍ୟ ପରିମାର୍ଜିତ କରିଦେଇଥାଏ । ଯାହା ଆମର ରାଷ୍ଟ୍ରୀୟ ଜୀବନର ମୂଲ୍ୟ ଏବଂ ମୂଳରେ ପ୍ରତିଷ୍ଠିତ । ଏଣୁ ଭାରତ ବର୍ଷର ଏହି ଦର୍ଶନ, ଦୃଷ୍ଟି ଓ ବିଚାରକୁ ବୁଝିବା, ଯେଉଁ ଆଧାରରେ ଆମର ଶିକ୍ଷାର ବିଚାର, ଆମର ଜ୍ଞାନର ବିଚାର, ଆମର ପୁରୁଷାର୍ଥ (ଧର୍ମ, ଅର୍ଥ, କାମ, ମୋକ୍ଷ)ର ବିଚାର ଆମ ଜୀବନର ମୂଳ ଉଦ୍ଦେଶ୍ୟ ହେବା ଆବଶ୍ୟକ। ଏହା ଥିଲା ମଧ୍ୟ ତାକୁ ବୁଝିବା ଆବଶ୍ୟକ। ଭାରତ ବର୍ଷ କେବଳ ତାର ନୁହେଁ, ସଂପୂର୍ଣ୍ଣ ମାନବ ଜାତିର ସୁରକ୍ଷା ପାଇଁ ପ୍ରତିବଦ୍ଧ ଥିଲା ଓ ରହିଛି । ଭାରତ ବର୍ଷର ଶିକ୍ଷା ଓ ବିଚାର ମାନବ ଜାତିର ସୁରକ୍ଷାରେ ସଫଳ ମଧ୍ୟ ହୋଇପାରିଛି । ଆଜିର ସମସ୍ୟା, ବାତାବରଣକୁ ନେଇ ଆମେ ଚିନ୍ତା କରିବାର ଆବଶ୍ୟକତା ରହିଛି ଓ ଏହା ସ୍ୱଭାବିକ୍ । ଏକଥାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ଯେ ବିଭିନ୍ନ ସମୟରେ ଆମ ଆଗରେ, ଆମ ସମାଜ ଆଗରେ ଅନେକ ସମସ୍ୟା ଦେଖାଦେଇଛି, ସମସ୍ୟା ମଧ୍ୟ ରହିଛି । କିନ୍ତୁ ଆମେ ଯଦି ଏଇ ସବୁ ସମସ୍ୟାର ସମାଧାନ ପାଇଁ ଆମ ଦର୍ଶନ, ଦୃଷ୍ଟି ବିଚାର ଅର୍ଥାତ୍ ଜୀବନ ମୂଲ୍ୟର ଅନୁକୂଳ ବାଟ ବାହାର କରିନପାରିବା ତେବେ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବରଂ ସମସ୍ୟା ସବୁଦିନ ପାଇଁ ସ୍ଥାୟୀ ହୋଇରହିଯିବ । କିନ୍ତୁ ଆମକୁ ସମସ୍ୟାର ସ୍ଥାୟୀ ଓ ମଙ୍ଗଳକାରୀ ସମାଧାନ ବାହାର କରିବାକୁ ପଡ଼ିବ । ଆଗାମୀ ପିଢ଼ୀ କିପରି ସମସ୍ୟାର ସାମନା ନକରିବେ ଓ କିପରି ନୂଆ ସମସ୍ୟା ସୃଷ୍ଟି ନହେବ ସେ ବାବଦରେ ଚିନ୍ତା କରିବାକୁ ହେବ । ଆମର ପୁରୁଷାର୍ଥରେ ଧର୍ମରେ ମଧ୍ୟ ଅର୍ଥ, କାମ ଓ ମୋକ୍ଷ ସାମିଲ ହୋଇରହିଛି । ଅର୍ଥାତ୍ ଏସବୁ ପରସ୍ପରର ପରିପୂରକ । ଅର୍ଥରେ କାମ ମୋକ୍ଷ ସାମିଲ ଏବଂ ମୋକ୍ଷରେ ମଧ୍ୟ ଧର୍ମ, ଅର୍ଥ, କାମ ସାମିଲ । ପୁରୁଷାର୍ଥ ନଥିଲେ ମୋକ୍ଷ କାଳଜୟୀ ହୋଇପାରିନଥାଏ । ଆଗାମୀ ପିଢ଼ୀ ଏଥିରେ ଯୋଡ଼ିହୋଇ ପାରିଲେ ଅନେକ ସମସ୍ୟାର ସ୍ୱତଃ ସମାଧାନ ହୋଇପାରିବ। ଏଥିପାଇଁ କୌଣସି ଆଇନ୍‌, ବିଧେୟକ ଏପରିକି ସରକାରୀ ହସ୍ତକ୍ଷେପର ଆବଶ୍ୟକତା ରହିବ ନାହିଁ । କେବଳ ଏତିକି ନୁହେଁ, ଯେଉଁମାନେ ଏହି ଦର୍ଶନ, ଦୃଷ୍ଟି ଓ ବିଚାରକୁ ଗ୍ରହଣ କରିବେ ଏବଂ ଏହାକୁ ଆଧାର କରି କାର୍ଯ୍ୟକରିବେ ସେମାନେ ଯେ କେବଳ ନିଜର ନିର୍ମାଣ (ଉତ୍‌ଥାନ) କରିପାରିବେ ତା’ନୁହେଁ ସେମାନଙ୍କ ସହ ଜଡ଼ିତ ସମସ୍ତଙ୍କର ସଂରକ୍ଷଣ ଓ ସଂବର୍ଦ୍ଧନ କରିପାରିବେ । ଯେତିକି ଅଧିକ ଲୋକ ଏହାକୁ ଗ୍ରହଣ କରିବେ ପ୍ରକୃତି ଓ ମାନବ ଜାତିର ସଂବର୍ଦ୍ଧନ ଓ ସଂରକ୍ଷଣ ମଧ୍ୟ ସେତିକି ସୁନିଶ୍ଚିତ ହେବ । ଏଇଥିପାଇଁ କୁହାଯାଏ ଯେ – ଧର୍ମୋ ରକ୍ଷତି ରକ୍ଷିତଃ ।

ରାମଚନ୍ଦ୍ରପୁର, ରଣପୁର,
ମୋ.-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।