ଭାରତୀୟଙ୍କ ଘରେ ମୁଣ୍ଡପିଛା ନଷ୍ଟ ହେଉଛି ୫୦ କିଲୋ ଖାଦ୍ୟ

ନୂଆଦିଲ୍ଲୀ : ୟୁନାଇଟେଡ୍‌ ନେସନ୍‌ସ୍‌ ଏନ୍‌ଭାଇରନ୍‌ମେଣ୍ଟ୍‌ ପ୍ରୋଗ୍ରାମ୍‌ (ୟୁଏନ୍‌ଇପି) ଦ୍ୱାରା ‘ଫୁଡ୍‌ ୱେଷ୍ଟ୍‍ ଇଣ୍ଡେକ୍ସ୍‍ ରିପୋର୍ଟ-୨୦୨୧’ ପ୍ରକାଶ ପାଇଛି। ଏଥିରେ ଦର୍ଶଯାଇଛି ପ୍ରତିବର୍ଷ ଭାରତୀୟ ଘରମାନଙ୍କରେ ମୁଣ୍ଡପିଛା ୫୦ କିଲୋ ଖାଦ୍ୟ ନଷ୍ଟ ହେଉଛି।

ଗୁରୁବାର ପ୍ରକାଶିତ ‘ୟୁଏନ୍‌ଇପି’ ରିପୋର୍ଟ ଅନୁସାରେ ପ୍ରାୟ ୯୩୧ ନିୟୁତ ଟନ୍‌ ଖାଦ୍ୟ ବା ୨୦୧୯ରେ ବିଶ୍ୱବ୍ୟାପୀ ଖାଉଟିମାନଙ୍କୁ ମିଳିଥିବା ସମୁଦାୟ ଖାଦ୍ୟର ୧୭ ପ୍ରତିଶତ ଭାରତୀୟ ଘର, ଖୁଚୁରା ବିକ୍ରୟ କେନ୍ଦ୍ର, ରେସ୍ତୋରାଁ ଓ ଅନ୍ୟାନ୍ୟ ଖାଦ୍ୟ ଯୋଗାଣକାରୀଙ୍କ ଆବର୍ଜନା କୁଣ୍ଡ ବା ‘ୱେଷ୍ଟ୍‍ ବିନ୍‌’ରେ ଫିଙ୍ଗାଯାଇଛି। ସେହିପରି ୨୦୧୯-୨୦ ବର୍ଷରେ ଭାରତରେ ଉତ୍ପାଦିତ ଖାଦ୍ୟଶସ୍ୟ, ତୈଳବୀଜ, ଆଖୁ ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀକୁ ମିଶାଇଲେ ଯେତେ ହେବ, ସମଗ୍ର ବିଶ୍ୱରେ ପ୍ରାୟ ସେତିକି ଓଜନର ଖାଦ୍ୟ ନଷ୍ଟ ହୋଇଥିବା କୁହାଯାଇଛି।

ରିପୋର୍ଟରୁ ଜଣାପଡ଼ିଛି ବିଶ୍ୱର ଅଧିକ ପ୍ରତିଶତ ଖାଦ୍ୟ ଲୋକମାନଙ୍କ ଘରେ ନଷ୍ଟ ହେଉଛି। ଏହାଛଡା ଖାଦ୍ୟ ଯୋଗାଣକାରୀ ଅନୁଷ୍ଠାନ ଓ ଖୁଚୁରା ବିକ୍ରୟ କେନ୍ଦ୍ରମାନଙ୍କରେ ମଧ୍ୟ ଖାଦ୍ୟ ନଷ୍ଟ ହେଉଥିବା ଦର୍ଶଯାଇଛି। ସେହିପରି ଯଦି ବିଶ୍ଵର ମୁଣ୍ଡପିଛା ହାର ହିସାବ କରାଯାଏ ତାହେଲେ ପ୍ରତିବର୍ଷ ଖାଉଟିସ୍ତରରେ ୧୨୧ କିଲୋ ଖାଦ୍ୟ ନଷ୍ଟ ହେଉଛି। ଏଥିରୁ ଲୋକମାନଙ୍କ ଘରେ ନଷ୍ଟ ହେଉଛି ୭୪ କିଲୋ।

ଦକ୍ଷିଣ ଏସୀୟ ଦେଶମାନଙ୍କରେ ହେଉଥିବା ଖାଦ୍ୟ ନଷ୍ଟ ଆକଳନ ଅନୁସାରେ ଭାରତରେ ପ୍ରତିବର୍ଷ ମୁଣ୍ଡପିଛା ୫୦ କିଲୋ ଖାଦ୍ୟ ନଷ୍ଟ ହେଉଛି। ଏହି ହାର ଆଫଗାନିସ୍ତାନରେ ୮୨ କିଲୋ, ନେପାଳରେ ୭୯ କିଲୋ, ଶ୍ରୀଲଙ୍କାରେ ୭୬ କିଲୋ, ପାକିସ୍ତାନରେ ୭୪ କିଲୋ ଓ ବାଂଲାଦେଶରେ ୬୫ କିଲୋ ରହିଛି।

Leave a Reply

Your email address will not be published. Required fields are marked *

Back to top button