ଭିଜିଲାନ୍ସ ଜାଲରେ ଫସିଲେ ବାଙ୍ଗିରପୋଷି ତହସିଲ୍‌ଦାର

ବାଲେଶ୍ଵର : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ତହସିଲ୍‌ଦାର ଅଭିମନ୍ୟୁ ପଣ୍ଡା ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି। ତାଙ୍କୁ ଭିଜିଲାନ୍‌ସ ଗିରଫ କରିଥିବା ବେଳେ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଛି।

ଶୁକ୍ରବାର ଭିଜିଲାନ୍‌ସର ସୂଚନା ଅନୁଯାୟୀ ତହସିଲଦାର ଶ୍ରୀ ପଣ୍ଡାଙ୍କ ନାଁରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ବାଲେଶ୍ଵର ଭିଜିଲାନ୍‌ସ ଏସ୍‌ପି ସନ୍ତୋଷ କୁମାର ମିଶ୍ର ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ‌ଜଣେ ବ୍ୟକ୍ତିଙ୍କଠାରୁ ଶ୍ରୀ ପଣ୍ଡା ୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଜାଣିବା ପରେ ଏସ୍‌ପି ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶରେ ଭିଜିଲାନ୍‌ସ ଡିଏସ୍‌ପି ଏସ୍‌କେ ସାମନ୍ତରାୟ, ଇନ୍‌ସପେକ୍ଟର ସୁଶୀଲ ଏକ୍କା, ଦୁଷ୍ମନ୍ତ ନାୟକ, ଜୟନ୍ତୀ ଦଳେଇଙ୍କ ନେତୃତ୍ଵରେ ଏକ ଟିମ୍‌ ତାଙ୍କ ଉପରେ ନଜର ରଖିଥିଲା।

ଅପରାହ୍ନରେ ଶ୍ରୀ ପଣ୍ଡା ସରକାରୀ ଗାଡ଼ିରେ ବାଲେଶ୍ଵରସ୍ଥିତ ଘରକୁ ଫେରୁଥିବା ବେଳେ ନହରପାଟଣା ଭିଜିଲାନ୍‌ସ ଟିମ୍‌ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ତାଙ୍କ ନିକଟରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଥିଲା। ତେବେ ଏତେ ଟଙ୍କା ସେ କେଉଁଠୁ ଓ କାହାଠାରୁ ଆଣିଲେ ତାର ହିସାବ ସେ ଦେଇ ପାରିନଥିଲେ। ସନ୍ତୋଷଜନକ ଉତ୍ତର ନମିଳିବାରୁ ତାଙ୍କୁ ଭିଜିଲାନ୍‌ସ କାର୍ଯ୍ୟାଳୟକୁ ଅଣାଯାଇ ଜେରା କରାଯାଉଛି। ଖୁବ୍‌ଶୀଘ୍ର ଶ୍ରୀ ପଣ୍ଡାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଓ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ସ୍ଥାବର, ଅସ୍ଥାବର ସମ୍ପତ୍ତି ଆକଳନ କରାଯିବ ବୋଲି ଭିଜିଲାନସ୍ ଏସ୍‌ପି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button