ଭୋଟ ଗଣତି ଦିନ ସୁପର ସ୍ପ୍ରେଡର୍ ସମାବେଶ ନହେଉ : ମାଡ୍ରାସ ହାଇକୋର୍ଟ

ମୁମ୍ବାଇ : ମତଦାନ ସମୟରେ ଯେଉଁ ସମସ୍ୟା ହୋଇଥିଲା ଭୋଟ ଗଣତିରେ ହେବା ଅନୁଚିତ। ସେହି ଦିନଟି ସୁପର ସ୍ପ୍ରେଡର୍ ସମାବେଶ ନହେଉ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ। ଏଥିସହ ନିର୍ବାଚନ କମିସନ, ରାଜ୍ୟ ସରକାର ଓ ରାଜନୈତିକ ଦଳକୁ ଏନେଇ ନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି।

ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ଜଷ୍ଟିସ ସେନ୍ଥିଲକୁମାର ରାମାମୂର୍ତ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ ଭୋଟ୍ ଗଣତି ଦିନ କୋଭିଡ ନିୟମ ପାଳନ ନେଇ ଆୟୋଗ ଦ୍ଵାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଜାଣିବାକୁ ଚାହିଁଥିଲେ। ଏହି ସମୟରେ ତାମିଲନାଡୁର ଆଡଭୋକେଟ ଜେନେରାଲ ବିଜୟ ନାରାୟଣ କହିଥିଲେ ସ୍ୱାସ୍ଥ୍ୟ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କୋର୍ଟଙ୍କ ପୂର୍ବ ପର୍ଯ୍ୟବେକ୍ଷଣକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଗଣନା ସମୟରେରେ କୋଭିଡ ପ୍ରୋଟୋକଲ ଅନୁସରଣ କରାଯିବ ବୋଲି କହିଛନ୍ତି। ଇଭିଏମ୍ ସାନିଟାଇଜେସନ୍, କାଉଣ୍ଟିଂ ହଲ୍ ସାନିଟାଇଜେସନ୍, ଥର୍ମାଲ୍ ସ୍କାନିଂ, ମାସ୍କ, ନେଗେଟିଭ୍ କୋଭିଡ ରିପୋର୍ଟ ଓ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେ କହିଥିଲେ ନିର୍ବାଚନ କମିସନ ବିଜୟ ରାଲି ଉପରେ କଟକଣା ଲଗାଇଛନ୍ତି। ବିଜୟ ନାରାୟଣଙ୍କ ପକ୍ଷ ଶୁଣିବା ପରେ ଖଣ୍ଡପୀଠ କହିଥିଲେ ନିୟମ କରାଯାଇଥିଲେ ମଧ୍ୟ ବିଜୟ ହାସଲ ପରେ ଜିତିଥିବା ଦଳ ରାସ୍ତାକୁ ଆସି ରାଲି କରିବେ। ଏନେଇ ଆପଣଙ୍କୁ ବଡ଼ ପଦକ୍ଷେପ ନେବାକୁ ହେବ। ଏଥିସହ ଗଣମାଧ୍ୟମକୁ ଭିଡ଼ ଜମାଇବାରୁ କିପରି ରୋକିବେ ସେ ନେଇ କିଛି ପ୍ରେଟୋକଲ ଅଛି କି ନାହିଁ ବୋଲି ଖଣ୍ଡପୀଠ ପଚାରିଥିଲେ। ଏକ ଛୋଟ ଗଣନା ବୁଥ ଆଗରେ ୪୭ ସାମ୍ବାଦିକ, ୫୦ କ୍ୟାମେରାମେନ, ୨୦୦ ଟେକ୍ନିସିଆନଙ୍କ ସହିତ ୨୪ ଓବି ଭ୍ୟାନ ରହିପାରିବ ନାହିଁ। ସେଥିପାଇଁ ପ୍ରୋଟୋକଲ୍ ରହିବା ଆବଶ୍ୟକ। ଖଣ୍ଡପୀଠଙ୍କ ଏହି ପ୍ରଶ୍ନ ପରେ ଆସନ୍ତାକାଲି ଉତ୍ତର ରଖିବେ ବୋଲି ଆଡଭୋକେଟ ଜେନେରାଲ ବିଜୟ ନାରାୟଣ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button