ଭୁବନେଶ୍ୱରରେ କର୍କଟ ହସ୍ପିଟାଲ ପ୍ରତିଷ୍ଠା ହେବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ହେବ ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର। ଏହି କ୍ୟାନସର ହସ୍ପିଟାଲ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିବା ବେଳେ ଅନ୍ୟ କେତେକ ପ୍ରସ୍ତାବକୁ ମିଳିଛି ଅନୁମୋଦନ।

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଛି ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ହେବ। ରାଜ୍ୟ ଦକ୍ଷତାବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ମୋ ସ୍କୁଲ୍ କାର୍ଯ୍ୟକ୍ରମ ଅଧ୍ୟକ୍ଷା ସସ୍ମିତା ବାଗଚୀ ଏଥିପାଇଁ ୩୪୦ କୋଟି ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାର ଇନଫୋସିଟି-୨ରେ ୨୦ ଏକର ଜମି ମାଗଣାରେ ଯୋଗାଇଦେବେ। ଏହି ହସ୍ପିଟାଲରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ମିଳିବ। ଜାନୁଆରୀ ୨୦୨୪ ସୁଦ୍ଧା ୨୫୦ ଶଯ୍ୟାରେ ଚିକିତ୍ସା ସୁବିଧା ମିଳିବ। ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ରଖାଯିବ।

ସେହିପରି ନିଷ୍ପତ୍ତି ହୋଇଛି ସହରାଞ୍ଚଳରେ ଶିକ୍ଷାନୁଷ୍ଠାନମାନଙ୍କ ସହ ଭାଗିଦାରିରେ ଏସସି ଓ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଅନ୍ୱେଷା ଯୋଜନାକୁ ଆଉ ୫ବର୍ଷ ଚାଲୁ ରଖାଯିବ। ଏଥିପାଇଁ ୨୦୨୦-୨୧ରୁ ୨୦୨୪-୨୫ ବର୍ଷ ପାଇଁ ୫୬୯ କୋଟି ୯୦ଲକ୍ଷ ବ୍ୟୟ ଅଟକଳ ରଖାଯାଇଛି। ଆସନ୍ତା ୫ବର୍ଷ ଭିତରେ ଏହି ଯୋଜନାରେ ଅଢ଼େଇ ହଜାର ନୂଆ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏହାଛଡା ଓଡ଼ିଶା ମଙ୍ଗଳ ସେବା ( ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ)ର ସଂଶୋଧନ କରାଯାଇଛି। ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button