ଭୁଷଣ ଷ୍ଟିଲ୍କୁ କିଣିଲା ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର

ଝାରସୁଗୁଡ଼ା : ଝାରସୁଗୁଡା ଠେଲକୋଲୋ ଠାରେ ଥିବା ଭୁଷଣ ଷ୍ଟିଲ କାରଖାନା ବିକ୍ରି ହୋଇଛି। ଆଜି ବିଧିବଦ୍ଧ ଭାବେ କିଣି ନେଇଛି ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର। ୨୦୦୪ରୁ ଏହି କାରଖାନା ସଞ୍ଜୟ ସିଂହଲଙ୍କ ମାଲିକାନାରେ ଚାଲୁଥିଲା। ଏବେ ଏହାର ପରିଚାଳନା ଜିନ୍ଦଲ ହାତକୁ ଯାଇଛି।
ସୂଚନାଯୋଗ୍ୟ ଭୁଷଣ ଷ୍ଟିଲ କମ୍ପାନୀର ମାଲିକ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୫୦ ହଜାର କୋଟି ଟଙ୍କା ଋଣ ନେଇ ଦେବାଳିଆ ହୋଇଥିଲେ। ଯାହାଫଳରେ ୪ ବର୍ଷରୁ ଅଧିକ ହେବ ଏହି କାରଖାନାକୁ ବ୍ୟାଙ୍କ ସମୂହ ଚଳାଇ ଆସୁଥିଲେ। ଏନସିଏଲଟି ପକ୍ଷରୁ ଏହି କାରଖାନାକୁ ନିଲାମ କରାଯିବାକୁ ବିଡିଂ ଆହ୍ୱାନ କରାଯିବା ପରେ ଟାଟା କଂପାନି ଏଥିପାଇଁ ଆଗ୍ରହ ପ୍ରକାଶ କରିଥିଲା। କିନ୍ତୁ ଟାଟାଠାରୁ ଅଧିକ ଅର୍ଥ ଦେବାକୁ ରାଜି ହେବାରୁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ବିକ୍ରି କରିବାକୁ ଏନସିଏଲଟି ନିଷ୍ପତ୍ତି ନେଇଥିଲା।
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପ୍ରାପ୍ୟ ପ୍ରଦାନ କରି କାରଖାନା ପରିଚାଳନା ଭାର ନେବାକୁ ଏନସିଏଲଟି ନିର୍ଦ୍ଦେଶ ଦେଇଛି। ନିଲାମ୍ ମୁଲ୍ୟ ବାବଦକୁ ଜେଏସଡବ୍ଲୁ ୧୯ ହଜାର ୩୫୦ କୋଟି ଟଙ୍କା ପ୍ରଦାନ କରିଛି। ଭୂଷଣ ଷ୍ଟିଲ କାରଖାନା କିଣିବା ପରେ ଜିନ୍ଦଲ କର୍ମଚାରୀ ମହଲରେ ରହିଥିବା ଆଶଙ୍କା ଦୂର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।