ଭୂତାଣୁ ଫେରାଇ ଆଣିବ ଦୃଷ୍ଟିହୀନଙ୍କ ଦୃଷ୍ଟିଶକ୍ତି

ମଣିଷର ଦୃଷ୍ଟିଶକ୍ତି ଫେରାଇ ଆଣିବ ଭାଇରସ୍‌ ବା ଭୂତାଣୁ। ଆମେରିକାର ବୈଜ୍ଞାନିକମାନେ ଏମିତି ଏକ ଭୂତାଣୁର ସନ୍ଧାନ ପାଇଛନ୍ତି। ଯାହାର ଜେନେଟିକ୍‌ ସଂରଚନାରେ ପରିବର୍ତ୍ତନ କରି ଦୃଷ୍ଟିହୀନ ବ୍ୟକ୍ତଙ୍କ ଦୃଷ୍ଟିଶକ୍ତି ଫେରାଇ ଅଣାଯାଇ ପାରିବ ବୋଲି ସେମାନେ ଦାବି କରିଛନ୍ତି। ଅନ୍ଧ ମୂଷା ଉପରେ କରାଯାଇଥିବା ପରୀକ୍ଷାରେ ବୈଜ୍ଞାନିକଙ୍କୁ ସଫଳତା ମିଳିଛି। ମୂଷାର ଦୃଷ୍ଟିଶକ୍ତି ଫେରିଆସିଥିଲେ ହେଁ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନାହିଁ।

ଟେକ୍ସାସ୍‌ ନାନୋସ୍କୋପ୍‌ ଫାର୍ମର ବରିଷ୍ଠ ବୈଜ୍ଞାନିକ ସୁବ୍ରତ ବଟବ୍ୟାଲ୍‌ କହିଛନ୍ତି ମୂଷା ଦେହରେ ସଫଳ ପରୀକ୍ଷଣ ପରେ ଏବେ ମଣିଷଙ୍କ ଉପରେ ଏହାର ପରୀକ୍ଷଣ ହେବ। ମଣିଷ ଉପରେ ଜେନେଟିକାଲି ମୋଡିଫାଏଡ୍‌ (ଜିଏମ) ଭାଇରସ୍‌ ପ୍ରୟୋଗ କରିବା ନେଇ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ତେବେ ପରୀକ୍ଷଣ ପରେ ମଣିଷର ଆଖି ଦ୍ରୁତ ବେଗରେ ଆସୁଥିବା ବସ୍ତୁ ଦେଖିବାରେ ଅସୁବିଧା ହେଉଛି କି ନାହିଁ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।

ବୈଜ୍ଞାନିକମାନେ କହିଛନ୍ତି ଦୃଷ୍ଟିହୀନ ମୂଷାର ଦୃଷ୍ଟିଶକ୍ତି ଫେରାଇବା ପାଇଁ ଏକ ଜିନ୍‌ ଥେରାପିର ବ୍ୟବହାର କରଯାଇଥିଲା। ଯାହାକି ଏକ ଲାଇଟ୍‌ ସେନ୍ସରିଂ ପ୍ରୋଟିନ୍‌ ବିକଶିତ କରିବାରେ ସହାୟକ ହୋଇଥିଲା। ଏହି ପ୍ରୋଟିନ୍‌ ଆଖିର ପଛ ଭାଗରେ ଦୃଷ୍ଟି କ୍ଷମତା ବଢ଼ାଇବାରେ ସାହାଯ୍ୟ କରିଥିଲା। ଏହି ଥେରାପିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନାହିଁ ବୋଲି ସେମାନେ ମତ ଦେଇଛନ୍ତି।

ଏହି ପରୀକ୍ଷଣ ଯଦି ମଣିଷ ଉପରେ ସଫଳ ସାବ୍ୟସ୍ତ ହୁଏ ତେବେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ୨୦ ଫୁଟ୍‌ ଦୂରତାରେ ସବୁ କିଛି ଦେଖିପାରିବ। କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ୬୦ ଫୁଟ୍‌ ଦୂରତାରେ ଦେଖିପାରେ। ତେବେ ଏହି ଭାଇରସ୍‌ର ମାନବ ପରୀକ୍ଷଣ ଚଳିତବର୍ଷ ଶେଷ ଆଡ଼କୁ ହୋଇପାରେ ବୋଲି ଜଣାପଡ଼ିଛି।

ମତାମତ ଦିଅନ୍ତୁ ।