ବିଧବା ଭାଉଜ ସହ ବିବାହ : ଜୀବନ ହାରିଲେ ଯୁବକ

ରାଞ୍ଚୀ : ଝାଡଖଣ୍ଡର ରାମଗଡ ଜିଲ୍ଲା ରାମଗଡ ଥାନା ଅଧିନସ୍ତ ରୋଲା ବଗିଚା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ପ୍ରେମିକା ପରିବର୍ତ୍ତେ ଗାଁ ମୁରବିଙ୍କ ଚାପରେ ବିଧବା ଭାଉଜକୁ ବାହା ହେବାରୁ ୨୫ ବର୍ଷୀୟ ଯୁବକ ମାନସିକ ଆଘାତ ପାଇ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ମୃତ ଯୁବକଙ୍କ ବାପା ସୁଖଲାଲଙ୍କ କହିଛନ୍ତି ତାଙ୍କ ପୁଅ ଲବ କୁମାରର ଗ୍ରାମର ଜଣେ ବ୍ୟକ୍ତିଙ୍କ ବିବାହିତ ଝିଅ ସହ ପ୍ରେମ ସମ୍ପର୍କ ଥିଲା। ବିବାହିତଙ୍କ ଶାଶୂଘର ରାମଗଡ ଓ ତାଙ୍କର ଦୁଇଜଣ ସନ୍ତାନ ଅଛନ୍ତି। ଗତ ଅକ୍ଟୋବର ୧୭ରେ ଲବ କୁମାରଙ୍କୁ ତାଙ୍କ ପ୍ରେମିକା ଶାଶୂଘରକୁ ଡାକିଥିଲେ। ପ୍ରେମିକାର ଶାଶୂଘର ଲୋକେ ଲବ୍ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ। ଏଥିସହ ମାଡ ମଧ୍ୟ ମାରିଥିଲେ। ସେଠାରୁ ଖସି ଆସି ଲବ୍ କୁମାର ନିଜ ମାମୁଁଙ୍କ ଘର ଭୁରକୁଣ୍ଡାକୁ ଚାଲିଯାଇ ଗୋଟିଏ ସପ୍ତାହ ଧରି ରହିଥିଲେ।

ଏହି ଘଟଣା ପରେ ପ୍ରେମିକାର ସ୍ୱାମୀ ରାମଗଡ ଥାନାରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଯୁବକ ଓ ତାଙ୍କ ପରିବାର ଲୋକଙ୍କୁ ଅକ୍ଟୋବର ୩୧ ତାରିଖରେ ଥାନାକୁ ଡାକିବା ପୂର୍ବରୁ ଗ୍ରାମରେ ପଞ୍ଚାୟତ ବସିଥିଲା। ପଞ୍ଚାୟତରେ ଯୁବକଙ୍କଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ନିଆଯାଇଥିଲା। କଥା ଏତିକିରେ ସରିଲାନି। ପଞ୍ଚାୟତରେ ଲବଙ୍କୁ ତାଙ୍କ ବିଧବା ଭାଉଜଙ୍କ ସହ ବିବାହ କରି ଦିଆଯାଇଥିଲା। କିନ୍ତୁ ଚତୁର୍ଥୀ ରାତି ପୂର୍ବରୁ ଲବ୍ ଘରେ କେହି ନଥିବା ବେଳେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ସେହିପରି ଲବ୍‌ଙ୍କ ବିଧବା ଭାଉଜ କହିଛନ୍ତି ତାଙ୍କ ଦିଅରଙ୍କ ସହ ପଞ୍ଚାୟତରେ କ’ଣ ହୋଇଛି ସେ ଜାଣି ନାହାଁନ୍ତି। କିନ୍ତୁ ଲବ୍ ଚାପରେ ରହୁଥିଲେ। ଏପରିକି ତାଙ୍କୁ ବଞ୍ଚାଇବା ପାଇଁ ନେହୁରା ହେବା ସହ ମଥାରେ ସିନ୍ଦୁର ଲଗାଇଥିଲେ। ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ଗାଁର ସରପଞ୍ଚଙ୍କ ସହ ଆଉ କିଛି ଲୋକ ଲବଙ୍କୁ ଧମକ ଦେଉଥିବା ପୋଲିସ ଜାଣିବାକୁ ପାଇଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏସପି କହିଛନ୍ତି।

ମତାମତ ଦିଅନ୍ତୁ ।