ବିଧାନସଭା ପରିସରରୁ ଧାରଣାରୁ ଉଠିଲେ ବିଜେପି ବିଧାୟକ

ଭୁବନେଶ୍ୱର : ବିଧାନସଭା ପରିସର ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ବିଧାୟକମାନେ ଗତକାଲିଠାରୁ ଧାରଣାରେ ବସିଥିଲେ। ବିଜେପି ସହପ୍ରଭାରୀ ବିଜୟପଲ ସିଂହ ତୋମାର ସେମାନଙ୍କୁ ଭେଟିବା ପରେ ଧାରଣା ପ୍ରତ୍ୟାହାର କରିଛନ୍ତି। ତେବେ ବିଜୟପଲଙ୍କ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାରଣାରତ ବିଜେପି ବିଧାୟକଙ୍କୁ ଭେଟି ଆଲୋଚନା କରିଥିଲେ। ଏହି ଅବସରରେ ନରସିଂହ କହିଛନ୍ତି ୫ ଦିନ ପୁର୍ବରୁ ଗୃହ ବନ୍ଦ କରିଦିଆଯାଇଥିବା ବେଳେ ହୋହଲ୍ଲା ଭିତରେ ବିଧେୟକ ପାରିତ ହୋଇଛି। ଆଲୋଚନାରେ ବିରୋଧୀଙ୍କୁ ସାମିଲ କରାନଯାଇ ଯେଉଁ ଭଳି ଭାବେ ବିଲ୍ ପାସ କରାଯାଉଛି ତାହା ଅଗଣତାନ୍ତ୍ରିକ। ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣାରେ ବିଜେପିର ୩ ସଦସ୍ୟ ଜୟ ନାରାୟଣ ମିଶ୍ର, ମୋହନ ଚରଣ ମାଝୀ ଓ ବିଷ୍ଣୁ ଚରଣ ସେଠୀଙ୍କ ନିଲମ୍ବନ ପ୍ରତିବାଦରେ ବିଧାନସଭା ପରିସର ଗାନ୍ଧୀମୂର୍ତ୍ତି ତଳେ ବିଜେପି ବିଧାୟକମାନେ ଅହୋରାତ୍ର ଧାରଣା ଦେଇଥିଲେ। ବିଲ୍‌ ଆଲୋଚନା ବେଳେ ବିରୋଧୀ ସଦସ୍ୟମାନଙ୍କୁ ଭାଗ ନେବାକୁ ବାଚସ୍ପତି ସୁଯୋଗ ଦେଇନାହାନ୍ତି ବୋଲି ସେମାନେ କହିଥିଲେ। ମୁଲତବୀ ଆଲୋଚନା ଦାବି କରିବା ବିରୋଧୀମାନଙ୍କର ଅଧିକାର। ସେ ଅଧିକାର ବାଚସ୍ପତି ଦେଇନଥିବାରୁ ସେମାନେ ଧାରଣାରେ ବସିଲେ ବୋଲି କହିଥିଲେ।

ଅନ୍ୟପକ୍ଷରେ ଶନିବାର ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଧାରଣାରତ ବିଧାୟକମାନଙ୍କୁ ବୁଝାଇଲେ। କିନ୍ତୁ ସେମାନେ ତାଙ୍କ କଥା ନମାନି ଗତକାଲିଠାରୁ ଧାରଣାରେ ବସିଥିଲେ। ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ମୋହନ ଚରଣ ମାଝୀ ଓ ବିଷ୍ଣୁ ଚରଣ ସେଠୀ ଗୃହରୁ ନିଲମ୍ବିତ ହେବା ପରେ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button