ବିଧାନସଭାର ସମସ୍ତ ଆଲୋଚନା ଓ ରିପୋର୍ଟର ଡିଜିଟାଇଜେସନ୍‌ ପାଇଁ ବୈଠକ

ଭୁବନେଶ୍ୱର : ବିଧାନସଭା ବୈଠକର ସମସ୍ତ ଆଲୋଚନା ବିବରଣୀ ଓ ବିିଭିନ୍ନ କମିଶନର ରିପୋର୍ଟ ଡିଜିଟାଇଜେସନ୍‌ କରିବାକୁ ହୋଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟପ୍ରଗତି ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗକୁ ଏନେଇ ୩.୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ ପଠାଯାଇଛି। ବର୍ତ୍ତମାନ ବିଭାଗ ତରଫରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଉଥିବା ସୂଚନା ମିଳିଛି। ବାକି ଅର୍ଥର ବ୍ୟୟ ଅଟକଳ ପ୍ରସ୍ତାବ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ପ୍ରେରଣ କରି ତୁରନ୍ତ ଅନୁମୋଦନ କରାଇବା ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଆଲୋଚନାର ବିବରଣୀରୁ ପ୍ରକାଶ ବିଧାନସଭାରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ପ୍ରାୟ ୧୦ ହଜାର ନଥି ନଷ୍ଟ ହେବା ଅବସ୍ଥାକୁ ଆସିଗଲାଣି। ସେଗୁଡ଼ିକର ପୁନରୁଦ୍ଧାର କରାଯିବା ନିହାତି ଆବଶ୍ୟକ। ସେହିପରି ରେକର୍ଡ ମାନୁଆଲ ଅନୁଯାୟୀ ବିଧାନସଭା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ଗୁଡ଼ିକର ମଧ୍ୟ ଡିଜିଟାଇଜେସନ୍‌ କରାଯିବ। ଏଥିସହ ବିଧାନସଭା ଗ୍ରନ୍ଥାଗାରର ସମସ୍ତ ପୁସ୍ତକଗୁଡ଼ିକ ଇ-ମୋଡ୍‌ରେ ସ୍ଥାନିତ କରାଯିବ। ଫାଇଲ୍‌ ଗୁଡ଼ିକର ସ୍କାନିଂ ପାଇଁ ଓକାକ୍‌ ମାଧ୍ୟମରେ ଟେଣ୍ଡର ଆହ୍ୱାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ବିଧାନସଭା ତଥ୍ୟର ଡିଜିଟାଇଜେସନ୍‌ ନିମନ୍ତେ ପୁନେ ଓ ହାଇଦ୍ରାବାଦ୍‌ର ଦୁଇଟି ପ୍ରତିଷ୍ଠିତ ଆଇଟି ସଂସ୍ଥା ସହ ଆଲୋଚନା କରାଯାଇ ଏ ସଂପର୍କିତ ବିସ୍ତୃତ ବିବରଣୀ ପ୍ରଦାନ ପାଇଁ ସଂପୃକ୍ତ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଜାତୀୟ ସୂଚନା ପ୍ରଯୁକ୍ତ ବିଦ୍ୟା ବିଭାଗୀୟ ଅଧିକାରୀ ସରିତା ସାହୁ ଓ ବିଧାନସଭା ଗ୍ରନ୍ଥାଗରର ଉପନିର୍ଦ୍ଦେଶକ ଆରତୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button