ବିଦ୍ୟୁତ୍ ଦର ବୃଦ୍ଧି ପ୍ରତ୍ୟାହାର କରାଯାଉ : କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାର ବର୍ଦ୍ଧିତ ବିଜୁଳି ଦରକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ନଚେତ ଆଗାମୀ ଦିନରେ ବଡ ଧରଣର ଜନଆନ୍ଦୋଳନ ହେବ। କଂଗ୍ରେସ ଆଜି ଏହି ଚେତାବନୀ ଦେଇଛି।

ମଙ୍ଗଳବାର ପ୍ରଦେଶ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ ବିଦ୍ୟୁତ ଦର ବୃଦ୍ଧିକୁ କଠୋର ସମାଲୋଚନା କରିଛନ୍ତି। ସେ କହିଛନ୍ତି କରୋନା ସମୟରେ ବିଦ୍ୟୁତ ଦର ବୃଦ୍ଧି ସବୁ ଶ୍ରେଣୀର ଉପଭୋକ୍ତାଙ୍କୁ ବାଧିଛି। ଚାଷୀ ଓ ବିପିଏଲ୍ ଉପଭୋକ୍ତା ଏଥିରୁ ବାଦ୍ ଯାଇଥିବା ସରକାର କହୁଛନ୍ତି। କିନ୍ତୁ ରାଜ୍ୟରେ ଚାଷ ପାଇଁ ମାତ୍ର ୨% ବିଦ୍ୟୁତ୍ ବ୍ୟବହାର ହେଉଥିବା ବେଳେ ବିପିଏଲ୍ ଉପଭୋକ୍ତା ମାତ୍ର ୭%। ଏଥିମଧ୍ୟରେ ୫୦ ୟୁନିଟ୍‌ରୁ କମ୍ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ସଂଖ୍ୟା ଖୁବ୍ ସୀମିତ। ତେଣୁ ସରକାରଙ୍କ ସଫେଇ ହାସ୍ୟାସ୍ପଦ ମନେହୁଏ। ସେ କହିଲେ ରାଜ୍ୟର ମୋଟ୍ ବିଦ୍ୟୁତ୍ ବ୍ୟୟର ୨୨% ଖୁବ୍ କମ୍ ଦରରେ ଅର୍ଥାତ୍ ପାଖାପାଖି ୟୁନିଟ୍ ପିଛା ୨ ଟଙ୍କା ଓ ସୌର ବିଦ୍ୟୁତ୍‌ରୁ ମିଳୁଥିବା ୧୦% ୟୁନିଟ୍ ପିଛା ପାଖାପାଖି ୨ ଟଙ୍କା ୫୦ ପଇସାରେ ମିଳିଥାଏ । ଏସବୁ ମିଶି ବିଦ୍ୟୁତ୍ କ୍ରୟ ୟୁନିଟ୍ ପିଛା ୩ ଟଙ୍କା ୫୦ ପଇସାରୁ କେବେ ଅଧିକ ନୁହେଁ । ଏବେ ୟୁନିଟ୍ ପିଛା ୮ ଟଙ୍କାରେ ବିକ୍ରୀ ପ୍ରସ୍ତାବ କାହା ସ୍ୱାର୍ଥରେ ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଲେ ବିଦ୍ୟୁତ୍ ସଂସ୍କାର ବେଳର ମୂଳ ଲକ୍ଷ୍ୟ ସାଧନ ଦିଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ବିଚ୍ୟୁତ ହୋଇଛନ୍ତି। ବିଦ୍ୟୁତ୍ ସଂସ୍କାର ପ୍ରକ୍ରିୟାର ମୁଖ୍ୟ ଲକ୍ଷ୍ୟ ଥିଲା ବିଦ୍ୟୁତ୍ ବିତରଣ ଜନିତ କ୍ଷତି କମିବ। କିନ୍ତୁ ବାରମ୍ବାର ପ୍ରତିଶ୍ରୁତି ବିତରଣ ଜନିତ କ୍ଷତି ୩୭% ରୁ ଉର୍ଦ୍ଧ୍ୱ ରହିଛି। ଯାହାକି ଜାତୀୟ ହାରଠାରୁ ଦୁଇଗୁଣ ଅଧିକ। କେତେକ ରାଜ୍ୟରେ ଏହି ହାର ୮% ରୁ ୧୦% ମଧ୍ୟରେ ରହିଛି। ସେଥିପାଇଁ ଗୋଟିଏ ଉଚ୍ଚ ବୈଷୟିକ ଜ୍ଞାନ ସଂପନ୍ନ ସ୍ୱାଧୀନ ସଂସ୍ଥା ଦ୍ୱାରା ଏନର୍ଜି ଅଡିଟ୍ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।