ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପୁନର୍ବିଚାର ପାଇଁ ସରକାର ଆବେଦନ କରିବେ

ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ବିଜୁଳି ଶୁଳ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ଗୃହର ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ବିଜୁଳି ଶୁଳ୍କ ବୃଦ୍ଧିର ପୁନର୍ବିଚାର ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ରାଜ୍ୟ ସରକାର ଆବେଦନ କରିବେ। ମନ୍ତ୍ରୀଙ୍କ ବିବୃତ୍ତି ପରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ହ୍ରାସ ପାଇବାର ସମ୍ଭାବନା ଦେଖାଦେଇଛି।
ବୁଧବାର ବିଧାନସଭାରେ ବିଜୁଳି ଶୁଳ୍କ ବୃଦ୍ଧି ପ୍ରସଙ୍ଗ ଉଠାଇ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ ଦିଲ୍ଲୀ ବିଦ୍ୟୁତ ଉତ୍ପାଦନ ନକରି ଓଡ଼ିଶାଠୁ କମ୍ ଦରରେ ଲୋକଙ୍କୁ ବିଜୁଳି ଦେଉଛି। ତେଣୁ ତୁରନ୍ତ ବର୍ଦ୍ଧିତ ଶୁଳ୍କକୁ ପ୍ରତ୍ୟାହାର କରାଯାଉ। ଅନ୍ୟ ସଦସ୍ୟମାନେ ମଧ୍ୟ ଅନୁରୂପ ଦାବି କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ପରେ ଗୃହ ଚାଲିପାରିନଥିଲା। ଗୃହରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକି ଓ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ଅପରାହ୍ନ ଅଧିବେଶନରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗୃହରେ ବିବୃତ୍ତି ରଖି କହିଥିଲେ ବିଦ୍ୟୁତ ଶୁଳ୍କ ବୃଦ୍ଧିର ପୁନର୍ବିଚାର କରିବା ପାଇଁ ଓଇଆରସିଙ୍କ ପାଖରେ ରାଜ୍ୟ ସରକାର ଆବେଦନ କରିବେ।