ଭୁବନେଶ୍ବର: ୨୦୧୮ ଜୀ-ସାର୍ଥକ ‘ରଜ କୁଇନ୍’ ସୋ ଚାମ୍ପିଅନ୍ ଶୁଭଶ୍ରୀ ଜେନା । ବୟସ ମାତ୍ର ୨୧ । ବାଲେଶ୍ୱର ସହରରେ ଜନ୍ମିତ ଏହି ଅଭିନେତ୍ରୀ ଏବେ ଓଲିଉଡରେ ଏକ ବିଗ୍ ବ୍ରେକ୍ ଅପେକ୍ଷାରେ । କଟକରେ ରହି ପାଠ ପଢ଼ିବା ସହିତ ଡ୍ୟାନ୍ସ ଏବଂ ଅଭିନୟ ଜାରି ରଖିଛନ୍ତି । ସୋସିଆଲ୍ ୱାର୍କରେ ମାଷ୍ଟର୍ ଡିଗ୍ରୀ କୋର୍ସ କରୁଛନ୍ତି । ଚିତ୍ର ଆଙ୍କିବା ସହିତ ଲେଖାଲେଖି କରିବା ଏବଂ ସମାଜର ଅବହେଳିତ ଲୋକଙ୍କୁ ସାହାଯ୍ୟ କରିବାକୁ ସେ ଭଲ ପାଆନ୍ତି ।
ଶୁଭଶ୍ରୀ ୨୦୧୮ ଜୀ-ସାର୍ଥକ ରଜ କୁଇନ୍ ସୋ’ ଚାମ୍ପିଅନ୍ ହେବା ପରେ ତାଙ୍କୁ ବଡ଼ ପରଦାରେ କାମ କରିବାର ସୁଯୋଗ ମିଳିଥିଲା । ପ୍ରଥମଥର ପାଇଁ ସେ ‘ଇନ୍ଦ୍ରଜାଲ୍’ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଯାହା ମୁକ୍ତି ପ୍ରତୀକ୍ଷାରେ ରହିଛି । ଏହା ସହିତ ବହୁ ଆଲ୍ବମ୍ ଗୀତରେ ମଧ୍ୟ ସେ ଅଭିନୟ କରି ସଫଳତା ପାଇଛନ୍ତି । ନିକଟରେ ସେ ଆଉ ଏକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ମଧ୍ୟ ଚୁକ୍ତିବଦ୍ଧ ହୋଇଥିବା ଜଣାପଡ଼ିଛି । ବହୁ ସମ୍ଭାବନା ଏବଂ ସ୍ୱପ୍ନ ନେଇ ଓଲିଉଡରେ ପାଦ ଥାପିଥିବା ଶୁଭଶ୍ରୀ ଚଳଚ୍ଚିତ୍ରରେ ଭଲ ଅଭିନୟ କରିବା ସହିତ ନୃତ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିବାର ଆଶା ରଖିଛନ୍ତି।