ବିହାର ବିଧାନସଭା ନିର୍ବାଚନରେ ଏକା ଲଢିବ ଏଲ୍‌ଜେପି

ପାଟନା : ପାଖେଇ ଆସୁଛି ବିହାର ନିର୍ବାଚନ। ଜେଡି (ୟୁ) ସୁପ୍ରିମୋ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରୁଛି ଏନ୍‌ଡିଏ ମେଣ୍ଟ। କିନ୍ତୁ ୨୦୨୦ ବିଧାନସଭା ନିର୍ବାଚନରେ ଏକା ଲଢ଼ିବାକୁ ନିଷ୍ପତ୍ତି ନେଇଛି ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)। କେବଳ ସେତିକି ନୁହେଁ ‘ବିହାର ଫାଷ୍ଟ୍‌, ବିହାର ଫାଷ୍ଟ୍‌’ ସ୍ଲୋଗାନ୍ ଭିଡିଓକୁ ନେଇ ନିର୍ବାଚନରେ ପ୍ରଚାର କରିବ।

ରବିବାର ଦଳର ସଂସଦୀୟ ବୋର୍ଡ ବୈଠକ ଚିରାଗ ପାଶୱାନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ସମସ୍ତ ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବେ ବୋଲି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ଏହାର ଅର୍ଥ ଏଲ୍‌ଜେପି ବିଜେପି ବିପକ୍ଷରେ ଯିବନାହିଁ। କିନ୍ତୁ ଜେଡି (ୟୁ) ବିପକ୍ଷରେ ପ୍ରାର୍ଥୀ ଦେବ। ମୋଟାମୋଟି ଭାବେ କହିବାକୁ ଗଲେ ଏନ୍‌ଡିଏ ମେଣ୍ଟର ଅଂଶୀଦାର ରହିବ ଏଲ୍‌ଜେପି। କିନ୍ତୁ ମେଣ୍ଟ ବାହାରେ ରହି ବିହାର ନିର୍ବାଚନ ଲଢ଼ିବ।

ବୈଠକ ପରେ ଚିରାଗ ପାଶୱାନ୍‌ କହିଛନ୍ତି ଆଜିର ନିଷ୍ପତ୍ତିରେ ମୁଁ ଆନନ୍ଦିତ। ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିବି। ପୂର୍ବରୁ ଏଲ୍‌ଜେପି ଏହି ସୂତ୍ରରେ ମଣିପୁରରେ ନିର୍ବାଚନ ଲଢ଼ି ପରେ ବିଜେପି ସରକାରରେ ଯୋଗ ଦେଇଥିଲା। ଏହି ଦଳର ବିଧାୟକଙ୍କୁ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ନିଜ କ୍ୟାବିନେଟ୍‌ରେ ସ୍ଥାନ ଦେଇଥିଲେ।

ମତାମତ ଦିଅନ୍ତୁ ।