ବିହାର ନିର୍ବାଚନ : ରାହୁଲ ପ୍ରଚାର କରିଥିବା ଅନେକ ଆସନରେ ମହାମେଣ୍ଟ ପଛରେ

ପାଟନା : ନେତୃତ୍ଵକୁ ନେଇ ପ୍ରଶ୍ନ ଉଠୁଥିବାରୁ କଂଗ୍ରେସକୁ ଆଉ ଲୋକେ ଗ୍ରହଣ କରୁନାହାନ୍ତି। ବିହାର ବିଧାନସଭା ନିର୍ବାଚନର ଏହା ଦେଖିବାକୁ ମିଳିଛି। ଭୋଟ୍ ଗଣତି ଜାରି ରହିଥିଲେ ହେଁ ଯେଉଁସବୁ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରଚାର କରିଥିଲେ ସେଥିରୁ ଅନେକ ଆସନରେ ମହାମେଣ୍ଟ ହାରିବା ସ୍ଥିତିକୁ ଯାଇଛି। ତେବେ ଏନଡିଏ ଓ ମହାମେଣ୍ଟ ମଧ୍ୟରେ ହେଉଛି କଡା ମୁକାବିଲା। ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ମହାମେଣ୍ଟ ଆଶାନୁରୂପ ପ୍ରଦର୍ଶନ କରିଥିବା ବେଳେ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାରେ ବିଜେପିର ପ୍ରଦର୍ଶନ ଭଲ ହୋଇଛି।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥାହେଲା ବିହାର ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍ କରିଥିବା ଆକଳନ ଭୁଲ୍ ପ୍ରମାଣିତ ହୋଇଛି। ସମୁଦାୟ ୩୫ ରାଉଣ୍ଡ ଭୋଟ ଗଣତି ହେବ। ତେଣୁ ଫଳାଫଳ ବିଳମ୍ବିତ ହେବ ବୋଲି ଜଣାପଡିଛି। ତେବେ ନୀତିଶ କୁମାରଙ୍କ ଜେଡି(ୟୁ)ଠାରୁ ବିଜେପି ଅଧିକ ଆସନରେ ଆଗୁଆ ରହିଛି। ବିଜେପି ୧୨୧ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଏ ପର୍ଯ୍ୟନ୍ତ ୭୬ ଆସନରେ ଆଗୁଆ ରହିଛି। ସେହିପରି ଜେଡି(ୟୁ) ୧୨୨ଟି ଆସନରେ ପ୍ରାର୍ଥୀ ଦେଇଥିଲା। ୪୨ ଆସନରେ ରହିଛି ଆଗୁଆ। ଆରଜେଡି ୭୦, କଂଗ୍ରେସ ୨୦ ଓ ବାମପନ୍ଥୀ ପ୍ରାର୍ଥୀମାନେ ୧୮ ଆସନରେ ଆଗୁଆ ଅଛନ୍ତି।

ମତାମତ ଦିଅନ୍ତୁ ।