ବିଜେଡି ଓଡିଶାବାସୀଙ୍କ ପ୍ରିୟ ଦଳ ହୋଇ ରହିବ : ନବୀନ

ଭୁବନେଶ୍ଵର : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟାଳୟରେ ସମବେତ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି। ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ନବୀନ କହିଛନ୍ତି ସେବା ଓ ସ୍ୱାଭିମାନ ବିଜୁ ବାବୁଙ୍କ ଲକ୍ଷ୍ୟ ଥିଲା। ଏହା ମଧ୍ୟ ବିଜେଡିର ଲକ୍ଷ୍ୟ। ତେଣୁ ବିଜେଡି ଓଡିଶାବାସୀଙ୍କ ପ୍ରିୟ ଦଳ ହୋଇ ରହିଛି ଓ ରହିବ।

ନବୀନ କହିଲେ ଗାଁ କଚ୍ଚା ଘର ପକ୍କା ହେଉଛି, ଘରେ ଘରେ ପାଣି ପହଂଚୁଥିବା ବେଳେ ବିଜୁଳି ଆଲୁଅରେ ଘର ଉଜ୍ୱଳ ଦିଶିଲେ ଲୋକଙ୍କ ମୁହଁରେ ହସ ଫୁଟୁଛି। ଏହା ବିଜେଡି ପାଇଁ ବଡ ପୁରସ୍କାର।
ସେ କହିଲେ ମାଆଟିଏ ପଂଚାୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି। ମିଶନ ଶକ୍ତିର ମାଆ ଯେତେବେଳେ ରୁଣ ଆଣି ବ୍ୟବସାୟ କରି ପରିବାର ପାଇଁ ସମୃଦ୍ଧି ଆଣୁଛି ସେଠାରେ ବିକାଶର ଚିତ୍ର ଉଜ୍ୱଳ ଦିଶୁଛି। ହେଲେ ଆଗକୁ ଆହୁରି ଅନେକ ବାଟ ଯିବାକୁ ଅଛି। ଆହୁରି ଅଧିକ କରିବାକୁ ଅଛି। ତେଣୁ ଓଡିଶାର ସ୍ୱାଭିମାନ ପାଇଁ କାମ କରିବାକୁ ନବୀନ ଆହ୍ୱାନ ଦେଇଥିଲେ।

ବିଜେଡ଼ି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ କହିଲେ ଏ ରାଜ୍ୟକୁ ଏକ ଅଗ୍ରଣୀ ରାଜ୍ୟ କରିବାକୁ ବିଜୁ ବାବୁଙ୍କ ଇଚ୍ଛା ଥିଲା। କେବଳ ଭାରତ ନୁହେଁ ସମଗ୍ର ଏସିଆ ମହାଦେଶରେ ଅଗ୍ରଣୀ କରିବାକୁ ସେ ଇଚ୍ଛା କରିଥିଲେ। ସେହିପରି ଏ ଜାତିକୁ ଆଗକୁ ନେବା ପାଇଁ ନିଜ ଯୌବନ ଓ ତାଙ୍କ ଜୀବନର ସମସ୍ତ ଜମା ପୁଞ୍ଜିକୁ ବିଜୁ ବାବୁ ଖଟାଇଥିଲେ। ଏଥିରେ ସେ ଅନେକ ମାତ୍ରାରେ ସଫଳ ହୋଇଛନ୍ତି। ତାଙ୍କ ଆବର୍ତ୍ତମାନରେ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିକାଶ କାର୍ଯ୍ୟର ମଙ୍ଗ ଧରିଛନ୍ତି। ଏ ଜାତିକୁ ଆଗକୁ ନେବାର ଯେଉଁ ସ୍ୱପ୍ନ ବିଜୁ ବାବୁ ଦେଖିଥିଲେ ତାହା ଆମ ନେତାଙ୍କୁ ଶୋଇବାକୁ ଦେଉନାହିଁ ବୋଲି ପ୍ରଣବ କହିଛନ୍ତି।

ସେ କହିଲେ ଆମ ମୁଖ୍ୟମନ୍ତ୍ରୀ ଯାହା ଆମ ପାଇଁ କରୁଛନ୍ତି ଆମେ ୨୪ ଘଣ୍ଟା କାମ କଲେ ମଧ୍ୟ ସମାନ ହେବନି। ଏହି ବିଜୁ ଜନତା ଦଳ ଏକ ପ୍ଳାଟଫର୍ମ। ଯାହା ଆମ ସମସ୍ତଙ୍କୁ ପରିଚୟ ଦେଇଛନ୍ତି। ଏହି ପ୍ଳାଟଫର୍ମ ମାଧ୍ୟମରେ ଆମେ ଆମର ଦାବି ଉପସ୍ଥାପନ କରିପାରୁଛେ। ଆଞ୍ଚଳିକ ଦଳ ଗଠିତ ହୋଇଥିଲା ବୋଲି ରାଜ୍ୟର ସ୍ୱାର୍ଥ ରକ୍ଷା ହୋଇପାରୁଛି। ବିଜୁ ଓ ନବୀନ ଆଦର୍ଶରେ ଗଠିତ ଏହି ‘ପ୍ଳାଟଫର୍ମ’କୁ ପର ପିଢ଼ି ପାଇଁ ଆହୁରି ଅଧିକ ସୁସଂଗଠିତ କରିବା ଆମ ପାଇଁ ଗୁରୁ ଦାୟିତ୍ୱ। ଏଥିଲାଗି ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଋଣି ରହିବା ଦରକାର। ସମସ୍ତେ ନବୀନ ଆଦର୍ଶରେ କାମ କରୁଛନ୍ତି। ମିଶନ ଶକ୍ତି କେସ ଷ୍ଟଡି ସାରା ବିଶ୍ୱ ପାଇଁ। ଏଭଳି କାମ ଏହି ଜାତି ପାଇଁ ଆମକୁ କରିବାର ଅଛି ବୋଲି ପ୍ରଣବ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button