ବିଜେପି କାଉନସିଲରଙ୍କୁ ହତ୍ୟା

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାର ବିଜେପି ନେତା ତଥା ମ୍ୟୁନିସିପାଲ୍‌ କାଉନ୍‌ସିଲର ରାକେଶ ପଣ୍ଡିତଙ୍କୁ ଆତଙ୍କବାଦୀମାନେ ବୁଧବାର ଗୁଳି କରି ହତ୍ୟା କରିଛନ୍ତି। ସେ ପୁଲୱାମାର ତ୍ରାଲ ଅଞ୍ଚଳର ଜଣେ ବନ୍ଧୁଙ୍କ ଘରେ ଥିବା ବେଳେ ତିନିଜଣ ଆତଙ୍କବାଦୀ ଏପରି କରିଥିବା ଜଣାପଡିଛି।

ଖବର ଅନୁଯାୟୀ ରାକେଶଙ୍କର ଗୁଳିମାଡ଼ରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅସିଫା ମୁସ୍ତାକ ନାମ୍ନୀ ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କୁ ଶ୍ରୀନଗରର ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଅବସ୍ଥା ସଂକଟାପନ୍ନ ରହିଛି।

ପୋଲିସ କହିଛି ରାକେଶ ପଣ୍ଡିତଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ସେ ଶ୍ରୀନଗରରେ ଏକ ହୋଟେଲରେ ରହୁଥିଲେ। କିନ୍ତୁ ସେ ସୁରକ୍ଷା କର୍ମଚାରୀଙ୍କୁ ନନେଇ ତ୍ରାଲ ଯିବା ପାଇଁ ଚାହିଁଥିଲେ। ଜମ୍ମୁ ଓ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଆତଙ୍କବାଦୀମାନେ ସେମାନଙ୍କ ଉଦ୍ଦେଶ୍ୟରେ କେବେ ସଫଳ ହେବେ ନାହିଁ ବୋଲି ସେ କହିଛନ୍ତି। ସେହିପରି ରାକେଶଙ୍କ ମୃତ୍ୟୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button