ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ୯ଟି ରାଜନୀତିକ ଚିଠା ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଆଜି ୯ଟି ରାଜନୀତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଛି। ଏ ମଧ୍ୟରେ ରହିଛି ରାଜ୍ୟ ସରକାର ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ। ସେହିପରି ବିଭିନ୍ନ ଦୁର୍ନୀତି, ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ବିକ୍ରି, ଖଣିଜସମ୍ପଦ ଲୁଟ୍ ଓ ନୂଆ ଶିକ୍ଷା ନୀତିକୁ ବିରୋଧ କରାଯାଇଛି। ଆଇନଶୃଙ୍ଖଳା ଓ ମହିଳା ନିର୍ଯାତନା ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠିଛି।

ଶନିବାର ବିଜେପି ରାଜ୍ୟ ସଭାପତି ଭାବେ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଭର୍ଚୁଆଲ ମୋଡରେ ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକାରିଣୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ କେତେକ ପଦକ୍ଷେପକୁ ସମାଲୋଚନା କରଯାଇଥିଲା।

ଏହି ଅବସରରେ ଦଳର ରାଷ୍ଟ୍ରୀୟ ସଭାପତି ଡ. ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଓଡିଶାରେ ଦୀର୍ଘ ସମୟ ରାଜନୈତିକ ଲଢେଇ ପରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି ସପକ୍ଷରେ ପଡିଛି। ୩୩ଟି ଅନୁସୂଚିତ ଜାତି ଜନଜାତିର ବିଧାନସଭା ଆସନରୁ ୧୧ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୧ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ଏହା ୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଆମେ ୫୦ ପ୍ରତିଶତ ଭୋଟ ହାସଲ କରି ଓଡିଶାରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ନେବା ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୁତ ସୂଚନା ଦେଇ ଶ୍ରୀ ନଡ୍ଡା କାର୍ଯ୍ୟକର୍ତ୍ତାମାନଙ୍କୁ ନିଜ ଉପରେ ଓ ନିଜ କର୍ତ୍ତବ୍ୟ, ଯୋଗ୍ୟତା ଉପରେ ବିଶ୍ୱାସ ରଖିବାକୁ ପରାମର୍ଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।