ବିଜେପିକୁ ଉଦ୍ଧବଙ୍କ ଆହ୍ଵାନ : ସତସାହସ ଅଛି ମୋ ସରକାରକୁ ଭାଙ୍ଗ

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଚୁପ ରହିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ମୁହଁ ଖୋଲିଛନ୍ତି। ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସର ଛବି ମଳିନ କରିବାକୁ ବିଜେପି ଅପଚେଷ୍ଟା କରୁଛି।

ମୁମ୍ବାଇରେ ଆୟୋଜିତ ଏକ ରାଲିରେ ଯୋଗ ଦେବା ଅବସରରେ ଉଦ୍ଧବ କହିଛନ୍ତି ଯେଉଁ ଦିନଠାରୁ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି ସେହି ଦିନଠାରୁ ମୋ ସରକାର ଭାଙ୍ଗିଯିବ ବୋଲି କୁହାଯାଉଛି। ମୁଁ ଆହ୍ୱାନ ଦେଉଛି ଯଦି ଆପଣଙ୍କ ସତସାହସ ଅଛି ମୋ ସରକାରକୁ ଭାଙ୍ଗିକି ଦେଖାନ୍ତୁ। ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଅଛି। ଆମେ ନଭେମ୍ବର ୨୮ରେ କ୍ଷମତାକୁ ଆସିବାର ଏକ ବର୍ଷ ପୂରା କରିବୁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନାଁ ନ ନେଇ ଉଦ୍ଧବ କହିଲେ ଆଜି ଆମେ ଅରାଜକତା ଦିଗରେ ବଢ଼ୁଛୁ। ବିଜେପି ନିଜ ସହଯୋଗୀମାନଙ୍କ ସହ ବିଶ୍ୱାସଘାତ କରୁଛି। ଏନଡିଏ ପ୍ରାୟ ସମାପ୍ତ ହୋଇସାରିଛି। ସେମାନେ ବନ୍ଧୁତ୍ୱ କଥା କୁହନ୍ତି ଏବଂ ପରବର୍ତ୍ତୀ ସମୟରେ ବନ୍ଧୁଙ୍କ ପିଠିରେ ଛୁରୀ ମାରନ୍ତି। ବିହାର ନିର୍ବାଚନ ପରେ ନୀତିଶ କୁମାରଙ୍କ ସହ ମଧ୍ୟ ଏଭଳି ବ୍ୟବହାର କରିବେ। ସେ କହିଲେ ଶିବସେନାର ହିନ୍ଦୁତ୍ୱ ଉପରେ ଆଙ୍ଗୁଳି ଉଠାଉଛନ୍ତି। ଆମେ ରାଜ୍ୟରେ ମନ୍ଦିର କାହିଁକି ନିର୍ମାଣ କରୁନାହୁଁ ବୋଲି ପ୍ରଶ୍ନ ପଚାରୁଛନ୍ତି। ମୋର ହିନ୍ଦୁତ୍ୱ ବାଲା ସାହେବ ଠାକରେଙ୍କଠାରୁ ଭିନ୍ନ ବୋଲି କୁହାଯାଉଛି। ହେଲେ ଆପଣଙ୍କ ହିନ୍ଦୁତ୍ୱ ଘଣ୍ଟି ଓ ଥାଳି ପିଟିବା ଭଳି। ଆମର ହିନ୍ଦୁତ୍ୱ ସେମିତି ନୁହେଁ ବୋଲି କହିଛନ୍ତି।

ପୁଅ ଆଦିତ୍ୟ ଠାକରେଙ୍କୁ ନେଇ ଉଠିଥିବା ବିବାଦ ଉପରେ ମତଦେଇ ଉଦ୍ଧବ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ଉପରେ ଅଭିଯୋଗ ଅଣାଯାଉଛି। ସେମାନେ ମହାରାଷ୍ଟ୍ରର ପୁଅକୁ ନ୍ୟାୟ ଦେବାକୁ ଚିତ୍କାର କରୁଛନ୍ତି। ଏପଟେ ମହାରାଷ୍ଟ୍ରର ପୁଅର ଚରିତ୍ର ହନନରେ ମାତିଛନ୍ତି। ଆଦିତ୍ୟ ଓ ତାଙ୍କ ପରିବାରର ନାଁ ନେଇ ସେମାନଙ୍କ ଚରିତ୍ର ସଂହାର କରିବାକୁ ଚେଷ୍ଟା କରାଯାଉଛି। ହେଲେ ନିଜ ପରିବାରର ସ୍ୱଚ୍ଛତା ଓ ସଚ୍ଚୋଟତା ନେଇ କୌଣସି କୈଫିୟତ ଦେବା ତାଙ୍କ ପାଇଁ ଜରୁରୀ ନୁହେଁ ବୋଲି ଉଦ୍ଧବ କହିଛନ୍ତି।

ମତାମତ ଦିଅନ୍ତୁ ।