ବିଜୁ ଜୟନ୍ତୀରେ କଟକରୁ ବିମାନ ବନ୍ଦର ସାଇକେଲ୍ ରାଲି, ଭୁବନେଶ୍ୱରେ ମିନି ମାରାଥନ୍‍

କଟକ : ଆଜି ପ୍ରବାଦ ପୁରୁଷ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ। ସାରା ରାଜ୍ୟରେ ଏହାକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯାଇଛି।

ଏହି ଅବସରରେ କଟକ ଆନନ୍ଦ ଭବନରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଛି। ବିଜେଡି ପକ୍ଷରୁ ଆୟୋଜନ କରାଯାଇଥିଲା ଏକ ବିଶାଳ ସାଇକେଲ ରାଲି। କଟକ ଆନନ୍ଦ ଭବନ ନିକଟରୁ ଏହି ରାଲି ବାହାରି ଭୁବନେଶ୍ଵର ବିମାନ ବନ୍ଦର ପାଖରେ ପହଞ୍ଚିଥିଲା। ଏଥିରେ ସାମିଲ ହୋଇଥିଲେ ହଜାର ହଜାର ସଂଖ୍ୟକ ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ। ଦଳର ବହୁ ଛାମୁଆ ନେତା ଏହାର ନେତୃତ୍ୱ ନେଇଥିବା ବେଳେ ଯୁବ ବିଜେଡି, ଛାତ୍ର ବିଜେଡିର ଶହଶହ କର୍ମୀ ସାମିଲ ହୋଇଥିଲେ।

କଟକରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ବିଜେଡି ନେତା ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡି ଉପସଭାପତି ଦେବୀ ମିଶ୍ର ଓ ରାଜ୍ୟସଭା ସାଂସଦ ସୁବାସ ସିଂ ପ୍ରମୁଖ ଏହି ସାଇକେଲ ରାଲିର ନେତୃତ୍ୱ ନେଇଛନ୍ତି। ବିଜୁବାବୁ ଜନ୍ମଜୟନ୍ତୀ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସବ ବୋଲି ନେତାମାନେ କହିଛନ୍ତି। ପ୍ରବାଦ ପୁରୁଷ ତାଙ୍କ ଜୀବନରେ କରିଥିବା କାର୍ଯ୍ୟକ୍ରମ ଆଜିର ଯୁବପିଢିଙ୍କୁ ଆଗକୁ ବଢ଼ିବାକୁ ସାହସ ଯୋଗାଏ ବୋଲି ବିଜୁ ଜନତା ଦଳର ନେତା ଓ କର୍ମୀ ଏହି ଅବସରରେ ମତ ରଖିଛନ୍ତି।

ରେଭେନ୍ସା ମହାବିଦ୍ୟାଳୟରୁ ପାକିସ୍ତାନର ପେଶୱାର ପର୍ଯ୍ୟନ୍ତ ବିଜୁ ବାବୁ ଛାତ୍ର ଜୀବନରେ ୪୫ ଶହ ମାଇଲ ସାଇକେଲ ଯାତ୍ରା କରିଥିଲେ। ସେହି ଐତିହାସିକ ଯାତ୍ରାକୁ ମନେ ପକାଇ ଆଜି ବିଜୁଙ୍କ ଜନ୍ମ ଜୟନ୍ତୀରେ ଏଭଳି ସାଇକେଲ ରାଲି କରାଯାଇଥିବା ଯୁବ ଓ ଛାତ୍ର କର୍ମୀମାନେ ପ୍ରକାଶ କରିଛନ୍ତି।

ସେହିପରି କଳିଙ୍ଗ ଷ୍ଟାଡିୟମରେ ବିଜୁ ପଟ୍ଟନାୟକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ (ଡିଏସ୍‍ୱାଇଏସ୍‍) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦୦ରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଭାଗ ନେଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କାର୍ଯ୍ୟକ୍ରମର ଉଦ୍‍ଘାଟନ କରିଥିବା ବେଳେ ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ଡିଏସ୍‍ୱାଇଏସ୍‍ ପ୍ରମୁଖ ଶାସନ ସଚିବ ବିଶାଲ କେ ଦେବଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button