ବିକାଶରେ ବାଧକ ବ୍ୟାଙ୍କର ଅନାଦେୟ ଋଣ

॥ ଗୋପାଳ ମହାପାତ୍ର ॥

ଦେଶର ଅର୍ଥବ୍ୟବସ୍ଥା ଏବେ ସଙ୍କଟ ଜନକ ପରିସ୍ଥିତି ଦେଇ ଗତି କରୁଛି । ଚଳିତ ଆର୍ଥୀକ ବର୍ଷର ପ୍ରାରମ୍ଭରୁ ୩ମାସ ମଧ୍ୟରେ ଅର୍ଥବ୍ୟବସ୍ଥା ବିଗିଡ଼ିଯାଇଥିଲା । ତାର ମୁଖ୍ୟ କାରଣ ହେଉଛି ଲକ୍‌ଡାଉନ୍ । ପରେ କିଛି ପରିମାଣରେ ଲକ୍‌ଡାଉନ କଟକଣା କୋହଳ କରାଯାଇଥିଲା କିନ୍ତୁ ସେତେବେଳକୁ ଅର୍ଥ ବ୍ୟବସ୍ଥାକୁ ଝଟକା ଲାଗି ସାରିଥିଲା । ଲକ୍‌ଡାଉନ କାରଣରୁ ଆବଶ୍ୟକତା, ଯୋଗାଣ ଏବଂ ଆର୍ଥିକତନ୍ତ୍ର ଧ୍ୱସ୍ତ ହୋଇଗଲା । ଏପ୍ରିଲ ମାସରେ ବେରୋଜଗାରୀ ୩୦ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଗଲା । ସରକାରଙ୍କ ତଥ୍ୟ ଅନୁସାରେ ପାଖାପାଖି ୧୨କୋଟି ଲୋକ ନିଯୁକ୍ତି ହରାଇଥିଲେ । ଦେଶର ବିଭିନ୍ନ ସହର ମାନଙ୍କରେ ରହୁଥିବା ଦିନମଜୁରିଆ ଶ୍ରମିକମାନଙ୍କ ମଧ୍ୟରୁ ୪୦ପ୍ରତିଶତ ଅନ୍ୟ ରାଜ୍ୟ ବା ସେଇ ରାଜ୍ୟର ଦୂରଦୂରାନ୍ତ ଅଞ୍ଚଳରୁ ଆସିଥାନ୍ତି । ଏହି ପ୍ରବାସୀ ଶ୍ରମିକମାନେ ଲକ୍‌ଡାଉନ କାରଣରୁ ପ୍ରଭାବିତ ହେଲେ। ସେମାନଙ୍କୁ କାମ ମିଳିଲା ନାହିଁ । ଏଣୁ ସହରରେ ରହୁଥିବା ଏହି ପ୍ରବାସୀ ଶ୍ରମିକମାନଙ୍କ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିଲା । ଏହି କାରଣରୁ ରାଜ୍ୟ ସରକାରମାନଙ୍କୁ ଆପାତ୍‌କାଳୀନ ପଦକ୍ଷେପ ନେବାକୁ ପଡ଼ିଲା । ଖାଦ୍ୟ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ୟାକେଜର ଘୋଷଣା କଲେ। ରାସନ (ଚାଉଳ-ଗହମ)କୁ ଦୁଇଗୁଣା କରିବା ସହ ଲୋକଙ୍କୁ ନଭେମ୍ବର ମାସ ପର୍ଯ୍ୟନ୍ତ ଯୋଗାଇ ଦେବାର ନିଷ୍ପତ୍ତି ନେଲେ ।

ମେ’ ମାସରେ କେନ୍ଦ୍ର ସରକାର ୨୦ଲକ୍ଷ କୋଟି ଟଙ୍କାର ଏକ ସହାୟତା ପ୍ୟାକେଜ ଘୋଷଣା କଲେ । ଏହି ୨୦ଲକ୍ଷ କୋଟି ଟଙ୍କା ମଧ୍ୟରୁ ୩ଲକ୍ଷ କୋଟି ଟଙ୍କା ସୂକ୍ଷ୍ମ, ଲକ୍ଷୁ ଏବଂ ମଧ୍ୟମ ଧରଣର ଶିଳ୍ପଗୁଡ଼ିକୁ ଋଣ ଦିଆଯିବା ପାଇଁ ଉଦିଷ୍ଟ ଥିଲା। ସେହି ଅର୍ଥ ମଧ୍ୟରୁ ଅର୍ଦ୍ଧାଧିକ ଅର୍ଥରାଷିକୁ ଋଣ ଆକାରରେ ବିତରଣ କରାଯାଉଛି। କିନ୍ତୁ ଅନେକ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ସେମାନଙ୍କ ଶିଳ୍ପକୁ ବଞ୍ଚାଇବା ପାଇଁ ସରକାର ଦେଉଥିବା ଋଣ ନେବାକୁ ମଙ୍ଗୁ ନାହାଁନ୍ତି। କାରଣ ପୂର୍ବରୁ ମଧ୍ୟ ଛୋଟ ଛୋଟ ଶିଳ୍ପ ସଂସ୍ଥାଗୁଡ଼ିକର ଉତ୍ପାଦନ ଠାରୁ ଲୋକଙ୍କର ଆବଶ୍ୟକତା କମ୍ ରହିଥିବା କାରଣରୁ ଏମାନଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । ଏଣୁ ସେମାନେ ଆଉ ଋଣ କରି ଅତିରିକ୍ତ ବୋଝ ମୁଣ୍ଡାଇବାକୁ ଚାହୁଁନାହାଁନ୍ତି । କିନ୍ତୁ କିଛି ଛୋଟ ଛୋଟ ଶିଳ୍ପ ସଂସ୍ଥା ଯେଉଁମାନେ ନଗଦ ଅର୍ଥର ସଙ୍କଟ ଦେଇ ଗତି କରୁଛନ୍ତି ଅର୍ଥାତ୍ ଯେଉଁମାନଙ୍କ ପାଖରେ ଇନ୍‌ଭଏସ ଅଛି ଯାହା ଗ୍ରାହାକମାନଙ୍କ ଦ୍ୱାରା ପୈଠ କରାଯାଇ ନାହଁ ସେମାନେ ଏହି ସଂକଟରୁ ମୁକୁଳିବା ପାଇଁ ଋଣ ନେବା ପାଇଁ ଇଛା ପ୍ରକାଶ କରୁଛନ୍ତି । ଛୋଟ ଛୋଟ ବ୍ୟବସାୟୀମାନେ ଦେବାଳିଆ ହୋଇନାହାଁନ୍ତି କିନ୍ତୁ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଅର୍ଥ ବ୍ୟବସ୍ଥାର ସବୁ କ୍ଷେତ୍ରରେ ଏହିଭଳି ଅବସ୍ଥା ଲାଗିରହିଛି । ଇତି ମଧ୍ୟରେ ରିଜର୍ଭ ବ୍ୟାଙ୍କ ମଧ୍ୟ ୮ଲକ୍ଷ କୋଟି ଟଙ୍କାର ଲିକ୍ୟୁଡ଼ିଟି ମେଜର ଜାରି କରିଛି । ଏଥିରେ ସୁଧ ହାରରେ ହ୍ରାସ, ବ୍ୟାଙ୍କରୁ ସରକାରୀ ବଣ୍ଡର କ୍ରୟ (ଓପନ ମାର୍କେଟ ଅପରେସନ) ଏବଂ ବିଦେଶୀ ମୁଦ୍ରା କ୍ରୟ ତଥା ନଗଦ ଅର୍ଥ ଜାରି ଆଦି ସାମିଲ । ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସମେତ ଅଣ-ବ୍ୟାଙ୍କିଙ୍ଗ୍ ସଂସ୍ଥା ଗୁଡ଼ିକୁ କମ୍ ସୁଧରେ ଦୀର୍ଘମିଆଦୀ ଅର୍ଥ ଯୋଗାଇ ଦେଇଛି । ଏହାକୁ ଦୀର୍ଘକାଳୀନ ରେପୋ ଅପରେସନ କୁହାଯାଇଥାଏ । ଏହାଦ୍ୱାରା ବ୍ୟାଙ୍କଗୁଡ଼ିକର କାରବାର (ନେଣଦେଣ) ବଢ଼ିଥାଏ । ନଗଦ ଉପଲବ୍ଧତା ଋଣ ପରିମାଣ ବୃଦ୍ଧି କରିପାରିନଥାଏ । ଏହି ନଗଦ ଅର୍ଥ ଶେୟାର ବଜାରକୁ ଚାଲିଯାଏ । ଏହି କାରଣରୁ ଆର୍ଥୀକ ଅବ୍ୟବସ୍ଥା ସତ୍ୱେ ମାର୍ଚ୍ଚ ମାସରେ ଶେୟାର ମାର୍କେଟ ୫୦ପ୍ରତିଶତ ବୃଦ୍ଧି ପାଇଥିଲା ।

ଯଦିଓ ଜିଡ଼ିପି ହାର ହ୍ରାସ ପାଇଛି ଏବଂ ଯୋଗାଣ ଓ ଆବଶ୍ୟକତାକୁ ନେଇ ଅବ୍ୟବସ୍ଥା ଲାଗିରହିଛି ତଥାପି ଦ୍ୱିତୀୟ ତ୍ରୈମାସିକ (ଆର୍ଥୀକ ବର୍ଷର) ରେ ଜିଡ଼ିପି ହାର କିଛି ପରିମାଣରେ ସୁଧୁରିବାର ସଙ୍କେତ ଦେଖାଯାଉଛି । କିନ୍ତୁ ବିକାଶ ହାର ଏବେ ବି ନକାରାତ୍ମକ ରହିବ । ତଥ୍ୟ ଅନୁସାରେ ଦେଶର ଅର୍ଦ୍ଧାଧିକ ପରିବାରର ଆୟ ଗତ ବର୍ଷ ତୁଳନାରେ କମ୍ ରହିବ । ବ୍ୟବସାୟ ମଧ୍ୟ କୋରେନା ପୂର୍ବରୁ ଅବସ୍ଥାକୁ ଫେରିବା ପାଇଁ ସମୟ ଲାଗିବ । ଏଭଳି ଅବସ୍ଥାରେ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ବ୍ୟାଙ୍କ ଋଣ ଅଧିକ ଆର୍ଥୀକ ଦୁରାବସ୍ଥା ସୃଷ୍ଟି କରିବ । ଜୁଲାଇ ମାସରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ୬ମାସିଆ ଆର୍ଥୀକ ସ୍ଥିରତା ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଅଣ-ନିଷ୍ପାଦିତ ପରି ସମ୍ପତ୍ତି ଅନୁପାତ ମାର୍ଚ୍ଚ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ୪ପ୍ରତିଶତ ହିସାବରେ ବଢ଼ିପାରେ । ଏହାର କାରଣ ହେଉଛି ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ୪ଲକ୍ଷ କୋଟି ଟଙ୍କାର ଅନାଦେୟ ଋଣ ଅର୍ଥ । ଏହି ଅନାଦେୟ ଋଣ ପରିମାଣ ମଧ୍ୟ ଅଧିକ ହୋଇପାରେ ବୋଲି କୁହାଯାଇଛି । ଅର୍ଥାତ୍ ଆହୁରି ୨ଲକ୍ଷ କୋଟି ଟଙ୍କା ବ୍ୟାଙ୍କମାନଙ୍କର କ୍ଷତି ହୋଇପାରେ । ସ୍ପଷ୍ଟ ଭାବେ କହିବାକୁ ଗଲେ ରିଜର୍ଭ ବ୍ୟାଙ୍କର ଏହି ସ୍ଥିରତା ରିପୋର୍ଟ କହୁଛି ଯେ ୨୦୨୧ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ବା ଅନାଦେୟ ଋଣ ବଢ଼ି ୧୪.୭ ପ୍ରତିଶତ ହୋଇପାରେ । ଏଥିପୂର୍ବରୁ ୧୯୯୯ରେ ଏନ୍‌ପିଏ ୧୫.୯ପ୍ରତିଶତ ହୋଇଥିଲା । କିନ୍ତୁ ୨୦୦୦ ବେଳକୁ ଏହା ୧୪ ପ୍ରତିଶତକୁ ଖସିଆସିଥିଲା । ୨୦୦୩ରେ ଏହି ହାର ୯.୩ ପ୍ରତିଶତ ଥିଲା । ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ସରକାରୀ ବ୍ୟାଙ୍କଗୁଡ଼ିକର ସ୍ଥିତି ଘରୋଇ ବ୍ୟାଙ୍କ ଠାରୁ ଅଧିକ ଖରାପ ହୋଇପାରେ । ଏହି ଅନାଦେୟ ଋଣ (ଏନ୍‌ପିଏ)ର ପରିମାଣ ବୃଦ୍ଧି ବ୍ୟାଙ୍କର ପୁଞ୍ଜି ଏବଂ ଋଣ ଦେବାର କ୍ଷମତାକୁ ମଧ୍ୟ ପ୍ରଭାବିତ କରିବ।

ସୂଚନା ଅନୁସାରେ ସେପ୍ଟେମ୍ବର ସୁଦ୍ଧା ୫୩ଟି ଦେଶୀ ବିଦେଶୀ ବ୍ୟାଙ୍କର ପୁଞ୍ଜି ପର୍ଯ୍ୟାପ୍ତତା ଅନୁପାତ ହ୍ରାସ ହୋଇଛି । କୋରେନା ମହାମାରୀ ପୂର୍ବରୁ ବ୍ୟାଙ୍କଗୁଡ଼ିକର ଏନପିଏ ହାର କମୁଥିଲା ଓ ପୁଞ୍ଜି ପର୍ଯ୍ୟାପ୍ତତା ଅନୁପାତ ମଧ୍ୟ ମଜଭୁତ ଥିଲା। କିନ୍ତୁ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଦ୍ୱାରା ସୁଧ ହାର ହ୍ରାସ ସତ୍ୱେ ବ୍ୟାଙ୍କଗୁଡ଼ିକ ଉତ୍ତମ ଋଣଗ୍ରହୀତା (ଯେଉଁମାନେ ଠିକ୍ ସମୟରେ ଋଣ ପରିଶୋଧ କରିଥାନ୍ତି) ଙ୍କୁ କମ୍ ହାର ସୁଧରେ ଋଣ ଦେବାରେ ଅସମର୍ଥ। ଏହିସବୁ ସମସ୍ୟା ସହିତ କୋରେନା ସଂକ୍ରମଣ କାରଣରୁ ବ୍ୟାଙ୍କ ଗୁଡ଼ିକର ପରିଚାଳନା ଲାଭ ମଧ୍ୟ ୨୭ ପ୍ରତିଶତ ହ୍ରାସ ପାଇଛି। ଏବେ ଆଗାମୀ ଦିନରେ ଅବସ୍ଥା ଆହୁରି ବିଗିଡ଼ିବାର ମଧ୍ୟ ଆଶଙ୍କ ରହିଛି । ବ୍ୟାଙ୍କଗୁଡ଼ିକର ଏସବୁ ସମସ୍ୟା ସହ ଋଣ ଅଧିସ୍ଥଗନ (ଲୋନ ମେରେଟୋରିୟମ୍‌) ମଧ୍ୟ ରହିଛି । କୋରେନା ମହାମାରୀ ଜନିତ ଅବ୍ୟବସ୍ଥାକୁ ସୁଧାରିବା ପାଇଁ ରିଜର୍ଭ ବ୍ୟାଙ୍କ ୩ମାସର ମେରେଟୋରିୟମ୍ ଘୋଷଣା କରିଥିଲେ । ଏହି ଅବଧିକୁ ଅଧିକ ୩ମାସ ଅର୍ଥାତ୍ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ଏ ସମ୍ପର୍କୀତ ଏକ ମାମଲା ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିକଟରେ ପହଞ୍ôଚବା ପରେ କୋର୍ଟ ଏହି ମେରେଟୋରିୟମ ଅବଧିକୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଋଣ ଗ୍ରହୀତାମାନେ ତାଙ୍କ ଉପରେ ବ୍ୟାଙ୍କ ଲଗାଉଥିବା ଚକ୍ରବୃଦ୍ଧି ସୁଧକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏବେ ଏହି ଚକ୍ରବୃଦ୍ଧି ସୁଧ ମାମଲା ସୁପ୍ରିମ୍ କୋର୍ଟଙ୍କ ବିଚାରାଧିନ । ଏହି ଘଟଣା ବ୍ୟାଙ୍କ ଜମାକାରୀ ଏବଂ ଶେୟାର ଧାରକମାନଙ୍କ ଉପରେ ଅନୁଚିତ ବୋଝ ଭଳି ମନେହୁଏ । ଯଦି ଋଣକର୍ତ୍ତାଙ୍କୁ ଛାଡ଼ ବା ରିହାତି ମିଳିବା ଉଚିତ୍ ତେବେ ତାହା ସରକାରଙ୍କ ରାଜକୋଷରୁ ଦିଆଯିବା ଉଚିତ୍ କିନ୍ତୁ ଏ ପ୍ରକାରର ମେରିଟୋରିୟମ ସମସ୍ୟା ସୃଷ୍ଟି କରିବ ନିଶ୍ଚୟ ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କୋରେନା ମହାମାରୀ ସମୟରେ ବ୍ୟାଙ୍କଗୁଡ଼ିକର ସ୍ଥିତିକୁ ସୁଧାରିବା ପାଇଁ କ’ଣ ସବୁ କରାଯିବା ଉଚିତ୍‌? ରିଜର୍ଭ ବ୍ୟାଙ୍କ ଦ୍ୱାରା ଗଠନ କରାଯାଇଥିବା କେ.ଭି.କାମାଥ କମିଟି ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ୨୬ଟି ସେକ୍ଟର ବା କ୍ଷେତ୍ର କୁ ଚିହ୍ନଟ କରାଯାଇଛି । ଏସବୁ ସେକ୍ଟର ପାଇଁ ଋଣ ପୁନର୍ଗଠନ କରାଯିବାକୁ କମିଟି ଶୁପାରିଶ କରିଛନ୍ତି । କମିଟି ଯେଉଁ କ୍ଷେତ୍ରଗୁଡ଼ିକ କୋରେନା କାରଣରୁ ପ୍ରଭାବିତ ହୋଇଛନ୍ତି ସେଗୁଡ଼ିକୁ ଚିହ୍ନଟ କରିଛନ୍ତି । ଏହି କ୍ଷେତ୍ରଗୁଡ଼ିକ ପାଇଁ ସହାୟତାର ଆବଶ୍ୟକତା ରହିଛି । କିନ୍ତୁ ଯେଉଁ କ୍ଷେତ୍ରଗୁଡ଼ିକର କୋରେନା ପୂର୍ବରୁ ସ୍ଥିତି ଖରାପ ଥିଲା ସେଗୁଡ଼ିକ ପାଇଁ ଅଲଗା ଶୁପାରିଶ ମଧ୍ୟ କରିଛନ୍ତି । ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଋଣର ପାଖାପାଖି ୭୨ ପ୍ରତିଶତ କୋରେନା କାରଣରୁ ପ୍ରଭାବିତ ହୋଇଛି ଏବଂ ଏହାର ପୁନର୍ଗଠନର ଆବଶ୍ୟକତା ରହିଛି । ଅଗଷ୍ଟ ମାସର ସ୍ଥିତିରୁ ସ୍ପଷ୍ଟ ଯେ ଔଦ୍ୟୋଗିକ ଋଣର ଆବଶ୍ୟକତା କମିଛି । କେୟାର ରେଟିଙ୍ଗ୍ ରିପୋର୍ଟ ଅନୁସାରେ ଆର୍ଥୀକ ବର୍ଷର ପ୍ରଥମ ୩ମାସରେ ୧୯ଟି ପ୍ରମୁଖ ଔଦ୍ୟୋଗିକ ସମୁହ (ଇଣ୍ଡଷ୍ଟ୍ରିଆଲ ଗୃପ୍‌) ମଧ୍ୟରୁ ୧୩ଟି ର ଗ୍ରୋଥ୍ ନକାରାତ୍ମକ ଏବଂ ଅନ୍ୟ ୬ଟି ସକାରାତ୍ମକ ରହିଥିଲା । ଏହି ୬ଟି ପାଇଁ ଋଣର ଆବଶ୍ୟକତା ମଧ୍ୟ ରହିଛି । ବ୍ୟାଙ୍କଗୁଡ଼ିକ ଦେଇଥିବା ଋଣ ଆଦାୟ ହୋଇନପାରି ଫସି ରହିଥିବାରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ଅନେକ ବ୍ୟାଙ୍କକୁ କେନ୍ଦ୍ର ସରକାର ପୁଞ୍ଜି ଯୋଗାଇ ଦେବାର ଆବଶ୍ୟକତା ରହିଛି । ଯେଉଁ ବ୍ୟାଙ୍କକୁ ସରକାରୀ ପୁଞ୍ଜି ନମିଳିବ ସେହି ବ୍ୟାଙ୍କର ସ୍ଥିତି ଖରାପ ହେବ ନିଶ୍ଚୟ । ଏହି ବିତ୍ତିୟ ଚାଲେଞ୍ଜର ମୁକାବିଲା କରିବା ମଧ୍ୟ କୌଣସି ମତେ ସହଜସାଧ୍ୟ ଜଣାପଡୁନାହିଁ ।

ରାମଚନ୍ଦ୍ରପୁର, ରଣପୁର ମୋ.-୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।