ବିଲ ଆଲୋଚନାରେ ବିରୋଧୀଙ୍କୁ ସୁଯୋଗ ଦିଆଯାଉନି : ପ୍ରଦୀପ୍ତ ନାଏକ

ଭୁବନେଶ୍ୱର : ଗତକାଲି ବିଧାନସଭାରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ପାଇଁ ବାଚସ୍ପତିଙ୍କୁ ଦାୟୀ କରିଛନ୍ତି ବିରୋଧିଦଳ ନେତା ପ୍ରଦୀପ୍ତ ନାଏକ। ସେ ଅଭିଯୋଗ କରିଛନ୍ତି ବିଲ ଆଲୋଚନାରେ ବିରୋଧୀଙ୍କୁ ଭାଗନେବା ଲାଗି ସୁଯୋଗ ଦିଆଯାଉନି। କହିବାକୁ ଚାହିଁଲେ ମଧ୍ୟ ବାଚସ୍ପତି ଆମ କଥା ଶୁଣୁ ନାହାନ୍ତି।
ରବିବାର ବିଧାନସଭା ପରିସର ଗାନ୍ଧୀ ମୂର୍ତ୍ତି ତଳୁ ବିଜେପି ବିଧାୟକମାନେ ଧାରଣାରୁ ଉଠିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ବିରୋଧିଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ବିଧେୟକ ପାରିତ ହେବା ସମୟରେ ଜଣେ ନିର୍ବାଚିତ ପ୍ରତିନିଧି ଭାବାରେ ଗୃହରେ କହିବାର ଅଧିକାର ମୋର ରହିଛି। କିନ୍ତୁ ଗତକାଲି ବିନା ଆଲୋଚନାରେ ବିଲ୍ ପାରିତ କରାଯିବା ସମୟରେ ବିରୋଧିଦଳ ନେତା କହିବାକୁ ଛିଡା ହୋଇଥିଲେ ମଧ୍ୟ ବାଚସ୍ପତି ଆମ ଆଡକୁ ଅନାଇଲେ ନାହିଁ। ବିଜେପି ସଦସ୍ୟ ବାରମ୍ବାର କହିବା ସତ୍ତ୍ୱେ ବାଚସ୍ପତି ଶୁଣିଲେନି। ତେଣୁ ବାଚସ୍ପତିଙ୍କ ଦୃ୍ଷ୍ଟି ଆକର୍ଷଣ କରିବାକୁ ହେଡଫୋନ, କଲମ ଫୋପାଡା ଯାଇଛି। ଏହି ପ୍ରସଙ୍ଗରେ ଆମକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ୩ ଜଣ ବିଧାୟକଙ୍କୁ ସସପେଣ୍ଡ କରିଦିଆଗଲା। ବିନା ଦୋଷରେ ଆମେ ଦଣ୍ଡିତ ହୋଇଛୁ ବୋଲି ଶ୍ରୀ ନାଏକ କହିଛନ୍ତି।
ସେ ଅଭିଯୋଗ କରିଛନ୍ତି ଗତକାଲି ବିଧାନସଭାରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ବାଚସ୍ପତି ସେଥିପାଇଁ ଦାୟୀ। ବିଜେଡିର ଖେଳନା ଭଳି କାମ କରୁଥିବାରୁ ଏଭଳି ସ୍ଥିତି ଉପୁଜିଲା। ବିରୋଧୀଙ୍କ କଥା ଶୁଣିବାକୁ ଗୃହର ଅଧ୍ୟକ୍ଷ ଓ ଗୃହର ନେତା ବାଧ୍ୟ। କିନ୍ତୁ ବିଧାନସଭାରେ ତାହାର ବ୍ୟତିକ୍ରମ ହେଉଛି। ବିଧାନସଭା ନ ଚାଲୁ ତାହା ଶାସକ ଦଳ ଚାହୁୁଁଛି। କାରଣ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳ ବଦନାମ ହେବାର ଭୟ ଥିବାରୁ ଏଭଳି କରୁଛନ୍ତି। ତେଣୁ ପାରିତ ହୋଇଥିବା ବିଲ୍ ବାବଦରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବୁ। ବିନା ଆଲୋଚନାରେ ବିଲ୍ ପାରିତ ହୋଇଥିବାରୁ ଏହାକୁ ମଞ୍ଜୁରୀ ନ ଦେବାକୁ କହିବୁ ବୋଲି ପ୍ରଦୀପ୍ତ କହିଛନ୍ତି।