ବିନା ଭକ୍ତରେ ଚାଲିଛି ମା’ଙ୍କ ନବମୀ ପୂଜା

ଭୁବନେଶ୍ୱର : ରାଜ୍ୟର ଭିଭିନ୍ନ ପୂଜା ମଣ୍ଡପରେ ଆଜି ଚାଲିଛି ଦୁର୍ଗତୀ ନଶିନୀ ମା’ ଦୂର୍ଗାଙ୍କର ମହାନବମୀ ପୂଜା। ଆଉ ପୀଠରେ ଦଶମୀ। କରୋନା କଟକଣା ପାଇଁ ଭକ୍ତ ନାହାନ୍ତି। କିନ୍ତୁ ରିତିନୀତି ଅନୁଯାୟୀ ହେଉଛି ପୂଜାର୍ଚ୍ଚନା। କିଛି ପୂଜା କମିଟି ମାଆଙ୍କ ଦର୍ଶନ ପାଇଁ ଅନଲାଇନ ବ୍ୟବସ୍ଥା କରିଛନ୍ତି। ଆସନ୍ତାକାଲି ବିଜୟା ଦଶମୀ। ୨୭ ତାରିଖରେ ହେବ ନିରାଡମ୍ବର ଭସାଣୀ।

ଦଶହରା ପାଇଁ ପ୍ରସିଦ୍ଧ କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମହାନବମୀ ପୂଜା ବିଧିମୂତାବକ କରାଯାଇଛି। କଟକର ଫିରିଙ୍ଗି ବଜାର ପୂଜା ମଣ୍ଡପରେ ନବମୀ ଲାଗି ୯ ପ୍ରକାର ଭୋଗର ବ୍ୟବସ୍ଥା ହୋଇଛି। ବିଜୟା ଦଶମୀରେ ଭଗବତୀଙ୍କୁ ଦହିପଖାଳ ଅର୍ପଣ କରାଯିବ। ସେହିପରି ଚାନ୍ଦିନଚୌକ ପୂଜା ମଣ୍ଡପରେ ରାଜାଘର ଦେବୀ ପୂଜା ପାଉଛନ୍ତି। ଏହି ମଣ୍ଡପରେ ନବମୀ ଦିନ ମାଛ ଭୋଗ ଲାଗି ହୋଇଥାଏ। ଅଲିଶା ବଜାର ପୂଜା ମଣ୍ଡପରେ ମଧ୍ୟ ମାଛ ଭୋଗର ପରମ୍ପରା ରହିଛି। କିଛି ପୂଜା ମଣ୍ଡପରେ ଶାଗ ଭୋଗ ଓ ଆଉ କେଉଁଠି ଖେଚୁଡି ଭୋଗ କରାଯାଇଛି। ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ପକ୍ଷରୁ କୁମାରୀ ପୂଜା କରାଯାଇଛି। ସାହିର ୯ ଜଣ କୁମାରୀ ଝିଅଙ୍କୁ ଦେବୀ ବେଶରେ ସଜାଯାଇ ମା’ଙ୍କ ପାଖରେ ପୂଜା କରାଯାଇଛି। ମା’ କଟକଚଣ୍ଡୀ ପୀଠରେ ଆଜି ଦଶହରା ପର୍ବ ଅନୁଷ୍ଠିତ ହୋଇଛି।

ସେହିପରି ରାଜଧାନୀର ଭୁବନେଶ୍ୱରର ସହିଦନଗର, ନୟାପଲ୍ଲୀ, ରସୁଲଗଡ, ଝାରପଡା ଆଦି ପୂଜା ମଣ୍ଡପରେ କରୋନା କଟକଣା ମଧ୍ୟରେ ନବମୀ ପୂଜା ଅନୁଷ୍ଠିତ ହୋଇଛି। ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନଲାଇନ୍‌ରେ ଦର୍ଶନର ବ୍ୟବସ୍ଥା ହୋଇଛି।

ପୁରୀର ଦୁର୍ଗାବାଡ଼ି ପୂଜା ମଣ୍ଡପରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ପୂଜା ପାଇଛନ୍ତି ମା’। କଟକଣା ମଧ୍ୟରେ କୂଆଁରୀ ପୂଜା କରାଯାଇଛି। ମାଟି ମଣ୍ଡପ ସାହିରେ ପୂଜା ପାଇଛନ୍ତି ମା ଶୂନ୍ୟ ଗୋଷାଣୀ। ଆସନ୍ତାକାଲି ଶ୍ରୀମନ୍ଦିରରେ ଦଶହରା ପାଳନ ସହିତ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ।

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ପୀଠ ଓ ମା ତାରା ତାରିଣୀ ପୀଠରେ ରିତିନୀତି ଅନୁସାରେ ମା’ଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଛି। ସାନ ରେଡ୍ଡିକାସାହିରେ ଏକ ଇଞ୍ଚର ଦୁର୍ଗା ମୂର୍ତ୍ତି ସ୍ଥାପନ କରି ପୂଜା କରିଛନ୍ତି ଶ୍ରଦ୍ଧାଳୁ। ୧୮ ବର୍ଷୀୟର ଦିଲ୍ଲୀପ ମହାରଣା ଏଭଳି କ୍ଷୁଦ୍ରତମ ଦୁର୍ଗା ମୂର୍ତ୍ତି ନିର୍ମାଣ କରି ମାଆଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଭଦ୍ରକ ଜିଲ୍ଲା ହଲଦି ଡିହିଛକ ନିଟକରେ ମା’ ଭାରତ ମାତାଙ୍କ ମନ୍ଦିରରେ ସ୍ଵତନ୍ତ୍ର ରୀତିନୀତିରେ ପୂଜା ହୋଇଛି। ସିଂହ ଉପରେ ଉପବିଷ୍ଠ ମା’ ହାତରେ ତ୍ରିରଙ୍ଗା ପତାକା ଧାରଣ କରିଛନ୍ତି। ନବଦିନ ଧରି ଏଠାରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। କେନ୍ଦ୍ରପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ଅନ୍ୟ କେତେକ ସ୍ଥାନରେ ମା’ଙ୍କ ପରମ୍ପରା ଅନୁଯାୟୀ କରାଯାଉଛି।

ମତାମତ ଦିଅନ୍ତୁ ।