ବିପଦ ସମୟରେ ଆମେରିକା ଭାରତ ସହ ରହିବ : ପୋମ୍ପେଓ

ନୂଆଦିଲ୍ଲୀ : ଭାରତ ପ୍ରତି ଚୀନ ଓ ପାକିସ୍ତାନ ପଟୁ ବିପଦ ବଢ଼ୁଥିବାରୁ ଭାରତକୁ ଆମେରିକା ସହଯୋଗର ହାତ ବଢ଼ାଇଛି। ୨+୨ ଆଲୋଚନା ପାଇଁ ଭାରତ ଗସ୍ତରେ ଥିବା ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ ଆଜି ପ୍ରତିଶ୍ରୁତି ଦେଇଛନ୍ତି ବିପଦ ସମୟରେ ଭାରତ ସହ ଆମେରିକା ରହିବ।

ମଙ୍ଗଳବାର ପୋମ୍ପେଓ ଦିଲ୍ଲୀର ଯୁଦ୍ଧ ସ୍ମାରକୀରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଜୁନ୍‌ ୧୫ରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ପୋମ୍ପେଓ କହିଛନ୍ତି ଗଲୱାନ ଘାଟିରେ ସହିଦ ହୋଇଥିବା ଯବାନଙ୍କୁ ଆମେ ଆଜି ସମ୍ମାନ ଜଣାଇଛୁ। ଭାରତ ତା’ର ଅଖଣ୍ଡତା ଓ ସାର୍ବଭୌମତକୁ ରକ୍ଷା କରିବା ପାଇଁ ଯେଉଁ ସବୁ କାମ କରୁଛି ସେଥିରେ ଆମେରିକା ସବୁବେଳେ ରହିଛି। ଆମେରିକା ଓ ଭାରତ ଏକାଠି କାମ କରି ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ିବେ।

ସେ କହିଛନ୍ତି କରୋନା ଭାଇରସ ମହାମାରୀ ଉହାନରୁ ଆସିଥିଲା। ଆମ ନେତା ଓ ଜନସାଧାରଣ ବୁଝି ଗଲେଣି ଚୀନ କମ୍ୟୁନିଷ୍ଟ ପାର୍ଟି କେବେ ହେଲେ ଗଣତନ୍ତ୍ରର ବନ୍ଧୁ ନୁହନ୍ତି। ସେହିପରି ଚୀନ କେବେ ହେଲେ ନିୟମ ମାନେନାହିଁ କିମ୍ବା ସ୍ୱଚ୍ଛତାର ସହ କାମ କରେ ନାହିଁ। ମୁଁ ଖୁସିର ସହ କହିବାକୁ ଚାହୁଁଛି ଭାରତ ଓ ଆମେରିକା ମିଳିତ ଭାବେ ସବୁ ବିପଦର ଦୃଢ଼ ମୁକାବିଲା ପାଇଁ ଏକାଧିକ ପଦକ୍ଷେପ ନେବେ। ବିଶେଷ କରି ଚୀନ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଭାରତ ପ୍ରତି ରହିଛି। ସବୁ ବିପଦର ମୁକାବିଲା ପାଇଁ ଆମେରିକା ସହଯୋଗ କରିବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।