ବିରମିତ୍ରପୁର : ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା

ବିରମିତ୍ରପୁର : ବିରମିତ୍ରପୁର ଥାନା ହାଜତରେ ଜଣେ ଯୁବକର ମୃତ୍ୟୁ ଘଟିଛି। ପରିବାର ଲୋକେ ଏଥିପାଇଁ ପୋଲିସ୍‌କୁ ଦାୟୀ କରିଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ଖବର ଅନୁଯାୟୀ ଜଣେ ୨୬ ବର୍ଷୀୟ ଯୁବକକୁ ବୀରମିତ୍ରପୁର ଥାନ ପୋଲିସ ଗିରଫ କରିଥିଲା। ସେ ଥାନା ହାଜତରେ ଥିଲେ। ଆଜି ସକାଳେ ତାଙ୍କ ପରିବାର ଲୋକଙ୍କୁ ଫୋନ୍‌ କରି ପୁଅର ମୃତ୍ୟୁ ହୋଇଥିବା ଖବର ଦିଆଯାଇଥିଲା। ହାଜତରେ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୁନ୍ଦରଗଡ ଏସ୍‌ପି ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯୁବକଜଣକ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ ଆରଜିଏଚକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଖବର ପ୍ରଚାରିତ ହେବା ପରେ ଥାନା ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତ୍ୟକ୍ତ ଲୋକେ ବିକ୍ଷୋଭ ପ୍ରଦର୍ଶନ ସହ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିବା ବେଳେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ, ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥଙ୍କ ସମେତ ବହୁ ଉପରିସ୍ଥ ଅଧିକାରୀ ଉପସ୍ଥିତ ଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।